ଟି-୨୦: ପୁଣେରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ୨-୦ରେ ଶୃଙ୍ଖଳା ଜିତି ବର୍ଷ ଆରମ୍ଭ କଲା ବିରାଟ ବାହିନୀ

ଟି-୨୦: ପୁଣେରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ୨-୦ରେ ଶୃଙ୍ଖଳା ଜିତି ବର୍ଷ ଆରମ୍ଭ କଲା ବିରାଟ ବାହିନୀ

Photo: Hindustan Times

ପୁଣେ: ଭାରତୀୟ ବୋଲର ଓ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦମଦାର ପ୍ରଦର୍ଶନ ବଳରେ ଶ୍ରୀଲଙ୍କାକୁ ହରାଇ ଶୃଙ୍ଖଲା ଆଜି ଜିଣି ନେଇଛି ବିରାଟ ବାହିନୀ। ପୁଣେରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ନ ଷ୍ଟାଡ଼ିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌କୁ ୭୮ ରନ୍‌ରେ ଜିତିଛି ଭାରତ। ଏଥି ସହ ବିରାଟ କୋହଲିଙ୍କ ଟିମ୍‌ ଏହି ଶୃଙ୍ଖଳାକୁ ୨-୦ ଜିଣି ପ୍ରଶଂସକଙ୍କୁ ନୂଆବର୍ଷର ଭେଟି ଦେଇଛି। ଗୁଆହାଟୀରେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍‌ ବାତିଲ ହେବା ପରେ ଭାରତ ଇନ୍ଦୋର ମ୍ୟାଚ୍‌କୁ ୭ ଓ୍ଵିକେଟ୍‌ରେ ଜିତିଥିଲା।

ଆଜି ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିବା ପରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୦୨ ରନ୍‌ର ଟାର୍ଗେଟ ମିଳିଥିଲା। ମାତ୍ର ଭାରତୀୟ ବୋଲରଙ୍କ ସମ୍ମୁଖରେ ଶ୍ରୀଲଙ୍କାର ବ୍ୟାଟସ୍‌ମ୍ୟାନ୍‌ମାନେ ତିଷ୍ଠି ପାରି ନ ଥିଲେ। ଶ୍ରୀଲଙ୍କା ୧୫.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତୀୟ ଦଳର ଯୁବ ବୋଲର ନଭଦୀପ ସଇନିଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିଲା ବେଳେ ଶାର୍ଦ୍ଦୁଲ ଠାକୁର ଓ ଓ୍ଵାସିଂଟନ ସୁନ୍ଦର ୨-୨ଟି ଓ୍ଵିକେଟ୍‌ ହାସଲ କରିଥିଲେ। ତେବେ ବେଶ କିଛି ଦିନ ବ୍ୟବଧାନ ପରେ ଦଳକୁ ଫେରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଗୋଟିଏ ଓ୍ଵିକେଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଭାରତର ଇନିଂସରେ ଓପନର ଲୋକେଶ ରାହୁଲ (୫୪ ରନ୍‌, ୩୬ ବଲ, ୫ ଚୌକା ଓ ଗୋଟିଏ ଛକା) ଓ ଶିଖର ଧାଓ୍ଵନ (୫୨ ରନ୍‌, ୩୬ ବଲ, ୭ ଚୌକା ଓ ଗୋଟିଏ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା।

publive-image Photo: Hindustan Times

ପ୍ରଥମ ଓ୍ଵିକେଟ୍‌ରେ ଓପନର ଲୋକେଶ ରାହୁଲ ଓ ଶିଖର ଧାଓ୍ଵନ୍‌ ୯୭ ରନ୍‌ ସଂଗ୍ରହ କରି ଦଳର ସ୍କୋରକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ଶିଖର ଧାଓ୍ଵନ୍‌ ଆଉଟ୍‌ ହୋଇ ପଡ଼ିଆରୁ ଫେରି ଆସିବା ପରେ ତାଙ୍କର ସ୍ଥାନ ପୂରଣ କରିଥିଲେ ସଞ୍ଜୁ ସାମସନ୍‌। ମାତ୍ର ସାମସନ୍‌ ପଡ଼ିଆରେ ଅଧିକ ସମୟ ଯାଏଁ ଛିଡ଼ା ହୋଇ ପାରି ନ ଥିଲେ। ସେ ୨ଟି ବଲ ଖେଲି ୬ ରନ୍‌ ସଂଗ୍ରହ କରିବା ପରେ ଓ୍ଵାନିନ୍ଦୁ ହସ୍‌ରଙ୍ଗାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ପାଭଲିଅନ୍‌କୁ ଫେରିଥିଲେ। ସାମସନ୍‌ ଆଉଟ୍‌ ହେବା ବେଳକୁ ଭାରତର ସ୍କୋର୍‌ ୧୦୬ ରନ୍‌ ଥିଲା। ଭାରତ ସ୍କୋର ୧୧୮ ରନ୍‌ ଥିବା ବେଳେ ଲୋକେଶ ରାହୁଲଙ୍କୁ ଦଳ ହରାଇଥିଲା।

publive-image Photo: Hindustan Times

ଏହାପରେ ପଡ଼ିଆକୁ ଓହ୍ଲାଇ ଅଧିନାୟକ ବିରାଟ କୋହଲି ୧୭ଟି ବଲ ଖେଳି ୨୬ ରନ୍‌ ସଂଗ୍ରହ କରି ଆଉଟ୍ ହୋଇଥିବା ବେଳେ ଯୁବ ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ମଧ୍ୟ ବେଶୀ ସମୟ ଛିଡ଼ା ହୋଇ ପାରି ନ ଥିଲେ। ଆୟର ମଧ୍ୟ ସାମସନ୍‌ଙ୍କ ଭଳି ୨ଟି ବଲର ସମ୍ମୁଖୀନ ହୋଇ ୪ ରନ୍‌ କରି  ପଡ଼ିଆରୁ ବିଦାୟ ନେଇଥିଲେ। ଓ୍ଵାସିଂଟନ ସୁନ୍ଦର କୌଣସି ରନ୍‌ କରି ନ ଥିବା ବେଳେ ଶାର୍ଦ୍ଦୁଲ ଠାକୁର ୮ଟି ବଲ ଖେଳି ୨୨ ରନ୍‌ କରିଥିଲେ। ମନୀଷ ପାଣ୍ଡେ ୩୧ ରନ୍‌ କରି ଅପରାଜିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe