ଇଣ୍ଡିଆନ୍‌ ଓପନ୍‌ ଜାତୀୟ ପାରା ଦୌଡକୁଦ: ଜୟନ୍ତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ, ପ୍ରଫୁଲ୍ଲ ବି ଜିତିଲେ ସ୍ବର୍ଣ୍ଣ, ଓଡ଼ିଶାକୁ ୬ ପଦକ

Advertisment
ଇଣ୍ଡିଆନ୍‌ ଓପନ୍‌ ଜାତୀୟ ପାରା ଦୌଡକୁଦ: ଜୟନ୍ତୀଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ, ପ୍ରଫୁଲ୍ଲ ବି ଜିତିଲେ ସ୍ବର୍ଣ୍ଣ, ଓଡ଼ିଶାକୁ ୬ ପଦକ

ଭୁବନେଶ୍ବର : ଇଣ୍ଡିଆନ୍‌ ଓପନ୍‌ ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣରେ ଓଡ଼ିଶା ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ସହିତ ମୋଟ ୬ ପଦକରେ ଅଭିଯାନ ଶେଷ କରିଛି। ବେଙ୍ଗାଲୁରୁର ଶ୍ରୀକାନ୍ତୀରଭା ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଦୁଇ ଦିନିଆ ପ୍ରତିଯୋଗିତାର ପ୍ରଥମ ଦିନ ୨ ପଦକ ପାଇଥିବା ଓଡ଼ିଶା ଶୁକ୍ରବାର ଶେଷ ଦିନରେ ଆଉ ୪ ପଦକ ଯୋଡ଼ିଥିଲା। ପ୍ରଥମ ଦିବସରେ ମହିଳା ଟି-୪୭ ବର୍ଗ ୧୦୦ ମିଟରରେ ସ୍ବର୍ଣ୍ଣ ଜିତିଥିବା ଜୟନ୍ତୀ ବେହେରା ଶୁକ୍ରବାର ଦ୍ବିତୀୟ ଦିବସରେ ୨୦୦ ମିଟରରେ ସ୍ବର୍ଣ୍ଣ ଏବଂ ୪୦୦ ମିଟରରେ ରୌପ୍ୟ ପଦକ କରାୟତ୍ତ କରି ପଦକ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ୨୦୦ ମିଟ‌ରରେ ଜୟନ୍ତୀ ୨୮.୩୯ ସେକେଣ୍ଡରେ ରେସ୍‌ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ଆନ୍ଧ୍ରପ୍ରଦେଶର‌ ଭାଲାସାଙ୍ଗାରି ଭାଭା (୩୧.୫୩) ଦ୍ୱିତୀୟ ଏବଂ ଉତ୍ତରପ୍ରଦେଶର ପ୍ରୀତି ପାଲ (୩୨.୮୧) ତୃତୀୟରେ ରହି ଯଥାକ୍ରମେ ‌ରୌପ୍ୟ ଓ କାଂସ୍ୟ ଜିତିଥିଲେ। ସେହିପରି ୪୦୦ ମିଟରକୁ ଜୟନ୍ତୀ ୧:୩.୨୭ ସେକେଣ୍ଡରେ ଶେଷ କରି ଦ୍ବିତୀୟରେ ରହିଥିଲେ।

ଶୁକ୍ରବାର ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଭେଟି ଦେଇଥିଲେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ। ପ୍ରଫୁଲ୍ଲ ହୁଇଲଚେୟାର ଏଫ୍‌-୫୪ ବର୍ଗ ଜାଭ୍‌ଲନ୍‌ରେ ଏହି ପଦକ ଜିତିଥିଲେ। ସେ ବ୍ୟକ୍ତିଗତ ଶ୍ରେଷ୍ଠ ୨୦.୧୮ ମିଟର ଜାଭ୍‌ଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ଦିନ ପୁରୁଷ ଟି-୪୪ ବର୍ଗ ୧୦୦ ମିଟରରେ କାଂସ୍ୟ ପଦକ ଜିତିଥିବା ରଶ୍ମିରଞ୍ଜନ ମଲ୍ଲିକ ଶେଷ ଦିନରେ ଆଉ ଏକ କାଂସ୍ୟ ଯୋଡ଼ିଥିଲେ। ସେ ଲମ୍ବ ଡିଆଁରେ ୫.୮୦ ମିଟର ଡେଇଁ ଏହି ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe