କୋଲକାତା: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍ରେ ପରାସ୍ତ କରିଛି। ଏଥି ସହିତ ଭାରତ ୩-୦ରେ ଶୃଙ୍ଖଳା ବିଜୟ ହାସଲ କରିଛି।
କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରବିବାର ଟିମ୍ ଇଣ୍ଡିଆ ଟସ୍ ଜଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୮୪ ରନ୍ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ୧୮୫ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ୧୭.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୧୧ ରନ୍ କରିପାରିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ହର୍ଷଲ ପଟେଲଙ୍କୁ ୨ଓ୍ଵିକେଟ୍ ମିଳିଥିବା ବେଳେ ଦୀପକ ଚହର, ୟୁଝବେନ୍ଦ୍ର ଚହଲ ଓ ଭେଙ୍କଟେସ୍ ଆୟରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ୍ ଗପ୍ଟିଲ ଓ ଡାରେଲ୍ ମିଚେଲ ଇନିଂସ ଆରମ୍ଭ କରିଥିଲେ। ମାତ୍ର ୩ୟ ଓଭରର ପ୍ରଥମ ବଲ୍ରେ ଡାରେଲ ମିଚେଲ (୫ ରନ୍) ଅକ୍ଷର ପଟେଲଙ୍କ ବଲ୍ ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ଅତିଥି ଦଳ ୨୧ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିବା ବେଳେ ୨୨ ରନ୍ରେ ୨ୟ ଓ ୩୦ ରନ୍ରେ ୩ୟ ଓ୍ଵିକେଟ୍ ହରାଇଥିଲା।
ଭାରତର ୪ର୍ଥ ଶିକାର ହୋଇଥିଲେ ମାର୍ଟିନ ଗପ୍ଟିଲ। ସେ ୩୬ଟି ବଲ୍ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବେ ଦଳ ପାଇଁ ୫୧ ରନ୍ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ଓ ୪ଟି ଛକା ମଧ୍ୟ ସାମିଲ ଥିଲା। ନ୍ୟୁଜିଲାଣ୍ଡ ୭୬ ରନ୍ରେ ୫ମ, ୭୬ ରନ୍ରେ ୬ଷ୍ଠ, ୮୪ ରନ୍ରେ ୭ମ, ୯୩ରେ ୮ମ ଓ ୯୫ ରନ୍ରେ ୯ମ ଓ୍ଵିକେଟ୍ ହରାଇଥିଲା।
Photo: ICC Twitterଟିମ୍ ଇଣ୍ଡିଆର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଇଶନ କିଶନ (୨୧ ବଲ୍, ୨୯ ରନ୍, ୬ଚୌକା)। ଉଭୟ ଖେଳାଳି ପ୍ରଥମ ଓ୍ଵିକେଟ୍ ପାଇଁ ରୋହିତ ଓ ଇଶନ୍ ୧୦.୮୯ ହାରରେ ୬୯ ରନ୍ ସଂଗ୍ରହ କରିଥିଲେ। ଇଶନ ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ପଡ଼ିଆକୁ ପ୍ରବେଶ କରିଥିଲେ ଏବଂ ସେ ୪ଟି ବଲ୍ ସାମ୍ନା କରି କୌଣସି ରନ୍ ନକରି ପଡ଼ିଆରୁ ଫେରିଯାଇଥିଲେ। ସେହିପରି ଯୁବ କ୍ରିକେଟର ଋଷଭ ପନ୍ତ ମଧ୍ୟ ୬ଟି ବଲ୍ ଖେଳି ଦଳପାଇଁ ବ୍ୟକ୍ତିଗତ ଭାବେ ୪ ରନ୍ କରିଥିଲେ।
ସ୍କୋର ୭୧ ରନ୍ରେ ନ୍ୟୁଜିଲାଣ୍ଡକୁ ୨ୟ ଓ୍ଵିକେଟ୍ (ସୂର୍ଯ୍ୟକୁମାର) ଓ ୮୩ ରନ୍ରେ ୩ୟ ଓ୍ଵିକେଟ୍ (ଋଷଭ ପନ୍ତ) ମିଳିଥିଲା। ଅଳ୍ପ ସମୟ ମଧ୍ୟରେ ଭାରତ ୨ଟି ଓ୍ଵିକେଟ୍ ହରାଇବା ପରେ ସ୍କୋର ହାରରେ ବ୍ରେକ୍ ଲାଗି ଯାଇଥିଲା। କିନ୍ତୁ ପରେ ଯୁବ ବ୍ୟାଟ୍ସମ୍ୟାନ୍ ମାନେ ଭାରତର ସ୍କୋରକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ନ୍ୟୁଜିଲାଣ୍ଡର ୪ର୍ଥ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ଈଷ ସୋଢ଼ୀଙ୍କ ଦ୍ୱାରା ଆଉଟ୍ ହେବା ପୂର୍ବରୁ ୩୧ଟି ବଲ୍ର ସାମ୍ନା କରି ୫ଟି ଚୌକା ଓ ୩ଟି ଛକା ବଳରେ ଦଳପାଇଁ ୫୬ ରନ୍ ଯୋଗଦାନ ଦେଇଥିଲେ।
ଭାରତ ପାଇଁ ଶ୍ରେୟସ ଆୟର ୨୫ ରନ୍, ଭେଙ୍କଟେସ୍ ଆୟର ୨୦ ରନ୍, ହର୍ଷଲ ପଟେଲ ୧୮ ରନ୍ ଓ ଦୀପକ ଚହର ଅପରାଜିତ ୨୧ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସଣ୍ଟନରଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ୍ ମିଳିଥିଲା। ସେହିପରି ଟ୍ରେଣ୍ଟ ବୋଲ୍ଟ, ଆଦାମ୍ ମିଲ୍ନେ, ଲକି ଫର୍ଗୁସନ୍ ଓ ଈଷ ସୋଢ଼ୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
Follow Us