ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମିଳିଲା ଆଉ ୫ ସ୍ୱର୍ଣ୍ଣ, ୧୬ ବର୍ଷ ପରେ ମହିଳା ହକିରେ ଭାରତକୁ କାଂସ୍ୟ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମିଳିଲା ଆଉ ୫ ସ୍ୱର୍ଣ୍ଣ, ୧୬ ବର୍ଷ ପରେ ମହିଳା ହକିରେ ଭାରତକୁ କାଂସ୍ୟ

ବର୍ମିଂହାମ : ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକିରୁ ଐତିହାସିକ କାଂସ୍ୟ ପଦକ ଜିତିଛି ଭାରତ। ତୃତୀୟ/ ଚତୁର୍ଥ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୧ ଗୋଲ୍‌ରେ ପରାସ୍ତ କରି ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ଆଜି ମେଡାଲ ମଞ୍ଚରେ ଛିଡ଼ା ହେବାର ଗୌରବ ହାସଲ କରିଛି ଭାରତୀୟ ମହିଳା ହକି ଦଳ। ଶେଷ ଥର ପାଇଁ ଭାରତ ୨୦୦୬ ମେଲବର୍ଣ୍ଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରୁ ପଦକ ଜିତିଥିଲା।

ରବିବାରର ଉତ୍କଣ୍ଠାପୂର୍ଣ୍ଣ ତଥା ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ। ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସଲିମା ଟେଟେ ୨୯ ମିନିଟ୍‌ରେ ଦେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଲିଭା ମେରି ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲେ। ତାଙ୍କ ଶେଷ ମିନିଟ୍‌ ଗୋଲ୍ ବଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ସମୟରେ ହାରିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ତେବେ ସୁଟଆଉଟ୍‌ରେ ଭାରତ ବାଜି ମାରି ନେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ପରାଜୟକୁ ଭୁଲି ଭାରତୀୟ ଖେଳାଳିମାନେ ଆଜିର ସୁଟଆଉଟ୍‌ରେ ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରିଥିଲେ। ଅଧିନାୟିକା ତଥା ଗୋଲ୍‌ରକ୍ଷକ ସବିତା ପୁନିଆ ଚମତ୍କାର ଢଙ୍ଗରେ ନ୍ୟୁଜିଲାଣ୍ଡର ଚାରିଜଣ ଖେଳାଳିଙ୍କ ପ୍ରୟାସକୁ ବିଫଳ କରି ଦେଇଥିଲେ। କିୱି ଦଳ ପାଇଁ ଏକାକୀ ମେଗାନ ହଲ୍‌ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ହୋପ ରାଲ୍ଫ, ରୋଜ୍ ତିନାନ, କାଟି ଡୋର୍‌ ଓ ଓଲିଭିଆ ସାନନ ବିଫଳ ହୋଇଥିଲେ। ଭାରତ ପକ୍ଷରୁ ସଂଗୀତା କୁମାରୀ ଓ ନେହା ବିଫଳ ହୋଇଥିଲେ। ତେବେ ସୋନିକା ଓ ନଭନୀତ କୌର ସଫଳ ହୋଇ ନ୍ୟୁଜିଲାଣ୍ଡ ପଞ୍ଝାରୁ କାଂସ୍ୟ ପଦକ ଛଡ଼ାଇ ଆଣିଥିଲେ। ଭାରତର ଏହି ଐତିହାସିକ ପଦକ ବିଜୟରେ ଓଡ଼ିଆ ଛାପ ମଧ୍ୟ ଥିଲା। କାରଣ ରାଜ୍ୟର ତାରକା ଖେଳାଳି ଦୀପଗ୍ରେସ୍ ଏକ୍କା‌ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଥିଲେ।

ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ଜିତିଲା ଭାରତ
ଓଡ଼ିଶା ପାଇଁ ପ୍ରଥମ ପଦକ ଆଣିଲେ ଦୀପଗ୍ରେସ୍‌
ମୁଷ୍ଟିଯୁଦ୍ଧରେ ନିତୁ, ଅମିତ ଓ ନିଖତଙ୍କୁ ସ୍ବର୍ଣ୍ଣ

publive-image

ସୂଚନାଯୋଗ୍ୟ ଯେ ଭାରତୀୟ ମହିଳା ହକି ଦଳ ୨୦୦୨ ମସିହାରେ କ୍ବାଲାଲମ୍ପୁରଠାରେ ପ୍ରଥମ ଓ ଶେଷ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହାର ୪ ବର୍ଷ ପରେ ଅର୍ଥାତ୍ ୨୦୦୬ ମାଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲା। ସେବେଠାରୁ କିନ୍ତୁ ପଦକ ଶୂନ୍ୟ ରହିଥିଲା। ୨୦୧୦ ନୂଆଦିଲ୍ଲୀ ଏବଂ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଞ୍ଚମ ସ୍ଥାନରେ ରହିଥିଲା। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପୋଡିୟମ୍ ଫିନିସ୍ ପାଇବାରୁ ବଞ୍ଚିତ ହୋଇଥିଲା। ଏଥର କିନ୍ତୁ ସେହି ପଦକ ମରୁଡ଼ି ଦୂର କରିଛି।

ଏହି ପ୍ରତିଯୋଗିତାର ଦଶମ ଦିନ ବି ଭାରତ ପାଇଁ ବେଶ୍ ସ୍ମରଣୀୟ ରହିଥିଲା। ରବିବାର ପୁରୁଷ ଟ୍ରିପଲ ଜମ୍ପରେ ଭାରତର ଏଲଡୋସ୍ ପଲ୍ ଓ ଅବଦୁଲ୍ଲା ଆବୁବାକର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବାର ବିରଳ ସଫଳତା ଲାଭ କରିଥିଲେ। ମୁଷ୍ଟିଯୁଦ୍ଧ ରିଙ୍ଗ୍‌ରେ ବି ଭାରତୀୟ ଯୋଦ୍ଧା କମାଲ କରିଥିଲେ। ନିତୁ ଘଙ୍ଘସ୍, ଅମିତ ପଙ୍ଘଲ ଓ ନିଖତ ଜରିନ ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତ ମଧ୍ୟ ନ୍ୟୁଜିଲାଣ୍ଡକୁ ପଛରେ ପକାଇ କିଛି ସମୟ ପାଇଁ ପଦକ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe