ଭୁବନେଶ୍ବରରେ ଭାରତୀୟ ମହିଳା ହକି ଦଳ: କଳିଙ୍ଗ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ୧୯ ଓ ୨୦ରେ ଭେଟିବ

Advertisment
ଭୁବନେଶ୍ବରରେ ଭାରତୀୟ ମହିଳା ହକି ଦଳ: କଳିଙ୍ଗ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ୧୯ ଓ ୨୦ରେ ଭେଟିବ

ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ହକି ଲିଗ୍‌ର ପ୍ରଥମ ଦୁଇ ମ୍ୟାଚ୍‌ରେ ଚୀନ୍‌କୁ ପରାସ୍ତ କରିବା ପରେ ଭାରତୀୟ ମହିଳା ହକି ଦଳ ଏବେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ଉପରେ ଆଖି ପକାଇଛି। ଏହି ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍ ଜିତି ପୂରା ୬ ପଏଣ୍ଟ ସହ ଯୁଗ୍ମ ଭାବେ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ଫଳରେ ଚଳିତମାସ ୧୯ ଓ ୨୦ ତାରିଖରେ ଉଭୟ ଦଳ ଏଠାରେ ପରସ୍ପର ବିପକ୍ଷରେ ଖେଳିବାକୁ ଯାଉଥିବା ଦୁଇଟି ଯାକ ମ୍ୟାଚ୍ ବେଶ୍ ରୋମାଞ୍ଚଭରା ରହିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳ କିନ୍ତୁ ଏହି ଦୁଇ ମହତ୍ବପୂର୍ଣ୍ଣ ମ୍ୟାଚ୍‌ର ପାଖାପାଖି ତିନି ସପ୍ତାହ ପୂର୍ବରୁ ଭୁବନେଶ୍ବର ଆସି ପ୍ରସ୍ତୁତ ଆରମ୍ଭ କରିବାକୁ ଯୋଜନା ରଖିଛି। ତଦନୁଯାୟୀ ଭାରତୀୟ ଦଳ ବୁଧବାର ଭୁବନେଶ୍ବର ପହଞ୍ଚିଯାଇଛି। ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା କୋଭିଡ୍ ନିୟମାବଳୀ ପାଳନ କରି ସିଧାସଳଖ ଦଳୀୟ ହୋଟେଲକୁ ଯାଇଛନ୍ତି।

ଚୀନ୍‌ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ ଭାରତୀୟ ମହିଳା ଦଳ ଓମାନର ମସ୍କଟଠାରେ ଖେଳି ଲଗାତାର ବିଜୟୀ ହୋଇଥିଲା। କଳିଙ୍ଗ ଷ୍ଟାଡିୟମ୍‌ରେ ମଧ୍ୟ ଭାରତୀୟ ଦଳ ସେହି ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ ସବିତା ପୁନିଆ ଭାରତୀୟ ଦଳର ଅଧିନାୟିକା ଥିଲା ବେଳେ ସ୍ଥାନୀୟ ନାୟିକା ଦୀପଗ୍ରେସ୍ ଏକ୍କାଙ୍କ ଉପରେ ସ୍ଥାନୀୟ ହକିପ୍ରେମୀଙ୍କ ବିଶେଷ ନଜର ରହିବ। ନେଦରଲାଣ୍ଡ୍ସ ବିପକ୍ଷ ଯୁଗଳ ମୁକାବିଲା ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତୀୟ ମହିଳା ହକି ଦଳ ଚଳିତ ମାସ ୨୬ ଓ ୨୭ ତାରିଖରେ ‌ସ୍ପେନ୍‌କୁ ଭେଟିବ। ସେହିଭଳି ଏପ୍ରିଲ ୨ ଓ ୩ ତାରିଖରେ ଏହିଠାରେ ହିଁ ଇଂଲଣ୍ଡ ସହ ଲଢ଼ିବ। ଏହି ପ୍ରତିଯୋଗିତାରେ ଭାରତ, ନେଦରଲାଣ୍ଡ୍ସ, ଇଂଲଣ୍ଡ ଓ ସ୍ପେନ୍ ବ୍ୟତୀତ ବେଲଜିୟମ, ଆର୍ଜେଣ୍ଟିନା, ଆମେରିକା‌, ଜର୍ମାନି ଓ ଚୀନ୍‌ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଅନ୍ତର୍ଗତ ୮ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ର ଖେଳିବ। ଏହି ମ୍ୟାଚ୍‌ଗୁଡ଼ିକ ମଧ୍ୟ ଚଳିତ ଫେବ୍ରୁଆରି ୧୯ରୁ ଏପ୍ରିଲ ୩ ତାରିଖ ମଧ୍ୟରେ ଖେଳାଯିବ। ଏହି ସମୟ ଭିତରେ ଭାରତୀୟ ପୁରୁଷ ହକି ଦଳ ସ୍ପେନ୍, ଜର୍ମାନି, ଆର୍ଜେଣ୍ଟିନା ଓ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe