New Delhi: India's Mc Mary Kom (blue) punches Altansetseg Lutsaikhan during their Light Fly category bout at the first India Open Boxing tournament in New Delhi on Wednesday. PTI Photo by Gurinder Osan (PTI1_31_2018_000124B)
ନୂଆଦିଲ୍ଲୀ: ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍ସି ମେରି କମ୍ (୪୮ କେଜି), ଏଲ୍ ସରିତା ଦେବୀ (୬୦ କେଜି) ଏବଂ ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସୋନିଆ ଲାଥେର୍ (୫୭ କେଜି) ଏଠାରେ ଚାଲିଥିବା ୧୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଣ୍ଡିଆ ଓପନ୍ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ୍ରେ ସ୍ଥାନ ପକ୍କା କରିନେଇଛନ୍ତି। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ବିଜେତା ମନୋଜ କୁମାର (୬୯ କେଜି) ଏବଂ ଶିବ ଥାପ୍ପା (୬୦ କେଜି) ସେମିଫାଇନାଲ୍ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।
କ୍ୱାର୍ଟର ଫାଇନାଲ୍ରେ ନିଜ ଦେଶର କେ ବୀଣା ଦେବୀଙ୍କୁ ୫-୦ରେ ପରାସ୍ତ କରିଥିବା ଦ୍ୱାଦଶ ମାନ୍ୟତା ମେରି କମ୍ ବୁଧବାର ସେମିଫାଇନାଲ୍ରେ ମଙ୍ଗୋଲିଆର ଅଲ୍ତାନ୍ସେସେଗ୍ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି କ୍ୱାର୍ଟର ଫାଇନାଲ୍ରେ ଥାଇଲାଣ୍ଡ୍ର ପିମ୍ଲୁଇ ଲାଓପେମ୍ଙ୍କୁ ୪-୧ରେ ପରାସ୍ତ କରିଥିବା ଏଲ୍ ସରିତା ଦେବୀ ସେମିଫାଇନାଲ୍ରେ ଅନ୍ୟତମ ଭାରତୀୟ ପ୍ରିୟଙ୍କା ଚୌଧୁରୀଙ୍କୁ ଏବଂ ସୋନିଆ ବିଶ୍ୱ ଯୁବ ବିଜୟିନୀ ତଥା ଶୀର୍ଷ ମାନ୍ୟତା ଶଶି ଚୋପ୍ରାଙ୍କୁ ପରାସ୍ତ କରି ଫାଇନାଲ୍ ପ୍ରବେଶ କରିଛନ୍ତି। ଫାଇନାଲ୍ରେ ମେରି କମ୍ଙ୍କ ମୁକାବିଲା ଫିଲିପାଇନ୍ସର ଜୋସି ଗାବୁକୋଙ୍କ ସହ ହେବାକୁ ଥିଲା ବେଳେ ଏଲ୍ ସରିତା ଦେବୀ ଅଲିମ୍ପିକ୍ ତଥା ବିଶ୍ୱ ପ୍ରତିଯୋଗିତାର କାଂସ୍ୟ ବିଜୟିନୀ ଫିନ୍ଲାଣ୍ଡ୍ର ମୀରା ପୋଟ୍କୋନେନ୍ ଏବଂ ସୋନିଆ ଫିଲିପାଇନ୍ସର ନେସ୍ତି ପେଟେସିଓଙ୍କ ସହ ଲଢ଼ିବେ। ସେହିପରି ଏସୀୟ କାଂସ୍ୟ ବିଜେତା ତଥା ଲାଇଟ୍ ଫ୍ଲାଇେଓ୍ଵଟ୍ (୪୯ କେଜି) ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅମିତ୍ ପଘଂଲ ନିଜ ଦେଶର ନୁତ୍ଲାଇ ଲାଲ୍ବ୍ୟାକିମାଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ତିନିଥର କିଙ୍ଗ୍ସ କପ୍ ସ୍ୱର୍ଣ୍ଣ ବିଜେତା କେ ଶ୍ୟାମ କୁମାର (୪୯ କେଜି), ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ସତୀଶ କୁମାର (୯୧ କେଜିରୁ ଅଧିକ) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ପିଙ୍କି ଜାଙ୍ଗ୍ରା (୫୧ କେଜି) ମଧ୍ୟ ନିଜ ନିଜ ସେମିଫାଇନାଲ୍ ଲଢ଼େଇ ଜିତି ଫାଇନାଲ୍ ପ୍ରବେଶ କରିଛନ୍ତି। ତେବେ ପୁରୁଷ ବର୍ଗରେ ବିଶ୍ୱ ଓ ଏସୀୟ ପଦକ ବିଜେତା ଶିବ ନିଜ ଦେଶର ମନୀଷ କୌଶିକ୍ଙ୍କ ନିକଟରୁ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ବିଜେତା ମନୋଜ କୁମାର ମଧ୍ୟ ନିଜ ଦେଶର ଦୀନେଶଙ୍କଠୁ ସେମିଫାଇନାଲ୍ ଲଢ଼େଇ ହାରି କାଂସ୍ୟ ପଦକ ହାସଲ କରିଛନ୍ତି। ଗତବର୍ଷ ଜାତୀୟ ପ୍ରତିଯୋଗିତା ଫାଇନାଲ୍ ପରେ ମନୀଷଙ୍କ ନିକଟରୁ ଶିବଙ୍କର ଏହା ଦ୍ୱିତୀୟ ପରାଜୟ।
ଅନ୍ୟପକ୍ଷରେ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ସରଜୁବାଳା ଦେବୀ (୫୧ କେଜି), ଜାତୀୟ ବିଜୟିନୀ ତଥା ଦ୍ୱିତୀୟ ମାନ୍ୟତା ସିମ୍ରନ୍ଜିତ୍ କୌର (୬୪ କେଜି) ସେମିଫାଇନାଲ୍ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ଏସୀୟ ରୌପ୍ୟ ପଦକ ବିଜେତା ସୁମିତ୍ ସାଙ୍ଗ୍ଓ୍ଵନ୍ (୯୧ କେଜି) ଆହତ ଯୋଗୁଁ ସେମିଫାଇନାଲ୍ ଲଢ଼େଇ ଅଧାରୁ ଓହରିଯାଇ ପଦକ ହାତଛଡ଼ା କରିଥିଲେ।
Follow Us