ଭବିଷ୍ୟତକୁ ନେଇ ଉତ୍କଣ୍ଠାରେ ଭାରତୀୟ ମହିଳା କ୍ରିକେଟର୍‌

Advertisment
ଭବିଷ୍ୟତକୁ ନେଇ ଉତ୍କଣ୍ଠାରେ ଭାରତୀୟ ମହିଳା କ୍ରିକେଟର୍‌

ମୁମ୍ବାଇ: ଭାରତୀୟ ସୀମିତ ଓଭର ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଦେଶରେ ମହିଳା କ୍ରିକେଟର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋଭିଡ୍‌ ମହାମାରୀ କାରଣରୁ ମହିଳା କ୍ରିକେଟର୍‌ମା‌ନେ ଏବେ ଉତ୍କଣ୍ଠା ଭିତରେ ରହିଛନ୍ତି ଏବଂ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ମାର୍ଚ ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ବକପ୍ ଫାଇନାଲ୍ ପରଠାରୁ ଭାରତ ସହ ବିଶ୍ବର ଅନ୍ୟ ସମସ୍ତ ଦଳ କ୍ରିକେଟ୍ ପଡିଆକୁ ଓହ୍ଲାଇନାହାନ୍ତି। ଭାରତୀୟ ଦଳର ପରବର୍ତୀ ଖେଳସୂଚୀକୁ ନେଇ ଅନିଶ୍ଚିତତା ଜାରି ରହିଛି। ଗତ ଜୁଲାଇ-ଅଗଷ୍ଟରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବାର ଥିଲା, କିନ୍ତୁ ଏହାକୁ କୋଭିଡ୍‌ କାରଣରୁ ସ୍ଥଗିତ ରଖାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ବିଚାର କରାଯାଉଥିଲେ ମଧ୍ୟ ଏ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇନଥିବାରୁ ମିତାଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। 'ଭବିଷ୍ୟତ ସୂଚୀ ସମ୍ପର୍କରେ ନ ଜାଣିଲେ ଆମେ କ'ଣ ପାଇଁ ତାଲିମ ନେଉଛୁ? ବୋଲି ମିତାଲି ପ୍ରଶ୍ନ କରିଛନ୍ତି। କେବଳ ଅନ୍ତର୍ଜାତୀୟ କ୍ରିକେଟ୍ ନୁହେଁ ଘରୋଇ କ୍ରିକେଟ୍ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ନାହିଁ ବୋଲି ସେ କହିଛନ୍ତି।

ଯୁବ ଖେଳାଳିଙ୍କ ପାଇଁ ଭବିଷ୍ୟତ ଖେଳସୂଚୀ ସମ୍ପର୍କରେ ଆଗୁଆ ଜାଣିବା ଅଧିକ ଅପରିହାର୍ଯ୍ୟ। ପଡିଆ ବାହାରେ ମଧ୍ୟ ଦେଶରେ ଚଳିତ ବର୍ଷ ମହିଳା କ୍ରିକେଟ୍‌ ଅନେକ ପ୍ରସଙ୍ଗ ଭିତରେ ବୁଡି ରହିଛି। ସମସ୍ତଙ୍କୁ ତାଲିମ ସୁବିଧା ମିଳିପାରିନାହିଁ, ସପୋର୍ଟ ଷ୍ଟାଫ ଓ ସ୍ପୋର୍ଟସ ସାଇକୋଲଜିଷ୍ଟଙ୍କ ସମ୍ପର୍କରେ ମଧ୍ୟ କିଛି ଖୋଜ ଖବର ନାହିଁ। ବିଶ୍ବକପ୍‌ ସହିତ ଚୟନକର୍ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଜୁଲାଇରେ ବିସିସିଆଇ କ୍ରିକେଟ୍‌ ଅପରେସନ୍ସ ମହା ପ୍ରବଂଧକ ସୟଦ ସବା କରିମ୍‌ ପଦ ତ୍ୟାଗ କରିବା ପରଠାରୁ ମହିଳା କ୍ରିକେଟ୍‌ ପାଇଁ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଡବୁଲ୍ୟ ଭି ରମଣଙ୍କ ଚୁକ୍ତି ମଧ୍ୟ ବଢ଼ି ନାହିଁ। ଏଭଳି ପ୍ରତିବଂଧକ ଭିତରେ ମହିଳା କ୍ରିକେଟ୍‌କୁ ବଢ଼ାଇବା ଲକ୍ଷ୍ୟରେ ଥିବା ବିସିସିଆଇକୁ ଖେଳାଳି ଯୋଡ଼ିବା କାମ କଷ୍ଟକର ହେବ ବୋଲି ମିତାଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe