କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତର ୩ ମ୍ୟାଚ୍

Advertisment
କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତର ୩ ମ୍ୟାଚ୍

ଭୁବନେଶ୍ବର: ଓଡ଼ିଶା ଫୁଟ୍‌ବଲ୍‌ ଜଗତକୁ ବୁଧବାର ମିଳିଛି ବଡ଼ ଖୁସି ଖବର। ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍‌ର ତିନିଟି ମ୍ୟାଚ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଏ ସମସ୍ତ ଗ୍ରୁପ୍ ମ୍ୟାଚ୍ ଆୟୋଜକ ଭାରତ ଖେଳିବ। ମ୍ୟାଚ୍‌ଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ।

ଓଡ଼ିଶା ପୂର୍ବରୁ ସଫଳତାର ସହ କନିଷ୍ଠ ଓ ବରିଷ୍ଠ ହକି ବିଶ୍ବକପ୍ ସହ ଆଇଏସ୍‌ଏଲ୍, ଆଇ-ଲିଗ୍, ଇଣ୍ଡିଆନ୍ ସୁପର କପ୍ ଓ ଭାରତୀୟ ମହିଳା ଲିଗ୍ ଫୁଟବଲ୍ ଭଳି ପ୍ରତିଯୋଗିତାର ସଫଳ ଆୟୋଜକ ହୋଇସାରିଛି। ଓଡ଼ିଶାକୁ ଭାରତ ମ୍ୟାଚ୍ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଜାହିର କରିଛନ୍ତି। ଏକ ପ୍ରେସ୍ ବାର୍ତ୍ତାରେ ସେ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ୍ ଆସନ୍ତା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍‌ରେ ଭାରତର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରୁଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଉଲ୍ଲସିତ। ଓଡ଼ିଶା ଭାରତୀୟ ଦଳକୁ ଆତିଥେୟତା ହେବାକୁ ପ୍ରସ୍ତୁତ ଅଛି। ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଆୟୋଜନ ପରେ ଓଡ଼ିଶା ତାର ସ୍ବର୍ଣ୍ଣିମ କ୍ରୀଡ଼ା ଇତିହାସରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିବ।

ଅନ୍ୟପକ୍ଷରେ ଗୋଆରେ ଉଭୟ ସେମିଫାଇନାଲ୍ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ। ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ବର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ। ଏଥରର ବିଶ୍ବକପ୍‌ରେ ମୋଟ ୨୪ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ ଏବଂ ଏଗୁଡ଼ିକ ଅକ୍ଟୋବର ୧୮ ତାରିଖରେ ଶେଷ ହେବ। ସେହିଭଳି କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟ ଅକ୍ଟୋବର ୨୧ ଓ ୨୨ ତାରିଖରେ ଖେଳାଯିବ। ସେମିଫାଇନାଲ୍ ଅକ୍ଟୋବର ୨୬ ଏବଂ ୩ ଦିନ ପରେ ଉଭୟ ତୃତୀୟ ଏବଂ ଚତୁର୍ଥ ସ୍ଥାନ ମ୍ୟାଚ୍ ସହ ଫାଇନାଲ୍ ଖେଳାଯିବ। ସୂଚନାଯୋଗ୍ୟ ଯେ ଆୟୋଜକ ଭାବେ ଭାରତ ପ୍ରଥମ ଥର ଲାଗି ଏହି ଫୁଟବଲ୍ ମହାକୁମ୍ଭରେ ଅଂଶଗ୍ରହଣ କରିବ। ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ଭାରତ ‘ଏ’ ଗ୍ରୁପ୍‌ରେ ଜାପାନ, ସ୍ପେନ୍ ଓ ଜର୍ମାନୀ ସହ ସ୍ଥାନ ପାଇଛି।
ଅଂଶଗ୍ରହଣକାରୀ ଦଳ: ଭାରତ, ଜାପାନ, ସ୍ପେନ୍, ଜର୍ମାନୀ, ମେକ୍ସିକୋ, କାନାଡା, ବ୍ରାଜିଲ, ନ୍ୟୁଜିଲାଣ୍ଡ, ଆମେରିକା, ନାଇଜେରିଆ, ଫ୍ରାନ୍ସ, ଚୀନ, କଲମ୍ବିଆ, ଚିଲି, ମରକ୍କୋ, ତାଞ୍ଜାନିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe