ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦଳର ଲଗାତାର ଦୁର୍ବଳ ପ୍ରଦର୍ଶନ ପରେ ଏହାର ସ୍ପେନୀୟ ପ୍ରଶିକ୍ଷକ ମନୋଲୋ ମାର୍କ୍ବେଜ୍ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୫୬ ବର୍ଷୀୟ ମାର୍କ୍ବେଜଙ୍କୁ ତାଙ୍କ ପଦରୁ ମୁକ୍ତ କରିବା ଲାଗି ଏଠାରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି ନିଆଯିବା ପରେ ମାର୍କ୍ବେଜ୍ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।
ଖୁବ୍ଶୀଘ୍ର ନୂଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯିବ ବୋଲି ଏଆଇଏଫ୍ଏଫ୍ ଉପମହାସଚିବ କେ ସତ୍ୟନାରାୟଣ କହିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ଫୁଟବଲ୍ ଦଳ ଗତ ୮ମାସ ଭିତରେ ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଏପରିକି ଗତମାସ ୧୦ ତାରିଖରେ ଖେଳିଥିବା ଏଏଫ୍ସି ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ନିଜଠୁ କମ୍ ମାନ୍ୟତାପ୍ରାପ୍ତ ହଂକଂଠାରୁ ହାରିଥିଲା। ଚଳିତବର୍ଷ ଟିମ୍ ଇଣ୍ଡିଆ ଖେଳିଥିବା ଚାରିଟି ମ୍ୟାଚ୍ରୁ ଦୁଇଟି ହାରିଥିଲା ବେଳେ ଗୋଟିଏ ଜିତିଛି ଏବଂ ଗୋଟିଏ ଅମୀମାଂସିତ ରଖିଛି। ଏକମାତ୍ର ବିଜୟ ମାଳଦୀପ ବିପକ୍ଷରେ ହାସଲ କରିଛି। ଯେଉଁଥି ପାଇଁ ମାର୍କ୍ବେଜ୍ ସମାଲୋଚିତ ହୋଇ ଆସୁଥିଲେ।
Follow Us