ଗୁଆହାଟୀ: ବ୍ୟାଟିଂ ଭଲ ହେଲାନି, ବୋଲିଂ ବି ଚମକିଲାନି, କ୍ଷେତ୍ରରକ୍ଷଣ ବି ଆଶାଜନକ ନଥିଲା। ଟେଷ୍ଟ୍ କ୍ରିକେଟ୍ ପାଇଁ ଆବଶ୍ୟକ ଧୈର୍ଯ୍ୟ, ସଂଜମତା, ସାହାସ ଓ ସଂଘର୍ଷର ଚରିତ୍ର ବି ଫୁଟିଲାନି। ବିଜୟ କଥା ପଛରେ ଥାଉ ଡ୍ର’ ପାଇଁ ବି ଲଢ଼ି ନପାରିବାର ଆଭିମୁଖ୍ୟ ଏବେ ଭାରତୀୟ ଟେଷ୍ଟ୍ କ୍ରିକେଟ୍କୁ ଏକ ଅପ୍ରତ୍ୟାଶିତ ଅପମୃତ୍ୟୁ ଆଡ଼କୁ ଟାଣିନେଇଛି। ଆମେ ଗତବର୍ଷ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଦିନିକିଆ ଫର୍ମାଟ୍ର ମିନି ବିଶ୍ବକପ୍ (ଆଇସିସି ଚାମ୍ପିଅନ୍ସ ଟ୍ରଫି) ବି ହାସଲ କରିଥିଲେ। କିନ୍ତୁ ଅସଲ କ୍ରିକେଟ୍ ‘ଟେଷ୍ଟ୍’ ବେଳକୁ ଦୁର୍ବଳତା ପଦାରେ ପଡ଼ିଯାଇଛି। ଦକ୍ଷିଣ ଆଫ୍ରିକା ନିକଟରୁ ଘରୋଇ ମାଟିରେ ୨୫ ବର୍ଷ ପରେ ଟେଷ୍ଟ୍ ଶୃଙ୍ଖଳା ହାରିବା ପରେ ପ୍ରଶଂସକ ଯେତିକି ନିରାଶ, ପ୍ରଶାସକ ସେତିକି ଚିନ୍ତିତ। କିନ୍ତୁ ପ୍ରଶିକ୍ଷକ ଓ ପରିଚାଳକଙ୍କ ପାଇଁ ଅନେକ ପ୍ରଶ୍ନ ଆସି ଉଙ୍କି ମାରିଛି। ଘରୋଇ ମାଟିରେ ରାଜା କୁହାଯାଉଥିବାର ଭାରତର ଏଭଳି ଅବସ୍ଥାକୁ କେହି ବି ସହଜରେ ଗ୍ରହଣ କରିନପାରିବା ସ୍ବାଭାବିକ। ବିଶେଷ କରି ବିଦେଶରେ ବିଜୟ ଆରମ୍ଭ କରିଥିବା ଭାରତୀୟ ଦଳ ଘରୋଇ ପରାଜୟ ଧାରାରେ ରହିବା ବଡ଼ ଚିନ୍ତାର କାରଣ ହୋଇଛି।
ହୋଇପାରେ ଦକ୍ଷିଣ ଆଫ୍ରିକା ଟେଷ୍ଟ୍ କ୍ରିକେଟ୍ର ବର୍ତମାନର ବିଶ୍ବ ବିଜେତା। କିନ୍ତୁ କୋଲକାତାରେ ଭାରତ ୩୦ ରନ୍ ଅଗ୍ରଣୀ ନେଇ ୩୦ ରନ୍ରେ ହାରିଯିବା ଓ ୧୨୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିନପାରିବା ଖେଳାଳିଙ୍କ କ୍ଷମତା ଓ ଦାୟିତ୍ବବୋଧକୁ ଇଙ୍ଗିତ କରିଛି। ଏବେ ଗୁଆହାଟୀରେ ବ୍ୟାଟିଂ ଓ ବୋଲିଂର ସନ୍ତୁଳନ ରକ୍ଷା କରିବା ଭଳି ପିଚ୍ ଥିଲେ ବି ସେଠାରେ ଭାରତ ୪୦୮ ରନ୍ରେ ହାରିଛି। ଯାହାକି ଭାରତୀୟ କ୍ରିକେଟ୍ ଇତିହାସରେ ସର୍ବୋଚ୍ଚ ରନ୍ ବ୍ୟବଧାନ ହୋଇଛି। ଗତବର୍ଷ ସେହି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍ଠାରୁ ୦-୩ରେ ହାରିଥିବା ଭାରତକୁ ଏବେ ମଧ୍ୟ ୦-୨ରେ ଦକ୍ଷିଣ ଆଫ୍ରିକା ଦଳିଦେଇଛି। ଦ୍ବିତୀୟ ପାଳି ବେଳକୁ ରବୀନ୍ଦ୍ର ଜାଡ଼େଜାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନକୁ ଛାଡ଼ିଦେଲେ ଭାରତ ପାଇଁ କିଛି ବି ସକାରାତ୍କକ ଦିଗ ନଥିଲା। ଭାରତର ଶୃଙ୍ଖଳା ପରାଜୟ ଅବଶ୍ୟ ପ୍ରଥମ ପାଳିର ୨୮୮ ରନ୍ ବ୍ୟବଧାନଠାରୁ ଜଳଜଳ ଦିଶୁଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୮୯ ରନ୍ କରିବା ପରେ ଭାରତକୁ ୨୦୧ ରନ୍ରେ ରୋକି ଦେଇଥିଲା। ଭ୍ରମଣକାରୀ ତେମ୍ବା ବଭୂମାଙ୍କ ଦଳ ଦ୍ବିତୀୟ ପାଳିକୁ ୨୬୦/୫ରେ ଘୋଷଣା କରି ଭାରତ ସମ୍ମୁଖରେ ୫୪୯ ରନ୍ର ପାହାଡ଼ିଆ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ଭାରତ ମଙ୍ଗଳବାର ସୁଦ୍ଧା ୨୭/୨ରେ ସଂଘର୍ଷ କରୁଥିବାବେଳେ ବୁଧବାର ସେଭଳି କିଛି ବଡ଼ କରିସ୍ମା ଦେଖାଇପାରିନଥିଲା। ଘରୋଇ ଦଳର ଦ୍ବିତୀୟ ପାଳି ୧୪୦ ରନ୍ରେ ଖତମ ହୋଇଯାଇଥିଲା।
ରେକର୍ଡ ୪୦୮ ରନ୍ରେ ପରାସ୍ତ, ୦-୨ରେ ମୂଳପୋଛ
ଭାରତରେ ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳା ବିଜୟ
୯ କ୍ୟାଚ୍ ସହିତ ଐଦେନ୍ ମାରକ୍ରମଙ୍କ ବିଶ୍ବ ରେକର୍ଡ
ୟାନସେନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି, ହାର୍ମର୍ ଶୃଙ୍ଖଳାର ଶ୍ରେଷ୍ଠ
ନ୍ୟାୟ ଅପେକ୍ଷାେର ମହାନଦୀ: କଲମାର ୬୬ରୁ ୬୩ ଗେଟ୍ ବନ୍ଦ କରିସାରିଲାଣି ଛତିଶଗଡ଼
ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ
ଏହି ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ମାର୍କୋ ୟାନ୍ସେନ୍ ମିଡ୍ ଅନ୍ରୁ ପଛକୁ ଦୌଡ଼ି ମହମ୍ମଦ ସିରାଜଙ୍କ କ୍ୟାଚ୍ ନେବା ସହ ଭାରତର ପାଳି ଶେଷ ହେବା ପରେ ତେମ୍ବା ବଭୂମା ନିଜର ଏହି ଅବିସ୍ମରଣୀୟ ସଫଳତାକୁ ବିଶ୍ବାସ କରିପାରୁନଥିବା ତାଙ୍କ ମୁଖମଣ୍ଡଳରେ ପ୍ରତିଫଳିତ ହୋଇଥିଲା। ୟାନ୍ସେନ୍ (୯୩ ରନ୍, ୭ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତର ଦ୍ବିତୀୟ ପାଳିରେ ୬ ୱିକେଟ୍ ସହ ମୋଟ ୯ ୱିକେଟ୍ ଦଖଲ କରିଥିବା ସାଇମନ୍ ହାର୍ମର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ। ଦୁଇ ମ୍ୟାଚ୍ ଶୃଙ୍ଖଳାରେ ସେ ୧୫ ୱିକେଟ୍ ଅକ୍ତିଆର କରି ଭାରତୀୟ ପେସ୍ ଓ ସ୍ପିନର୍ଙ୍କୁ ବହୁ ପଛରେ ପକାଇଛନ୍ତି। ଐଦେନ ମାରକ୍ରମ ଗୁଆହାଟୀ ଟେଷ୍ଟ୍ରେ ମୋଟ୍ ୯ କ୍ୟାଚ୍ ନେଇ ନୂଆ ବିଶ୍ବ ରେକର୍ଡ ବି କରିଛନ୍ତି। ୨୦୧୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଅଜିଙ୍କ୍ୟ ରାହାଣେଙ୍କ ନାମରେ ଥିବା ବିଶ୍ବ ରେକର୍ଡ (୮ କ୍ୟାଚ୍) ପଛରେ ପଡ଼ିଯାଇଛି। ଭାରତ କେବଳ ସର୍ବୋଚ୍ଚ ରନ୍ ବ୍ୟବଧାନ (୪୦୮)ରେ ହାରିନାହିଁ, ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ବିପକ୍ଷରେ ସର୍ବୋଚ୍ଚ ବ୍ୟବଧାନରେ ଜିତିବାର ରେକର୍ଡ କରିଛି।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୮୯/୧୦ । ଭାରତ ପ୍ରଥମ ପାଳି: ୨୦୧/୧୦। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୭୮.୩ ଓଭରରେ ୨୬୦/୫, ଘୋଷଣା। ଭାରତ ଦ୍ବିତୀୟ ପାଳି (ଲକ୍ଷ୍ୟ ୫୪୯): ୬୩.୫ ଓଭରରେ ୧୪୦ ( ରବୀନ୍ଦ୍ର ଜାଡ଼େଜା ୫୪, ୱାସିଂଟନ୍ ସୁନ୍ଦର ୧୬, ସାଇ ସୁଦର୍ଶନ ୧୪, ଯଶସ୍ବୀ ଜୟସ୍ବାଲ-୧୩, କେଏଲ୍ ରାହୁଲ-୬, ସାଇମନ୍ ହାର୍ମର-୬/୩୭, ମାର୍କୋ ୟାନ୍ସେନ୍-୧/୨୩, କେଶବ ମହାରାଜ ୨/୩୭, ସେନୁରନ୍ ମୁଥୁସାମି ୧/୨୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/27/shsfhfhf-2025-11-27-03-44-48.jpg)