ସୁଦିରମଣ କପ୍‌ରେ ଭାରତର ଲଗାତାର ପରାଜୟ: ଶ୍ରୀକାନ୍ତଙ୍କ ସାଥୀ ହୋଇ ଖେଳିଲେ ଋତୁପର୍ଣ୍ଣା

Advertisment
ସୁଦିରମଣ କପ୍‌ରେ ଭାରତର ଲଗାତାର ପରାଜୟ: ଶ୍ରୀକାନ୍ତଙ୍କ ସାଥୀ ହୋଇ ଖେଳିଲେ ଋତୁପର୍ଣ୍ଣା

ଭାନ୍ତା: ଚଳିତ ସୁଦିରମଣ କପ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ଗ୍ରୁପ୍‌-ଏର ପ୍ରଥମ ମ୍ୟାଚ୍‌ରେ ଭାରତ ୧-୪ରେ ଥାଇଲାଣ୍ଡଠୁ ହାରିଯିବା ପରେ ସୋମବାର ଚୀନ ନିକଟରୁ ଶୋଚନୀୟ ଭାବେ ୦-୫ରେ ହାରିଛି। ଏଥି ସହ ବୁଧବାର ଫିନଲାଣ୍ଡ୍ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବହୀନ ହୋଇଯାଇଛି। କାରଣ ଭାରତର ନକ୍ ଆଉଟ୍ ଆଶା ଧୂଳିସାତ୍‌ ହୋଇଯାଇଛି। ତାରକା ମହିଳା ଖେଳାଳି ପିଭି ସିନ୍ଧୁ ଏବଂ ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକସାଇରାଜ ‌ରାଙ୍କିରେଡ୍ଡୀ ଓହରି ଯିବାରୁ କିଦାମ୍ବି ଶ୍ରୀକାନ୍ତ ଏବଂ ମହିଳା ଯୋଡ଼ି ଅଶ୍ବିନୀ ପୁନପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ଭାରତୀୟ ଦଳର ନେତୃତ୍ବ ଭାର ନେଇଥିଲେ।

ସୋମବାର ଭାରତର ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର ଅର୍ଜୁନ-ଧୃବ କପିଳ ୨୦-୨୨, ୧୭-୨୧ରେ ଲିଉ ଚେଙ୍ଗ୍‌-ଝୋ ହାଓ ଡଙ୍ଗଠାରୁ ହାରିବାରୁ ଦଳର ଅଭିଯାନ ଆରମ୍ଭ ହୋଇଥିଲା। ଅଲିମ୍ପିକ୍ ବିଜୟିନୀ ଚେନ୍‌ ୟୁ ଫେଇ ୨୧-୯, ୨୧-୮ରେ ଅଦିତି ଭଟ୍ଟଙ୍କୁ, ପୂର୍ବତନ ଅଲ ଇଂଲଣ୍ଡ ବିଜେତା ସି ୟୁକି ୨୧-୧୦, ୨୧-୧୦ରେ ଏକତରଫା ଭାବେ ସାଇ ପ୍ରଣୀତଙ୍କୁ ହରାଇ ଦେବା ପରେ ଭାରତ ଆତ୍ମସମର୍ପଣ କରିଥିଲା। ଅଶ୍ବିନୀ ପୁନାପ୍ପା-ଏନ୍‌ ସିକ୍କି ରେଡ୍ଡୀ ୧୬-୨୧, ୧୩-୨୧ରେ ଝେଙ୍ଗ ୟୁ-ଲି ୱେନ ମେଇଙ୍କଠାରୁ ଏବଂ ମିଶ୍ରିତ ଯୁଗଳରେ କିଦାମ୍ବି ଶ୍ରୀକାନ୍ତ-ଋତୁପର୍ଣ୍ଣା ପଣ୍ଡା ୯-୨୧, ୯-୨୧ରେ ଡୁ ୟେ-ଫେଙ୍ଗ ୟାନ୍‌ ଝିଙ୍କଠାରୁ ହାରିଯାଇଥିଲେ। ପ୍ରଥମ ଥର ଭାରତୀୟ ସୁଦିରମଣ ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କ ପଦାର୍ପଣ ପରାଜୟରେ ବିତିଥିଲେ ମଧ୍ୟ ଅଲିମ୍ପିଆନ୍‌ ଶ୍ରୀକାନ୍ତଙ୍କ ପାର୍ଟନର୍‌ ହୋଇ ଖେଳିବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ। ସୂଚନାଯୋଗ୍ୟ, ଭାରତ ଦୁଇ ଥର (୨୦୧୧ ଓ ୨୦୧୭) ଏହି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe