ଭାରତୀୟ ହକି ଦଳ ଅଲିମ୍ପିକ୍ସ ପଦକ ଜିତିବ: ଦୀପକ ଠାକୁର

ଭାରତୀୟ ହକି ଦଳ ଅଲିମ୍ପିକ୍ସ ପଦକ ଜିତିବ: ଦୀପକ ଠାକୁର

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହତ ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଅଲିମ୍ପିକ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗଢ଼ିତୋଳିବା। ଅର୍ଜୁନ ପୁରସ୍କାର ବିଜେତା ହକି ଅଲିମ୍ପିଆନ୍‌ ଦୀପକ ଠାକୁର କିନ୍ତୁ କହିଛନ୍ତି, ଦେଶରୁ ହକି ଅଲିମ୍ପିଆନ୍‌ ଖୋଜିବାର ସମୟ ଶେଷ ହୋଇଯାଇଛି। ଏବେ ଅଲିମ୍ପିକ୍ସ ପଦକ ବିଜେତାର ସନ୍ଧାନ ଚାଲିଛି। ମୁଁ ଦୃଢ଼ ନିଶ୍ଚିତ ଭାରତୀୟ ଦଳ ପରବର୍ତୀ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି କହିଥିଲେ ଏହି ୩୯ ବର୍ଷୀୟ ସଫଳ ଫରୱାର୍ଡ। ବର୍ଷ ବର୍ଷ ଧରି ଯେଭଳି ଖେଳର ବିକାଶ ଘଟୁଛି ଅଲିମ୍ପିକ୍ସ ପଦକ ନିଶ୍ଚିତ ନିକଟତର ହୋଇଛି ବୋଲି କହିଛନ୍ତି ଦୀପକ। ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଭୁବନେଶ୍ବରରେ ପ୍ରତିଭା ଅନ୍ବେଷଣ ଦାୟିତ୍ବରେ ରହିଥିବା ଦୀପକଙ୍କ ବିଶ୍ବାସ ଭାରତ ସରକାରଙ୍କ ଏହି ପ୍ରୟାସ ଖେଳକୁ ନୂଆ ସ୍ତରକୁ ନେବ, ଏପରିକି ନିକଟ ଭବିଷ୍ୟତରେ ଦେଶକୁ ବିଶ୍ବସ୍ତରୀୟ ଶକ୍ତିଭାବେ ଉଭା କରାଇବାରେ ପ୍ରମୁଖ ଭୂମିକା ନେବ। ସମସ୍ତ ବୟସ ବର୍ଗ ଲୋକଙ୍କ ମଧ୍ୟରେ ଏକ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଭୁବନେଶ୍ବର ଓ କଟକରେ ଏବେ ଯେଭଳି କ୍ରୀଡ଼ା ପରିବେଶ ସୃଷ୍ଟି ହୋଇଛି ଯେ ତାହା ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅନୁଭବ ଦେଇଛି। ଏହା ଦ୍ବାରା ଯୁବ ଖେଳାଳିମାନେ ନିଜ ପାଇଁ ବଡ଼ ଲକ୍ଷ୍ୟ ରଖିବେ ଏବଂ ଭାରତ ଖୁବ୍ ଶୀଘ୍ର ଏକ କ୍ରୀଡ଼ା ରାଷ୍ଟ୍ର ହୋଇପାରିବ। ମୁଁ ପ୍ରତିଭା ଅନ୍ବେଷଣ ସମୟରେ ମଧ୍ୟ ଦେଖୁଛି ବିଭିନ୍ନ ଶୃଙ୍ଖଳାରେ ଉଚ୍ଚସ୍ତରର ପ୍ରତିଦ୍ବନ୍ଦ୍ବିତା ହେଉଛି। ବିଗତ ଦିନ ତୁଳନାରେ ଏହା ଢେର ଉନ୍ନତ। ମୋ ଖେଳ ଜୀବନ ସମୟ କଥା ମନେ ପଡିଲେ ଏଭଳି ସୁଯୋଗ ଦେଖି ଈର୍ଷା ହେଉଛି। ଆମକୁ ଏଭଳି ସୁଯୋଗ ମିଳୁନଥିଲା। ସମୟରେ ଢେର ପରିବର୍ତନ ଘଟିଛି।

କ୍ରୀଡ଼ା ମନ୍ତ୍ରଣାଳୟ ସହିତ ସାକ୍ଷାତ ହୋଇଛି। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସକରାତ୍ମକ ରହିଛନ୍ତି। ଭାରତୀୟ କ୍ରୀଡ଼ାକୁ ଏଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଉଚ୍ଚ ସ୍ତରକୁ ନେଇ ପାରିବେ। ଏଭଳି ଆଭିମୁଖ୍ୟ କାରଣରୁ ଦେଶରେ କ୍ରିକେଟ୍‌ ତୃଣମୂଳସ୍ତରରୁ ବ୍ୟବସ୍ଥିତ ହୋଇପାରିଛି ବୋଲି କହିଥିଲେ ଏହି ୨୦୦୧ ହୋବାର୍ଟ କନିଷ୍ଠ ବିଶ୍ବକପ୍‌ ବିଜେତା ତାରକା। ମୁଁ ଏବେ ଚଣ୍ଡୀଗଡ଼ସ୍ଥିତ ଖେଲୋ ଇଣ୍ଡିଆ ହକି ଏକାଡେମିର ପ୍ରଶିକ୍ଷକ ରହିଛି। ଏଠାରୁ ଚିହ୍ନଟ ହୋଇ କିଛି ହକି ପ୍ରତିଭା ମଧ୍ୟ ଜାତୀୟ ଶିବିରରେ ଅବତୀର୍ଣ୍ଣ ହେବେ। ଦିନେ ନା ଦିନେ ସେମା‌ନେ ଦେଶର ପ୍ରତିନିଧିତ୍ବ କରିବେ। କ୍ରୀଡ଼ାମନ୍ତ୍ରୀଙ୍କୁ ସାକ୍ଷାତବେଳେ ମଧ୍ୟ ପୂର୍ବତନ ଅଲିମ୍ପିଆନ୍‌ ମାନଙ୍କୁ ଆଣି ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରିବା ବିଷୟରେ ଆଲୋଚନା କରିଛି‌ ବୋଲି ଠାକୁର ସୂଚନା ଦେଇଥିଲେ। ୨୦୦୧ ହୋବାର୍ଟ କନିଷ୍ଠ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ହ୍ୟାଟ୍ରିକ୍ ନେବା ଏବଂ ସେହି ସଂସ୍କରଣରେ ମଧ୍ୟ ସର୍ବାଧିକ ଗୋଲ୍‌ ସ୍କୋରର୍ ହୋଇଥିଲେ ଦୀପକ। ୧୯୯୯ରେ ଜର୍ମାନି ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ୨୦୦୦ ସିଡନି ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦୨ ବୁସାନ ଏସି‌ଆଡ୍‌ ରୌପ୍ୟ ବିଜୟୀ ଦଳର ସଦସ୍ୟ ଭାବେ ବରିଷ୍ଠ ବର୍ଗରେ ଶ୍ରେଷ୍ଠ ସଫଳତା ରଖିଛନ୍ତି। ୨୦୦୪ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ଖେଳ ଜୀବନ ସମୟରେ ଆକ୍ରମଣାତ୍ମକ ହକି ପାଇଁ ଦୀପକ ବେଶ୍‌ ପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe