Photo: Hindustan Times
ମୁମ୍ବାଇ: ସ୍ଥାନୀୟ ଓ୍ଵାଙ୍ଖ୍ଡେ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ରେ ଭାରତ ୬୭ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହିତ ଭାରତ ଶୃଙ୍ଖଳାକୁ ୨-୧ରେ ନିଜ ନାଁରେ କରିଛି। ପୂର୍ବରୁ ଭାରତ ପ୍ରଥମ ଟି-୨୦ରେ ହାଇଦ୍ରାବାଦ୍ରେ ୬ ଓ୍ଵିକେଟ୍ରେ ଜିତିଥିବା ବେଳେ ତିରୁଅନନ୍ତପୁରମରେ ଖେଳାଯାଇଥିବା ୨ୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍ ଠାରୁ ୮ ଓ୍ଵିକେଟ୍ରେ ପରାସ୍ତ ହୋଇଥିଲା।
ଆଜିର ମ୍ୟାଚରେ ଭାରତର ବ୍ୟାଟ୍ସମ୍ୟାନ୍ମାନେ ପ୍ରଥମେ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଟିମ୍ର ବୋଲରମାନେ ଘାତକ ବୋଲିଂ କରିଥିଲେ। ଭାରତୀୟ ବୋଲର ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ୨-୨ ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ରେ ଭାରତୀୟ ବ୍ୟାଟସ୍ମ୍ୟାନ ଓ ବୋଲରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ୱେଷ୍ଟଇଣ୍ଡିଜ୍ ହାତରୁ ଟିମ୍ ଇଣ୍ଡିଆ ମ୍ୟାଚ୍ ଛଡ଼ାଇ ଆଣିଥିଲା।
ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ୨୪୧ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ ହରାଇ ୧୭୩ ରନ୍ ସଂଗ୍ରହ କରିପାରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟସ୍ମ୍ୟାନ୍ମାନେ କ୍ରିଜ୍ରେ ଅଧିକ ସମୟ ରହିପାରି ନଥିଲେ। ସ୍କୋର ୧୭ ରନ୍ରେ ଟିମ୍ ୩ଟି ମୂଲ୍ୟବାନ୍ ଓ୍ଵିକେଟ୍ ହରାଇଥିଲା। ଲେଣ୍ଡଲ୍ ସିମନ୍ସ (୭ ରନ୍), ବ୍ରେଣ୍ଡନ୍ କିଙ୍ଗ୍ (୫ରନ୍) ଓ ନିକୋଲାସ ପୂରନ (୦ ରନ୍) ଶସ୍ତାରେ ଆଉଟ୍ ହୋଇଥିଲେ। ଟିମ୍ ୧୧ ରନ୍ରେ ବ୍ରେଣ୍ଡନ୍ଙ୍କୁ ହରାଇଥିବା ବେଳେ ସିମନ୍ସ ଓ ନିକୋଲାସ୍ ଆଉଟ୍ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ର ସ୍କୋର୍ ୧୭ ରନ୍ ଥିଲା।
ଭାରତ ୧୦ ଓଭର ଶେଷରେ କୌଣସି ଓ୍ଵିକେଟ୍ ନ ହରାଇ ୧୧୬ ରନ୍ ସଂଗ୍ରହ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଏତିକି ଓଭର ଶେଷରେ ୪ଟି ଓ୍ଵିକେଟ୍ ହରାଇ ୯୭ ରନ୍ ଯୋଡ଼ିଥିଲା। ଭାରତର ୪ର୍ଥ ଶିକାର ହୋଇଥିଲେ ସିମରନ୍ ହେଟମେୟର। ହେଟମେୟର ଦଳ ପାଇଁ ଆଶା ସଂଚାର କରିଥିଲେ। ସେ ୨୪ଟି ବଲ୍ ଖେଳି ୪୧ ରନ୍ ଯୋଡ଼ିବା ସହିତ ଅଧିନାୟକ କିରଣ ପୋଲାର୍ଡ (୬୮ ରନ୍, ୪୮ ବଲ, ୫ ଚୌକା, ୬ ଛକା)ଙ୍କୁ ଭଲ ସହଯୋଗ କରିଥିଲେ। ଦ୍ୱାଦଶ ଓଭରର ପ୍ରଥମ ବଲ୍ରେ ଜାସନ୍ ହୋଲ୍ଡର (୮ ରନ୍) ଆଉଟ୍ ହେବା ପରେ ଦଳ ଅଧିକ ଶଙ୍କଟାବସ୍ଥା ଆଡ଼କୁ ଠେଲି ହୋଇଯାଇଥିଲା।
ୱେଷ୍ଟଇଣ୍ଡିଜ୍ ୯୧ ରନ୍ରେ ୪ର୍ଥ ଓ୍ଵିକେଟ୍ ଭାବେ ସିମରନ୍ ହେଟମେୟର, ୧୦୩ ରନ୍ରେ ୫ମ ଓ୍ଵିକେଟ୍ ଭାବେ ହୋଲଡର, ୧୪୧ ରନ୍ରେ ୬ଷ୍ଠ ଓ୍ଵିକେଟ୍ ଭାବେ ପୋଲାର୍ଡ, ୧୫୨ ରନ୍ରେ ୭ମ ଓ୍ଵିକେଟ୍ ଭାବେ ହେଡେନ୍ ଓ୍ଵାଲ୍ସ ଓ ୧୬୯ ରନ୍ରେ ଅଷ୍ଟମ ଓ୍ଵିକେଟ୍ ଭାବେ ଖରି ପିଏର୍ଙ୍କୁ ହରାଇଥିଲା।
ପ୍ରଥମ ଇନିଂସରେ ଓପନର ଲୋକେଶ ରାହୁଲ (୯୧ ରନ୍, ୫୬ ବଲ, ୯ ଚୌକା, ୪ ଛକା) ଓ ରୋହିତ ଶର୍ମା (୭୧ ରନ୍, ୩୪ ବଲ, ୬ ଚୌକା, ୫ ଛକା) ଓ ଅଧିନାୟକ ବିରାଟ କୋହଲି (ଅପରାଜିତ ୭୦ ରନ୍, ୨୯ ବଲ, ୪ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଥିଲା।
Photo: Hindustan Timesଇନିଂସ ଆରମ୍ଭରୁ ଓପନର ରୋହତି ଶର୍ମା ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ସେ ନିର୍ଭୟରେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ବଲ୍କୁ ଖେଳୁଥିଲେ। କେସ୍ରିକ୍ ୱିଲିୟମ୍ସଙ୍କ ବଲ୍ ହେଡେନ୍ ୱାଲ୍ସଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ ଫେରିଥିଲେ। ରୋହିତ ପଡ଼ିଆରୁ ବିଦାୟ ନେବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଯୁବ ବ୍ୟାଟସ୍ମ୍ୟାନ୍ ଋଷବ ପନ୍ତ। ମାତ୍ର ଦୁଃଖର ବିଷୟ ଯେ ପନ୍ତ ଆଜି ପୁଣି ଥରେ ବିଫଳ ହୋଇଥିଲେ। ସେ ୨ଟି ବଲ ଖେଳି ଥିଲେ ମଧ୍ୟ କୌଣସି ରନ୍ ନ କରି ପାଭ୍ଲିଅନ୍କୁ ଫେରି ଯାଇଥିଲେ।
ଭାରତ ୧୩୫ ରନ୍ରେ ରୋହିତ ଓ ୧୩୮ ରନ୍ରେ ଋଷବଙ୍କୁ ହରାଇବା ପରେ କ୍ରିଜ୍କୁ ପ୍ରବେଶ କରିଥିଲେ ଅଧିନାୟକ ବିରାଟ କୋହଲି। ଦର୍ଶକମାନେ କୋହଲିଙ୍କ ବ୍ୟାଟ୍ରୁ ଏହି ଇନିଂସର ସର୍ବାଧିକ ୭ଟି ଛକା ଦେଖିବାକୁ ପାଇଥିଲେ। ଭାରତର ଇନିଂସରେ ମୋଟ ୧୯ଟି ଚୌକା ଓ ୧୬ଟି ଛକା ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ୍ ବୋଲର ସେଲଡ୍ରନ୍ କଟ୍ରେଲ, କେସ୍ରିକ୍ ୱିଲିୟମ୍ସ ଓ ଅଧିନାୟକ କିରଣ ପୋଲାର୍ଡ ୧-୧ ଓ୍ଵିକେଟ୍ ନେଇଥିଲେ।
Follow Us