କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମହିଳା କ୍ରିକେଟ୍ ବିଶ୍ବକପ୍-୨୦୨୫ରେ ଭାରତୀୟ ଟିମ୍ ନିଜର ଦ୍ବିତୀୟ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି। ଭାରତୀୟ ମହିଳା ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଭାରତ ୮୮ ରନ୍ରେ ବିଜୟୀ ହୋଇଛି। କଲମ୍ବୋସ୍ଥିତ ଆର ପ୍ରେମ୍ଦାସା ଷ୍ଟାଡିୟମରେ ୨୪୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୪୩ ଓଭରରେ ସମସ୍ତ ୱିକେଟ୍ ହରାଇଛି। ପାକିସ୍ତାନ ଟିମ୍ ୧୫୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଛି।
ବ୍ୟାଟିଂ ପରେ ଭାରତୀୟ ଟିମ୍ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛି। କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସ୍ନେହ୍ ରାଣାଙ୍କୁ ୨ଟି ୱିକେଟ୍ ମିଳିଥିଲା। ପାକିସ୍ତାନ ପାଇଁ ସିଦ୍ରା ଅମିନ ବ୍ୟକ୍ତିଗତ ଭାବେ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ। ସେ ୧୦୬ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୭ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ କରିଥିଲା।
ଭାରତୀୟ ଷ୍ଟାର କ୍ରିକେଟର ହର୍ଲିନ ଦେଓଲ ୬୫ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍ ସଂଗ୍ରହ କରିଥିଲେ। ହରମନପ୍ରୀତ କୌର ୧୯ ରନ୍, ଜେମିମା ରେଦ୍ରିଗଜ ୩୨ ରନ, ଦୀପ୍ତି ଶର୍ମା ୨୫ ରନ, ସ୍ନେହ୍ ରାଣା ୨୦ ରନ୍ ଓ ରିଚା ଘୋଷ ଅପରାଜିତ ୩୫ ରନ୍ ସଂଗ୍ରହ କରିଥିଲେ।
ପ୍ରତୀକା ରାୱଲ ଓ ସ୍ମୁତି ମନ୍ଧାନା ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ ସଂଗ୍ରହ କରିଥିଲେ। ମନ୍ଧାନା ପ୍ରଥମେ ପାକିସ୍ତାନର ଶିକାର ହୋଇଛନ୍ତି। ସେ ପଡ଼ିଆ ଛାଡ଼ିବା ପୂର୍ବରୁ ଫତିମା ସାନାଙ୍କ ବଲ୍ରେ ଏଲ୍ବିଡବ୍ଲୁ ଆଉଟ୍ ହୋଇଛନ୍ତି। ମନ୍ଧାନା ୩୨ଟି ବଲ୍ ଖେଳି ୨୩ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଚୌକା ସାମିଲ ଥିଲା। ଭାରତ ନିଜର ସ୍କୋର ୬୭ ରନ୍ ଥିବା ବେଳେ ପ୍ରତୀକା (୩୧ ରନ୍)ଙ୍କୁ ହରାଇ ଥିଲା। ସେ ୩୭ଟି ବଲ୍ ସାମ୍ନା କରି ୫ଟି ଚୌକା ମାରିଥିଲେ।
Follow Us