New Indian Express
ନୂଆଦିଲ୍ଲୀ: ଭାରତର ପୂର୍ବତନ ଏସୀୟ ଚାମ୍ପିଅନ୍ସିପ୍ ସଟ୍ପୁଟ୍ କାଂସ୍ୟ ପଦକ ବିଜେତା ଇକ୍ବାଲ୍ ସିଂହ ପତ୍ନୀ ଓ ମା’ଙ୍କୁ ହତ୍ୟା ମାମଲାରେ ଆମେରିକାରେ ଗିରଫ ହୋଇଛନ୍ତି। ପେନସିଲଭାନିଆର ଡେଲାୱାରେରେ ରହୁଥିବା ୬୨ ବର୍ଷୀୟ ଇକ୍ବାଲ ରବିବାର ସକାଳେ ପୋଲିସକୁ ଡାକି ନିଜ ଅପରାଧ ସ୍ୱୀକାର କରିଥିଲେ ବୋଲି ଫିଲାଡେଲଫିଆ ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଇକ୍ବାଲ୍ଙ୍କ ଘରେ ପୁଲିସ ପହଞ୍ଚିଲା ବେଳେ ଦୁଇ ଜଣ ମହିଳାଙ୍କ ମୃତ ଦେହ ପଡ଼ିଥିଲା। ଇକ୍ବାଲ୍ ନିଜେ ମଧ୍ୟ ଆହତ ହୋଇଥିଲେ। ତାଙ୍କ ମା’ ନସିବ କୌରଙ୍କ ବେକ କଟିଥିଲା ବେଳେ ସେ ପ୍ରଥମ ମହାଲାରେ ମରି ପଡ଼ିଥିଲେ। ପତ୍ନୀ ଯଶପାଲ କୌର ସିଡ଼ିରେ ମରି ପଡ଼ିଥିଲେ।
ଇକ୍ବାଲ୍ଙ୍କୁ ପୁଲିସ ଗିରଫ କରିବା ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ସେ ପତ୍ନୀ ଓ ମା’ଙ୍କୁ ମାରିଛନ୍ତି ବୋଲି ମାନି ଯାଇଥିଲେ। ସୋମବାର ସ୍ଥାନୀୟ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ସଂପ୍ରତି ସେ ଜେଲ୍ରେ ଅଛନ୍ତି। ଉଭୟଙ୍କୁ ମାରିବା ପରେ ଇକ୍ବାଲ୍ ତାଙ୍କ ପୁଅ ଓ ଝିଅକୁ ଫୋନ୍ କରି କହିଥିଲେ ଯେ ‘ମୁଁ ତୁମ ମା’ ଓ ଜେଜେ ମା’ଙ୍କୁ ମାରି ଦେଇଛି।’ ଇକ୍ବାଲ୍ କୁଏତରେ ଅନୁଷ୍ଠିତ ୧୯୮୩ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ। ତାଙ୍କ କ୍ରୀଡ଼ା ଜୀବନରେ ଏହା ହେଉଛି ସବୁଠୁ ବଡ଼ ସଫଳତା। ଆମେରିକାରେ ସେ ଜଣେ ଟ୍ୟାକ୍ସି ଚାଳକ ଭାବେ କାମ କରୁଥିଲେ ବୋଲି ସେଠାକାର ଗଣମାଧ୍ୟମରୁ ସୂଚନା ମିଳିଛି।
Follow Us