ସିଡ୍ନି: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳାରେ ଉଭୟ ଦଳର ଜର୍ସି ବେଶ୍ ଚର୍ଚ୍ଚାରେ ରହିବ। ଉଭୟ ଦଳ ନିଜ ନିଜର ପାରମ୍ପରିକ ଜର୍ସିକୁ ବାଦ୍ ଦେଇ ଭିନ୍ନ ଧରଣର ଜାତୀୟ ଜର୍ସି ପିନ୍ଧିବେ। ଭାରତୀୟ ଦଳ ପୁରୁଣା ଜମାନା (୧୯୯୨ ବିଶ୍ବକପ୍ ବେଳର ଅବିକଳ)ର ରେଟ୍ରୋ ସାର୍ଟ ପରିଧାନ କରି ଖେଳିବାକୁ ଥିଲା ବେଳେ ଘରୋଇ ଅଷ୍ଟ୍ରେଲିଆ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ସ୍ବଦେଶୀ ଢାଞ୍ଚାର ଜର୍ସି ପରିଧାନ କରିବ। ଅଷ୍ଟ୍ରେଲିଆର ଏହି ଜର୍ସିକୁ ଦଳର ଜର୍ସି ପ୍ରସ୍ତୁତକାରୀ ଏବଂ ଦୁଇ ସ୍ବଦେଶୀ ମହିଳା ଅଣ୍ଟି ଫିଓନା କ୍ଲାର୍କେ ଓ କୋର୍ଟନି ହାଗେନ୍ ମିଳିତ ଭାବେ ତିଆରି କରିଛନ୍ତି। ନିଜ ନିଜ ଦଳର ନୂଆ ଜର୍ସିକୁ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ପରିଧାନ କରି ଅନାବରଣ କରିଥିଲେ। ଭାରତୀୟ ଜର୍ସିର ରଙ୍ଗ ନୀଳ ଓ କାନ୍ଧରେ ଏକାଧିକ ରଙ୍ଗର ଷ୍ଟ୍ରିପ୍ ରହିଛି। ଯାହାକି ୧୯୯୨ ବିଶ୍ବକପ୍ କିଟ୍ ଭଳି। ଏଠାରେ ସୂଚନାଯୋଗ୍ୟ, ୧୯୯୨ ବିଶ୍ବକପ୍ ପ୍ରଥମ ଆଇସିସି ପ୍ରତିଯୋଗିତା ଥିଲା ଯେଉଁଥିରେ କି ରଙ୍ଗୀନ ଜର୍ସି ଦେଖିବାକୁ ମିଳିଥିଲା। ଭାରତର ଏବର ଜର୍ସି ପ୍ରାୟୋଜକ ଏମ୍ପିଏଲ୍ ରହିଛି। ଭାରତର ଏହି ଜର୍ସିକୁ ପ୍ରଶଂସକ ଓ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ମିଳିଛି। ଧାୱନ୍ ମଧ୍ୟ ନୂଆ ଜର୍ସି ନୂଆ ପ୍ରେରଣା ବୋଲି କହିଥିଲା ବେଳେ ଏହାକୁ ପିନ୍ଧି ଆମେ ଶୃଙ୍ଖଳାରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ।
ଭାରତୀୟ ରେଟ୍ରୋ ସାର୍ଟ ବନାମ ଅଷ୍ଟ୍ରେଲୀୟ ସ୍ବଦେଶୀ ଜର୍ସି
Advertisment
Follow Us