ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ: କୁସ୍ତି ଆଖଡ଼ାରୁ ୬ ପଦକ

Advertisment

ସ୍ବର୍ଣ୍ଣ ଦେଲେ ବଜରଙ୍ଗ, ସାକ୍ଷୀ, ଦୀପକ

ସ୍ବର୍ଣ୍ଣ ଦେଲେ ବଜରଙ୍ଗ, ସାକ୍ଷୀ, ଦୀପକ

ସପ୍ତମରୁ ପଞ୍ଚମ ସ୍ଥାନକୁ  ଲମ୍ଫ ମାରିଲା ଭାରତ: କୁସ୍ତି ଆଖଡ଼ାରୁ ୬ ପଦକ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭାରତ ପାଇଁ ଥିଲା ସ୍ବର୍ଣ୍ଣିମ ଦିବସ। ଏହିଦିନ କୁସ୍ତି ଆଖଡ଼ାରୁ ଭାରତକୁ ମିଳିଛି ୬ ପଦକ। ସେଥିରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ସାମିଲ ରହିଛି।

ଫ୍ରିଷ୍ଟାଇଲ ପୁରୁଷ ୮୬ କେଜିରେ ବଜରଙ୍ଗ ପୂନିଆ, ମହିଳା ୬୨ କେଜିରେ ସାକ୍ଷୀ ମଲ୍ଲିକ ଏବଂ ପୁରୁଷ ୮୬ କେଜିରେ ଦୀପକ ପୁନିଆ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲାବେଳେ ମହିଳା ୫୭ କେଜିରେ ଅଂଶୁ ମଲ୍ଲିକ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଯୋଦ୍ଧା ମହମ୍ମଦ ଇନାମଙ୍କୁ ସ୍ବର୍ଣ୍ଣ ପଦକ ମୁକାବିଲାରେ ପରାସ୍ତ କରିଥିବାରୁ ଦୀପକ ପୂନିଆ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ। ଅନ୍ୟପକ୍ଷରେ ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ କାଂସ୍ୟ ପଦକ ଜିତିଥିଲେ। ଏଥିସହିତ ଶୁକ୍ରବାର ସୁଦ୍ଧା ଭାରତ ମଧ୍ୟ ପଦକ ତାଲିକାରେ ସ୍କଟ୍‌ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପଛକୁ ଠେଲିଦେଇ ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ଭାରତର ମୋଟ ପଦକ ସଂଖ୍ୟା ୨୬କୁ ବଢ଼ିଯାଇଛି। କୁସ୍ତି ଯୋଦ୍ଧାଙ୍କୁ ପଦକୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି।

publive-image

କୁସ୍ତି ଆଖଡାରୁ ଅଂଶୁ ପଦକ ଅଭିଯାନ ଆରମ୍ଭ କରିବା ପରେ ବଜରଙ୍ଗ, ସାକ୍ଷୀ ଓ ଦୀପକ ଲାଗ ଲାଗ ତିନିଟି ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ। ପୁରୁଷ ଫ୍ରିଷ୍ଟାଇଲ ୮୬ କେଜି ଫାଇନାଲ୍‌ରେ ପ୍ରଥମ ପିରିୟଡ୍‌ ସୁଦ୍ଧା ୪-୦ରେ ଆଗୁଆ ରହିଥିବା ବଜରଙ୍ଗ ଶେଷରେ ୯-୨ରେ କାନାଡା ଯୋଦ୍ଧା ଲଚଲାନ୍‌ ମ୍ୟାକ୍‌ନିଲଙ୍କୁ ଧରାଶାୟୀ କରି ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ଫଳରେ ବଜରଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଏହା ମଧ୍ୟ ତାଙ୍କର ତୃତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ। ଏହାପୂର୍ବରୁ
୨୦୧୮ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ସ୍ବର୍ଣ୍ଣ ଏବଂ ୨୦୧୪ରେ ରୌପ୍ୟ ପଦକ ହାସଲ କରିଥିଲେ। କ୍ରମାଗତ ସଂସ୍କରଣ‌ରେ ସ୍ବର୍ଣ୍ଣ ଜିତିଥିବା ବଜରଙ୍ଗ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ବଜରଙ୍ଗ କ୍ବାର୍ଟରଫାଇନାଲ୍‌ରେ ମରିସସ୍‌ର ଜିନ୍‌ ଗଲିଆନେ ଜୋରିସ ବନ୍ଦୋଉଙ୍କୁ ଏବଂ ସେମିଫାଇନାଲ୍‌ରେ ଇଂଲଣ୍ଡର ଜର୍ଜ ରାମ୍‌ଙ୍କୁ ୧୦-୦ରେ ପରାସ୍ତ କରିଥିଲେ।

ଏହାପରେ ସାକ୍ଷୀ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ କାନାଡାର ଆନା ଗୋଞ୍ଜଲେଜ୍‌ଙ୍କୁ (୪-୪) ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ କରିନେଇଥିଲେ। ପ୍ରଥମ ରାଉଣ୍ଡରେ ୨ ଥର ୨ ଲେଖାଏଁ ପଏଣ୍ଟ ହାସଲ କରି ୪-୦ରେ ଆଗୁଆ ରହିଥିଲେ ଗୋଞ୍ଜାଲେଜ୍‌। ତେବେ ଦ୍ବିତୀୟ ରାଉଣ୍ଡରେ ପ୍ରତ୍ୟାବର୍ତନ କରିଥିଲେ ସାକ୍ଷୀ। ସେ ପ୍ରତିପକ୍ଷଙ୍କୁ ମ୍ୟାଟ୍‌ ଉପରେ ମାଡ଼ି ବସି ତାଙ୍କୁ ଆଦୌ ଉଠିବାକୁ ଦେଇନଥିଲେ। ଏଥିରୁ ସେ ମଧ୍ୟ ଏକାଥରକେ ୪ ପଏଣ୍ଟ ହାସଲ କରିଥିଲେ। ଉଭୟ ପଏଣ୍ଟ ବରାବର କରିଥିଲେ ମଧ୍ୟ ପ୍ରତିଯୋଗିତାର ନିୟମ ଅନୁଯା‌ୟୀ ‘ଫଲ୍‌’ ଦ୍ବାରା ସାକ୍ଷୀ ବିଜୟୀ ଘୋଷିତ ହୋଇଥିଲେ। ଏହା ପୂର୍ବରୁ ସାକ୍ଷୀ କ୍ବାର୍ଟର ଫାଇନାଲ୍‌ରେ ଇଂଲଣ୍ଡର କେଲ୍‌ସି ବାର୍ନେସଙ୍କୁ ଏବଂ ସେମିଫାଇନାଲ୍‌ରେ କାମେରୁନ୍‌ର ଇଟାନେ ଏନ୍‌ଗୋଲେଙ୍କୁ ୧୦-୦ରେ ପରାସ୍ତ କରିଥିଲେ। ସାକ୍ଷୀ ମଧ୍ୟ ଏଥି ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ଭାବେ ନିଜର ତୃତୀୟ ପଦକ ହାସଲ କରିଥିଲେ। ୨୦୧୪ରେ ରୌପ୍ୟ, ୨୦୧୮ରେ କାଂସ୍ୟ ଏବଂ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଶନିବାର ଶେଷ ସ୍ବର୍ଣ୍ଣ ପଦକ ଜିତିଥିଲେ ଦୀପକ ପୂନିଆ। ୮୬ କେଜି ପୁରୁଷ ଫାଇନାଲରେ ସେ ପାକିସ୍ତାନ ପ୍ରତିଦ୍ବନ୍ଦ୍ବୀ ମହମ୍ମଦ ଇନାମଙ୍କୁ ୩-୦ରେ ପରାସ୍ତ କରିଦେଇଥି‌ଲେ। ପ୍ରଥମ ରାଉଣ୍ଡରେ ୨-୦ରେ ଆଗୁଆ ରହିଥିବା ଦୀପକ ଦ୍ବିତୀୟ ରାଉଣ୍ଡରେ ଆଉ ଏକ ପଏଣ୍ଟ ଯୋଡ଼ି ପାକିସ୍ତାନ ଯୋଦ୍ଧାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହା ପୂର୍ବରୁ ଦୀପକ କ୍ବାର୍ଟର ଫାଇନାଲ୍‌ରେ ସିଏରା ଲିଓନେର ସେକୁ କାସେକବାମାଙ୍କୁ ଏବଂ ସେମିରେ କାନାଡାର ଆଲେକ୍‌ଜାଣ୍ଡର ମୁରେଙ୍କୁ ୩-୧ରେ ପରାସ୍ତ କରିଥିଲେ।

publive-image

ତେବେ କୁସ୍ତିରୁ ଭାରତକୁ ପ୍ରଥମ ପଦକ ଦେଇଥିଲେ ଅଂଶୁ ମଲିକ। ମହିଳା ୫୭ କେଜି ଫ୍ରିଷ୍ଟାଇଲ ସ୍ବର୍ଣ୍ଣ ପଦକ ମୁକାବିଲାରେ ସେ ନାଇଜେରିଆ ପ୍ରତିଦ୍ବନ୍ଦ୍ବୀ ଓଡୁନାୟୋ ଆନେକୁରୋୟେଙ୍କଠାରୁ ୪-୬ରେ ହାରି ଯାଇଥିଲେ। ପୂର୍ବରୁ ଅଂଶୁ କ୍ବାର୍ଟରଫାଇନାଲ୍‌ରେ ଅଷ୍ଟ୍ରେଲିଆର ଈରିନେ ସିମେଓନିଡିସ୍‌ଙ୍କୁ ଏବଂ ସେମିରେ ଶ୍ରୀଲଙ୍କାର ନେଥମୀ ପୋରୁଥୋଟାଗେଙ୍କୁ ୧୦-‌୦ରେ ପରାସ୍ତ କରିଥିଲେ।

ଶେଷରେ ମହିଳା ଫ୍ରିଷ୍ଟାଇଲ ୬୮ କେଜିରେ ଦିବ୍ୟା କାକ୍ରନ ଏବଂ ପୁରୁଷ ୧୨୫ କେଜି ବର୍ଗରେ ମୋହିତ ଗ୍ରେୱାଲ କାଂସ୍ୟ ପଦକ ଜିତିବାରୁ କୁସ୍ତିରୁ ଗୋଟିଏ ଦିନରେ ମୋଟ ୬ ପଦକ ମିଳିଯାଇଥିଲା। କାଂସ୍ୟ ମୁକାବିଲାରେ କାକ୍ରନ ଟୋଗୋର ଲେମାଲି କୋକରଙ୍କୁ ୨-୦ (ବାଇ ଫଲ୍‌ ଦ୍ବାରା)ରେ ପରାସ୍ତ କରି ପଦକ ଅମଳ କରିନେଇଥିଲେ। ଏହାପୂର୍ବରୁ କ୍ବାର୍ଟର ଫାଇନାଲ୍‌ରେ ହାରିଯାଇଥିବା କାକ୍ରନ ରିପିଚେଜ୍‌ ରାଉଣ୍ଡରେ କାମେରୁନ୍‌ର ଏନ୍‌ଗିରିଙ୍କୁ ପରାସ୍ତ କରି କାଂସ୍ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ସେହିପରି ପୁରୁଷ ୧୨୫ କେଜିରେ ମୋହିତ ଗ୍ରେୱାଲ କାଂସ୍ୟ ପଦକ ହାତଛଡ଼ା କରିନଥିଲେ। ସେମିଫାଇନାଲ୍‌ରେ ମୋହିତ କାନାଡାର ଅମରବୀର ଧେସିଙ୍କଠୁ ହାରି ଯାଇଥିଲେ ମଧ୍ୟ ରିପିଚେଜ୍‌ ରାଉଣ୍ଡ ଜିତି କାଂସ୍ୟ ମୁକାବିଲାକୁ ଯାଇଥିଲେ। ଏହି ମୁକାବିଲାରେ ସେ ଜାମାଇକା ପ୍ରତିଦ୍ବନ୍ଦ୍ବୀ ଆରୋନ ଜନ୍‌ସନ୍‌ଙ୍କୁ ୬-୦ରେ ଜିତି ଭାରତ ପାଇଁ ନବମ କାଂସ୍ୟ ପଦକ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe