Image Courtesy of ZeeNews
କୋଲକତା: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୟୋଥ୍ ଓ୍ଵର୍ଲଡ୍ ଆର୍ଚେରି ଚାମ୍ପିଅନ୍ସିପ୍ରେ ଇଂଲଣ୍ଡ୍ର ଜଣେ ସଦସ୍ୟାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ଭାରତୀୟ କମ୍ପାଉଣ୍ଡ୍ ଆର୍ଚେରି କୋଚ୍ ସୁନୀଲ କୁମାରଙ୍କୁ ଆର୍କେରି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଆଇ) ବହିଷ୍କାର କରିଛି।
ଆନୁଷ୍ଠାନିକ ଅଭ୍ୟାସ ଚାଲିଥିବାବେଳେ ଏପରି ଘଟିଥିଲା ବୋଲି କୁହାଯାଉଛି। କନିଷ୍ଠ ବର୍ଗରେ ରିକର୍ଭ ମିକ୍ସ୍ଡ୍ ପେଆର୍ ଗୋଲ୍ଡ୍ ମେଡାଲ୍ ସହ ତିନୋଟି ପଦକ ପାଇ ଭାରତ ନିଜର ଅଭିଯାନ ସଫଳ କରିଥିଲା।
ଗ୍ରେଟ୍ ବ୍ରିଟେନ୍ ଟିମ୍ର ଜଣେ ମହିଳା ସଦସ୍ୟାଙ୍କୁ ହରିୟାଣାର ଏହି କୋଚ୍ଜଣକ ଆଲିଙ୍ଗନ କରିଥିଲେ ବୋଲି ଅଭିଯୋଗ ହେଉଛି। ଏହି ଅସଦାଚରଣ ପରେ ତାଙ୍କୁ ତୁରନ୍ତ ଭାରତକୁ ପ୍ରତ୍ୟାବର୍ତ୍ତନ କରାଯାଇଥିଲା।
ବିଶ୍ୱ ତୀରନ୍ଦାଜୀରେ ଏକ କୋଡ୍ ଅଫ୍ କଣ୍ଡକ୍ଟ୍ ରହିଛି। ଅଭିଯୋଗର ରିପୋର୍ଟ ଆଧାରରରେ ଆମେ ତାଙ୍କୁ ବହିଷ୍କାର କରିଛୁ। ଆମେ ଇଣ୍ଟର୍ନ୍ୟାସ୍ନାଲ୍ ଫେଡେରେସନ୍ ଏବଂ ବ୍ରିଟେନ୍ ଟିମ୍ଙ୍କ ଠାରୁ ସମସ୍ତ ରିପୋର୍ଟ ମାଗିଥିଲୁ ବୋଲି ଏଏଆଇର ସାଧାରଣ ସମ୍ପାଦକ ଅନୀଲ କାମିନେନି କହିଛନ୍ତି।
ରିପୋର୍ଟକୁ ଆଧାର କରି ଘଟନା ସଂକ୍ରାନ୍ତରେ ଏଏଆଇ ଏକ ଅଭ୍ୟନ୍ତରିଣ ତଦନ୍ତ ଆରମ୍ଭ କରିବା ପରେ କୋଚ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମନୋନୟନ ନିମନ୍ତେ କରାଯାଉଥିବା ପରୀକ୍ଷାରେ ଶୀର୍ଷସ୍ଥାନ ହାସଲ କରିଥିବା ତୀରନ୍ଦାଜ୍ଙ୍କୁ ଏଏଆଇ କୋଚ୍ ରୂପେ ବାଛିଥାଏ। ସୁନୀଲ କୁମାରଙ୍କୁ ଶୀର୍ଷସ୍ତରୀୟ ଭାରତୀୟ କମ୍ପାଉଣ୍ଡ୍ ଆର୍ଚର ମୟାଙ୍କ ରାଓ୍ଵତ୍ଙ୍କ ଅନୁମୋଦନରେ ନିଯୁକ୍ତି ଦିଆ ଯାଇଥିଲା।
୨୪ ଜଣିଆ ତୀରନ୍ଦାଜ୍ଙ୍କୁ ନେଇ ରୋଜାରିଓ ଗସ୍ତରେ ଥିବା ଆଠଜଣିଆ ସଦସ୍ୟ ବିଶିଷ୍ଟ କୋଚିଙ୍ଗ୍ ଟିମ୍ରେ ସୁନୀଲ କୁମାର ଥିଲେ ଅନ୍ୟତମ।
୨୦୦୪ର ଅଲିମ୍ପିଆନ୍ ଉତ୍ତର ପ୍ରଦେଶର ସତ୍ୟଦେବ ପ୍ରସାଦ ଟିମ୍ ମ୍ୟାନେଜର୍ ଭାବେ ତାଙ୍କ ସହ ଯାଇଥିଲେ।
ମୁଁ ଏସ୍ଏଆଇକୁ ଦେଇଥିବା ମୋର ରିପୋର୍ଟରେ ଉଲ୍ଲେଖ କରିଛି; ସେମାନେ ଅଧିକ ତଦନ୍ତ କରିବେ ବୋଲି ପ୍ରସାଦ କହିଛନ୍ତି।
ଏଏଆଇ ଏବଂ ଏସ୍ଏଆଇକୁ କ୍ଷମା ଯାଚନା କରି ହରିୟାଣାର ସେ କୋଚ୍ଜଣକ କୁଆଡ଼େ ଏକ ପତ୍ର ଲେଖିଛନ୍ତି ବୋଲି କୁହାଯାଉଛି।
Follow Us