ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକଙ୍କ ଉପରେ ନଜର

Advertisment
ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକଙ୍କ ଉପରେ ନଜର

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ ଆଥ୍‌ଲେଟିକ୍ସ ଟ୍ରାକ୍‌କୁ ଶନିବାର ‌ଫେରିବ ଏକ ପ୍ରମୁଖ ପ୍ରତିଯୋଗିତା। ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶନିବାର ସଂଧ୍ୟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ପଡ଼ିଆରେ ଥିବା ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ଅଭ୍ୟାସ ପଡ଼ିଆରେ ଏହା ଖେଳାଯିବ। ପୁରୁଷ ବିଭାଗର ଟ୍ରିପଲ୍ ଜମ୍ପ୍‌ ଓ ତ‌ିନୋଟି ମହିଳା ଥ୍ରୋ ଇଭେଣ୍ଟ୍‌ ସହିତ ୨୦୦ ମିଟର୍‌ ସ୍ପ୍ରିଣ୍ଟ୍‌ ପ୍ରତିଯୋଗିତା ଆକର୍ଷଣରେ ରହିବ। ଓଡ଼ିଶାର ଦୁଇ ଆଗଧାଡ଼ିର ଖେଳାଳି ୨୦୦ ମିଟର୍ ରେକର୍ଡଧାରୀ ଅମିୟ ମଲ୍ଲିକ ଓ ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଯଥାକ୍ରମେ ପୁରୁଷ ଓ ମହିଳା ୨୦୦ ମିଟରରେ ଅଂଶଗ୍ରହଣ କରିବେ। ୩୧ ବ‌ର୍ଷୀୟା ଶ୍ରାବଣୀ ପ୍ରାୟ ୪ ବର୍ଷ ପରେ ପ୍ରଥମ ଥର ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।

ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ଜାମାଇକାରେ ପ୍ରସ୍ତୁତି ପାଇଁ ଯାଇଥିବା ଶ୍ରାବଣୀ କୋଭିଡ୍‌ ପରିସ୍ଥିତି ଓ ଭିସା ସମସ୍ୟା ପାଇଁ ସେଠାରୁ ଫେରିପାରିନଥିଲେ। ଗତ ସପ୍ତାହରେ ଭୁବନେଶ୍ବର ଫେରି ସେ ଏହି ପ୍ରତିଯୋଗିତା ଉପରେ ଏକାଗ୍ର ରହିଛନ୍ତି। ଜାମାଇକାରେ ସେ ତାଲିମ ବେଳେ ମାର୍ଚ୍ଚ ୨୬ରେ ୨୩.୬୮ ସେକେଣ୍ଡ୍‌ ସହ ଚଳିତ ବର୍ଷର ଶ୍ରେଷ୍ଠ ସମୟ ହାସଲ କରିଥିଲେ। ଭାରତର ଅନ୍ୟ ଧାବିକାମା‌ନେ ଏବେ ତୁର୍କିରେ ଥିବାରୁ ଶ୍ରାବଣୀଙ୍କ ପାଇଁ ଏଠାରେ ପ୍ରଧାନ୍ୟ ବିସ୍ତାର କରିବାର ସୁଯୋଗ ମଧ୍ୟ ରହିବ। ସେହିଭଳି ମହିଳା ଥ୍ରୋରେ ଆଭା ଖଟୁଆ ଓ ମନପ୍ରୀତ୍ କୌର୍ (ସଟ୍‌ପୁଟ୍‌), ନଭନୀତ୍‌ କୌର୍‌ ଧୀଲୋଁ (ଡିସ୍‌କସ୍‌) ଏବଂ ସରିତା ରମିତ୍ ସିଂହ (ହାମର୍‌‌ ଥ୍ରୋ)ଙ୍କ ଉପରେ ମଧ୍ୟ ପ୍ରଶଂସକମାନଙ୍କ ଦୃଷ୍ଟି ନିବଦ୍ଧ ରହିବ। ଟ୍ରିପଲ୍ ଜମ୍ପରେ ଏଧୋସ୍‌ ପଲ୍‌, ଅବଦୁଲ୍ଲା ଅବୁବାକର, କାର୍ତିକ ଉନ୍ନିକ୍ରିଷ୍ଣନ୍‌ ଓ ଗୌଲି ବେଣିଷ୍ଟର୍‌ ଦେବସହାୟମଙ୍କ ମଧ୍ୟରେ ଟକ୍କର ହେବ। ଶନିବାର ଅପରାହ୍ନ ୫ଟାରୁ ପୁରୁଷ ପୋଲ୍ ଭଲ୍ଟରୁ ଅଭିଯାନ ଆରମ୍ଭ ହେବ ଏବଂ ମହିଳା ୫୦୦୦ ମିଟର୍‌ ଦୌଡ଼ରେ ଶେଷ ହେବ। ମଙ୍ଗଳବାର ମଧ୍ୟ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୪ ଖେଳାଯିବ। ଶେଷ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୧୮ରେ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଖେଳାଯାଇଥିଲା। ୨୦୧୭ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ବେଳେ ମାତ୍ର ୯୦ ଦିନ ଭିତରେ ନୂଆ ଟ୍ରାକ୍‌ ବିଛାଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe