ଇଣ୍ଡିଆନ୍‌ ଓପନ୍‌ କ୍ବାର୍ଟରରେ ସିନ୍ଧୁ, ପ୍ରଣୟ: ସାଇନାଙ୍କୁ ବିଦା କଲେ ମାଳବିକା

Advertisment
ମାଲେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ ଆରମ୍ଭରୁ ବିଦା; ପ୍ରଣୟଙ୍କ ବିଜୟ ଅଭିଯାନ

image credit : ani

ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ଓ ଏଚ୍‌ଏସ୍‌ ପ୍ରଣୟ ଏଠାରେ ଚାଲିଥିବା ଇଣ୍ଡିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ହେଲେ ୨୦୧୨ ଅଲିମ୍ପିକ୍ କାଂସ୍ୟ ବିଜୟିନୀ ସାଇନା ନେହୱାଲଙ୍କ ଅଭିଯାନ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଛି। ପୂର୍ବତନ ବିଜୟିନୀ ସାଇନାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି ୨୦ ବର୍ଷୀୟା ମାଳବିକା ବନ୍‌ସୁଦ। ଗୁରୁବାର କ୍ବାର୍ଟର ଫାଇନାଲ୍‌ରେ ୧୧୧ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୁବତୀ ସିଧାସଳଖ ୨୧-୧୭, ୨୧-୯ରେ ପୂର୍ବତନ ଏକ ନମ୍ବର ସାଇନାଙ୍କୁ ମାତ୍‌ ଦେଇଥିଲେ। କ୍ବାର୍ଟର ଫାଇନାଲ୍‌ରେ ମାଳବିକା ନିଜ ଦେଶର ଆକର୍ଷୀ କଶ୍ୟପଙ୍କୁ ଭେଟିବେ। ଆକର୍ଷୀ ୨୧-୧୦, ୨୧-୧୦ରେ କେୟୁରା ମୋପାଟିନ୍‌ଙ୍କୁ ହରାଇଥିଲେ। ସେହିପରି ଶୀର୍ଷ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୦, ୨୧-୧୦ରେ ଈରା ଶର୍ମାଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଅଶ୍ମିତା ଚହଲଙ୍କୁ ଭେଟିବେ। ଅଶ୍ମିତା ୨୧-୧୭, ୨୧-୧୪ରେ ଫ୍ରାନ୍ସର ୟାଇଲେ ହୋୟାକ୍ସଙ୍କୁ ମାତ୍‌ ଦେଇଥିଲେ।

ପୁରୁଷ ଏକକରେ କୋଭିଡ ପଜିଟିଭ୍‌ ପାଇଁ ମିଥୁନ ମଞ୍ଜୁନାଥ ଓହାରିଯିବାରୁ ପ୍ରଣୟ ୱାକ୍‌ଓଭର ପାଇ କ୍ବାର୍ଟର ସ୍ଥାନ ପକ୍କା କରିଥିଲେ। ମଞ୍ଜୁନାଥଙ୍କ ପରି ଆଉ ୬ ଜଣ ଶୀର୍ଷ ମାନ୍ୟତାପ୍ରାପ୍ତ କିଦାମ୍ବି ଶ୍ରୀକାନ୍ତ, ମହିଳା ଯୁଗଳ ଖେଳାଳି ଅଶ୍ବିନ ପୋନ୍ନାପ୍ପା, ଋତିକା ରାହୁଲ ଠକର, ତ୍ରିଶା ଜଲି, ସିମ୍ରନ ଅମନ ସିଂହ ଓ ଖୁସି ଗୁପ୍ତା କୋଭିଡ ପଜିଟିଭ୍‌ ଯୋଗୁ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ସହ ଅତି ନିକଟର ଥିବା ଏନ୍‌ ସିକ୍କି ‌ରେଡ୍ଡୀ, ଧ୍ରୁବ କପିଳ, ଗାୟତ୍ରୀ ଗୋପୀଚାନ୍ଦ, ଅକ୍ଷନ ସେଟ୍ଟୀ ଓ କାବ୍ୟା ଗୁପ୍ତାଙ୍କ ପଜିଟିଭ୍‌ ନଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ବାଦ୍‌ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe