ଭାରତୀୟ ହକି ପ୍ରଶିକ୍ଷକ ରିଡ୍‌ଙ୍କ ଇସ୍ତଫା; ପରିବର୍ତ୍ତନ ସର୍ବଦା ଭଲ: ଅଜିତ ପାଲ ସିଂହ

Advertisment

ଇସ୍ତଫା ଦେବାର ସମୟ ନୁହେଁ: ସର୍ଦାର ସିଂହ

ଇସ୍ତଫା ଦେବାର ସମୟ ନୁହେଁ: ସର୍ଦାର ସିଂହ

ଭାରତୀୟ ହକି ପ୍ରଶିକ୍ଷକ ରିଡ୍‌ଙ୍କ ଇସ୍ତଫା; ପରିବର୍ତ୍ତନ ସର୍ବଦା ଭଲ: ଅଜିତ ପାଲ ସିଂହ

ଭୁବନେଶ୍ବର, ୩୦/୧ (ଇମିସ): ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହକି ବିଶ୍ବକପ୍‌ ଶେଷ ହେବାର ଗୋଟିଏ ଦିନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଇସ୍ତଫା ଦେଇଛନ୍ତି। ସୋମବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ରିଡ୍‌ଙ୍କ ସହ ପ୍ରଶିକ୍ଷଣ ମଣ୍ଡଳିରେ ଥିବା ଆନାଲିଟିକାଲ ପ୍ରଶିକ୍ଷକ ଗ୍ରେଗ୍‌ କ୍ଲାର୍କ ଓ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ ପେମବର୍ଟନ ମଧ୍ୟ ନିଜ ନିଜ ପଦ ଛାଡ଼ିଛନ୍ତି। ‘‘ରିଡ୍‌ଙ୍କ ସହ କ୍ଲାର୍କ ଓ ପେମ୍‌ବର୍ଟନ ନିଜ ନିଜର ଇସ୍ତଫା ପତ୍ର ଦେଇଛନ୍ତି। କିନ୍ତୁ ଏହି ୩ ଜଣ ଗୋଟିଏ ମାସ ପର୍ଯ୍ୟନ୍ତ (୩୦ ଦିନିଆ ନୋଟିସ ପିରିୟଡ) ଦଳ ପାଇଁ କାମ କରିବେ’’ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଦଳର କାର୍ଯ୍ୟଦକ୍ଷତା ଏବଂ ରଣନୀତି ବିଷୟରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଏବଂ ସମ୍ପାଦକ ଭୋଲନାଥ ସିଂହ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଲୋଚନା କରିବା ପରେ ରିଡ୍‌ ଏହି ନିଷ୍ପତ୍ତି ନେଇଥିଲେ।

ଭାରତ ଏହି ବିଶ୍ବକପ୍‌ର କ୍ରସ୍‌ ଓଭରରେ ନ୍ୟୁଜିଲାଣ୍ଡଠୁ ସୁଟ୍‌ଆଉଟ୍‌ରେ ହାରି କ୍ବାର୍ଟର ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ଏହାପରେ ଦଳ ଦୁଇଟି କ୍ଲାସିଫିକେସନ ମ୍ୟାଚ୍‌ ଜିତି ଆର୍ଜେଣ୍ଟିନା ସହ ଯୁଗ୍ମ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ୫୮ ବର୍ଷୀୟ ଏହି ଅ‌‌ଷ୍ଟ୍ରେଲୀୟ ୨୦୧୯ ଏପ୍ରିଲ୍‌ରେ ଭାରତର ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସକ କାଂସ୍ୟ ଜିତିବାର ଗୌରବ ପାଇଥିଲା। ରିଡ୍‌ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ ରାଜ୍ୟଗୋ‌ଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଭାରତୀୟ ଦଳର ଦାୟିତ୍ବରେ ମଧ୍ୟ ରହିଥିଲେ। ଏଥିସହ ଏମାନେ ଏଫ୍‌ଆଇଏଚ୍‌ ‌ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ ଦଳର କାଂସ୍ୟ ବିଜୟରେ ମଧ୍ୟ ଅବଦାନ ରଖିଥିଲେ। ‘‘ବର୍ତ୍ତମାନ ସମୟ ଆସିଛି, ଏହି କାର୍ଯ୍ୟକୁ ଅନ୍ୟକୁ ହସ୍ତାନ୍ତର କରିବାର। ଦଳ, ହକି ଇଣ୍ଡିଆ ସହ କାମ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ଦଳ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛି। ଭବିଷ୍ୟତ ପାଇଁ ଭାରତୀୟ ଦଳକୁ ଅନେକ ଶୁଭେଚ୍ଛା’’ ବୋଲି ଇସ୍ତଫା ପରେ ରିଡ୍‌ କହିଛନ୍ତି। ରିଡ୍‌ ଏବଂ ତାଙ୍କ ପ୍ରଶିକ୍ଷଣ ମଣ୍ଡଳି ନିକଟରେ ଆମେ କୃତଜ୍ଞ। ସେମାନେ ଅଲିମ୍ପିକ୍‌ ସହ ଭାରତ ପାଇଁ ଅନେକ ସଫଳତା ଆଣିଛନ୍ତି। ସମୟ ଅନୁଯାୟୀ ଦଳକୁ ନୂଆ ଆଭିମୁଖ୍ୟରେ ଚାଲିବାକୁ ପଡ଼ିବ ବୋଲି ରିଡ୍‌,କ୍ଲାର୍କ, ମିଚେଲଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ପରେ କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି।

publive-image

ପରିବର୍ତ୍ତନ ସର୍ବଦା ଭଲ: ଅଜିତ ପାଲ ସିଂହ
ସୋମବାର ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାକୁ ହକି କିଂବଦନ୍ତି ତଥା ୧୯୭୫ ବିଶ୍ବକପ୍‌ ବିଜେତା ଭାରତୀୟ ଦଳ ଅଧିନାୟକ ଅଜିତ ପାଲ୍‌ ସିଂହ ଯଥାର୍ଥ ବୋଲି କହିଛନ୍ତି। ‘‘ଗ୍ରାହମ ରିଡ୍‌ଙ୍କ ଇସ୍ତଫା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ବିଶ୍ବକପ୍‌ ପରାଜୟ ନେଇ କାହାକୁ ଦୋଷ ଦେବାକୁ ପଡ଼ିବ। ଅଲିମ୍ପିକ୍‌ କାଂସ୍ୟ ପଦକ ଜିତିଥିବାରୁ ବିଶ୍ବକପ୍‌ରେ ଭାରତଠୁ ବହୁତ ଆଶା ଥିଲା। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଆମର ପ୍ରଦର୍ଶନ ଭଲ ନଥିଲା। ଆମେ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲୁ। ଏହା ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ପରିବର୍ତ୍ତନ ସର୍ବଦା ଭଲ। ମୋ ମତରେ ରିଡ୍‌ଙ୍କ ଇସ୍ତଫା ଭାରତୀୟ ଦଳ ପାଇଁ ନିଶ୍ଚିତ ଭଲ। ମୁଁ ଭାବୁଛି ଦଳକୁ ଜଣେ ନୂତନ ଚିନ୍ତାଧାରାର ବ୍ୟକ୍ତି ଆବଶ୍ୟକ। ଯିଏ ଦଳକୁ ପୁଣି ଥରେ ସ୍ଥିତିକୁ ଫେରାଇ ଆଣିବ’’ ବୋଲି ଅଜିତ ପାଲ୍‌ ସିଂହ କହିଛନ୍ତି। ଅଜିତଙ୍କ ନେତୃତ୍ବରେ ଭାରତ ୧୯୭୫ରେ କୁଆଲାଲମ୍ପୁରରେ ଆୟୋଜିତ ବିଶ୍ବକପ୍‌ରେ ବିଜେତା ହୋଇଥିଲା। ଭାରତର ପରାଜୟରେ ସେ ମଧ୍ୟ ଚୟନକର୍ତ୍ତାଙ୍କୁ ଦାୟୀ କରିଛନ୍ତି। ‘‘ଖରାପ ପ୍ରଦର୍ଶନ ପାଇଁ ଚୟନକର୍ତ୍ତା ମଧ୍ୟ ଦାୟୀ ରହିବା ଉଚିତ। କାରଣ ଖେଳାଳିମାନେ ବିଶ୍ବକପ୍‌ରେ କ୍ଲାନ୍ତ ହୋଇପଡ଼ୁ ଥିବା ଜଣାପଡ଼ୁଥିଲେ। ମୁଁ ଭାବୁଛି ଅଲିମ୍ପିକ୍‌ କାଂସ୍ୟ ବିଜେତା ଦଳରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନଥିଲା। ଅଧିନାୟକ ମଧ୍ୟ ବଦଳାଇବାର ନଥିଲା’’ ବୋଲି ୭୫ ବର୍ଷୀୟ ଅଜିତ ପାଲ୍ କହିଛନ୍ତି।

ଇସ୍ତଫା ଦେବାର ସମୟ ନୁହେଁ: ସର୍ଦାର ସିଂହ

ଭାରତୀୟ ହକିକୁ ବହୁ ପ୍ରତୀକ୍ଷିତ ଅଲିମ୍ପିକ୍ ପଦକ ଦେଇଥିବା ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ଇସ୍ତଫା ଦେବାର ଏହା ସଠିକ୍‌ ସମୟ ନୁହେଁ। କାରଣ ଚଳିତ ବର୍ଷ ଏସୀୟ କ୍ରୀଡ଼ା ଥିଲା ବେଳେ ଆସନ୍ତା ବର୍ଷ ଅଲିମ୍ପିକ୍‌। ଏବେ ହକି ଇଣ୍ଡିଆ କ’ଣ ନିଷ୍ପତ୍ତି ନେଉଛି ଦେଖିବାର ଅଛି। ମୋର ବିଶ୍ବାସ ହକି ଇଣ୍ଡିଆ ନିକଟରେ ନିଶ୍ଚିତ ଭଲ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବ। ଯିଏ ଦଳକୁ ପରବର୍ତ୍ତୀ ସ୍ତରକୁ ନେଇପାରିବ। ହକି ଇଣ୍ଡିଆର ମନରେ କ’ଣ ଅଛି ମୁଁ ଜାଣେ ନାହିଁ, ରିଡ୍‌ଙ୍କ ଇସ୍ତଫା ଗ୍ରହଣ କରିବା ପୂର୍ବରୁ ସେମାନଙ୍କ ମନରେ କିଛି ଥାଇପାରେ। ଏହି ବିଫଳତା ଲାଗି ଖେଳାଳିଙ୍କୁ ମଧ୍ୟ କିଛି ଦାୟୀ କରିବାକୁ ପଡ଼ିବ। ଜଣେ ପ୍ରଶିକ୍ଷକ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବ ଏବଂ ରଣନୀତି ପ୍ରସ୍ତୁତ କରିବ। ଟର୍ଫରେ ପ୍ରଦର୍ଶନ ଖେଳାଳିଙ୍କ ଦାୟିତ୍ବ ବୋଲି ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଭାରତୀୟ ଅଧିନାୟକ ସର୍ଦାର ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe