Cricket Addictor
ହାମିଲଟନ୍: ଅସ୍ଥିର ପ୍ରଦର୍ଶନ ସତ୍ତ୍ବେ ମିତାଲି ରାଜଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଚଳିତ ମହିଳା ବିଶ୍ବକପ୍ରେ ୬ ମ୍ୟାଚ୍ରୁ ତୃତୀୟ ବିଜୟ ସହ ସେମିଫାଇନାଲ୍ ଆଶା ଉଜ୍ଜୀବିତ ରଖିଛି। ମଙ୍ଗଳବାର ‘କର ବା ମର’ ମୁକାବିଲାରେ ୟାସ୍ତିକା ଭାଟିଆ (୫୦ ରନ୍, ୮୦ ବଲ୍)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ପରେ ସ୍ନେହା ରାଣା (୪/୩୦), ପୂଜା ଭସ୍ତ୍ରକାର (୨/୨୬) ଓ ଝୁଲଣ ଗୋସ୍ବାମୀ (୨/୧୯)ଙ୍କ ଚମତ୍କାର ବୋଲିଂ ବଳରେ ବାଂଲାଦେଶକୁ ୧୧୦ ରନ୍ରେ ପରାସ୍ତ କରି ଭାରତ ୬ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ସମାନ ପଏଣ୍ଟ ପାଇଥିବା ୱେଷ୍ଟଇଣ୍ଡିଜ୍ ଉନ୍ନତ ରନ୍ ରେଟ୍ ଆଧାରରେ ଭାରତ ପଛକୁ ଚତୁର୍ଥରେ ରହିଛି। ଲିଗ୍ ପର୍ଯ୍ୟାୟରେ ସପ୍ତମ ତଥା ଶେଷ ମ୍ୟାଚ୍ରେ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ। ଏହି ମ୍ୟାଚ୍ ଜିତିଲେ ଭାରତର ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ ହୋଇଯିବ। ନଚେତ୍ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡର ଶେଷ ମ୍ୟାଚ୍ ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପ୍ନର ସ୍ମୃତି ମନ୍ଧାନା (୩୦, ୫୧ ବଲ୍, ୩ ଚୌକା) ଏବଂ ଶେଫାଳି ବର୍ମା (୪୨, ୪୨ ବଲ୍, ୬ ଚୌକା, ୧ ଛକା) ପ୍ରଥମ ୱିକେଟ୍ରେ ୭୪ ରନ୍ ଯୋଡ଼ିଥିଲେ। ତେବେ ୪ ବଲ୍ ବ୍ୟବଧାନରେ ଉଭୟେ ପାଭିଲିୟନ୍ ଫେରିଯାଇଥିଲେ। ପଞ୍ଚଦଶ ଓଭରର ଶେଷ ବଲ୍ରେ ସ୍ମୃତି ଏବଂ ୧୬ତମ ଓଭରର ତୃତୀୟ ବଲ୍ରେ ଶେଫାଳି ଆଉଟ୍ ହୋଇଥିଲା ବେଳେ ଅଧିନାୟିକା ମିତାଲି ଖାତା ଖୋଲିବା ପୂର୍ବରୁ ରିତୁ ମୋନିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ରିତୁ ଲଗାତାର ବଲ୍ରେ ଶେଫାଳି ଓ ମିତାଲିଙ୍କୁ ଆଉଟ୍ କରିବାରୁ ସମାନ ୭୪ ରନ୍ ସ୍କୋର୍ରେ ୩ ୱିକେଟ୍ ହରାଇ ଭାରତ ସଂଘର୍ଷ କରିଥିଲା। ତେବେ ୟାସ୍ତିକା ଭାଟିଆ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋର୍କୁ ଆଗକୁ ବଢ଼ାଇଥିଲେ। ସେ ଦଳୀୟ ସ୍କୋର୍ ୧୭୬ ବେଳକୁ ଷଷ୍ଠ ଖେଳାଳି ଭାବେ ଆଉଟ୍ ହେବା ପୂର୍ବରୁ ହର୍ମନପ୍ରୀତ୍ କୌର (୧୪)ଙ୍କ ସହ ଚତୁର୍ଥ ୱିକେଟ୍ରେ ୩୪, ୱିକେଟ୍ରକ୍ଷକ ରିଚା ଘୋଷ (୨୬, ୩୬ ବଲ୍, ୩ ଚୌକା)ଙ୍କ ସହ ପଞ୍ଚମ ୱିକେଟ୍ରେ ୫୪ ରନ୍ ଯୋଡ଼ିଥିଲେ। ଶେଷକୁ ପୂଜା ଭସ୍ତ୍ରକାର (୩୦*, ୩୩ ବଲ୍, ୨ ଚୌକା) ଏବଂ ସ୍ନେହ ରାଣା (୨୭, ୨୩ ବଲ୍, ୨ ଚୌକା)ଙ୍କ ଦ୍ରୁତ ବ୍ୟାଟିଂ ବଳରେ ଭାରତ ୭ ୱିକେଟ୍ ବିନିମୟରେ ୨୨୯ ରନ୍ କରିନେଇଥିଲା। ବାଂଲାଦେଶ ପକ୍ଷରୁ ସଫଳ ବୋଲର ଭାବେ ରିତୁ ମୋନି ୩ ଓ ନାହିଦା ଅକ୍ତାର ୨ ୱିକେଟ୍ ପାଇଥିଲେ।
/sambad/media/post_attachments/wp-content/uploads/2022/03/56d4g654da65gdgdaagd-300x207.jpg)
ଜବାବରେ ବୋଲରଙ୍କ କମାଲ ଯୋଗ୍ୁଁ ବାଂଲାଦେଶ ପାଳିକୁ ୧୧୯ ରନ୍ରେ ଶେଷ କରିଦେଇଥିଲା। ସଲ୍ମା ଖାତୁନ (୩୨), ଲତା ମଣ୍ଡଲ (୨୪), ମୁର୍ସିଦା ଖାତୁନ (୧୯), ରିତୁ ମୋନି (୧୬) ଓ ଜାହାନରା ଆଲାମ (୧୧*)ଙ୍କ ଲଢ଼େଇ ସତ୍ତ୍ବେ ବାଂଲାଦେଶ ୪୦.୩ ଓଭରରେ ସମସ୍ତ ୱିକେଟ୍ ହରାଇଥିଲା। ଉଭୟ ପୂଜା ଓ ସ୍ନେହା ଚଳିତ ବିଶ୍ବକପ୍ରେ ୧୦ ଲେଖାଏଁ ୱିକେଟ୍ ଅକ୍ତିଆର କରିସାରିଲେଣି। ଉଭୟେ ମଧ୍ୟ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି। ସେମାନଙ୍କ ଚମତ୍କାର ବୋଲିଂ ବଳରେ ବାଂଲାଦେଶ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅର୍ଦ୍ଧଶତକୀୟ ପାଳି ପାଇଁ ୟାସ୍ତିକା ଭାଟିଆଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଲାନିଙ୍ଗ୍ଙ୍କ ଶତକ: ଦକ୍ଷିଣ ଆଫ୍ରିକା ବିଜୟ ଧାରା ଭାଙ୍ଗିଲା ଅଷ୍ଟ୍ରେଲିଆ
ୱେଲିଂଟନ୍: ଅଧିନାୟିକା ମେଗ୍ ଲାନିଙ୍ଗ୍ (୧୩୫*, ୧୩୦ ବଲ୍, ୧୫ ଚୌକା, ୧ ଛକା)ଙ୍କ ଦ୍ରୁତ ଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ବିଶ୍ବକପ୍ରେ ଅପରାଜେୟ ଧାରାକୁ ଲମ୍ବାଇଛି। ମଙ୍ଗଳବାର ଅନ୍ୟତମ ଅପରାଜେୟ ଦଳ ଦକ୍ଷିଣ ଆଫ୍ରିକା ଧାରାକୁ ଅଟକାଇ ଅଷ୍ଟ୍ରେଲିଆ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ପଏଣ୍ଟ ତାଲିକାର ଦୁଇ ଶୀର୍ଷ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ଲୌରା ଉଲ୍ଭାର୍ଡ (୯୦) ଓ ଅଧିନାୟିକା ସୁନେ ଲୁସ୍ (୫୨)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଲିଜେଲ ଲି (୩୬) ଓ ମାରିଜାନେ କାପ୍ (୩୦*)ଙ୍କ ଉପଯୋଗୀ ପାଳି ବଳରେ ୫ ୱିକେଟ୍ ହରାଇ ୨୭୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ମାତ୍ର ଲାନିଙ୍ଗ୍ଙ୍କ ଅପରାଜିତ ଶତକ ଆଗରେ ସବୁକିଛି ଫିକା ପଡ଼ିଯାଇଥିଲା। ଲାନିଙ୍ଗ୍ଙ୍କ ବ୍ୟତୀତ ତାହିଲା ମ୍ୟାଗ୍ରା (୩୨), ଆସ୍ଲେ ଗାର୍ଡନର (୨୨), ଆନାବେଲ ସଦରଲାଣ୍ଡ୍ (୨୨*), ବେଥ୍ ମୁନି (୨୧) ଓ ରାଚେଲ ହେନ୍ସ (୧୭)ଙ୍କ ଦ୍ରୁତ ରନ୍ ସଂଗ୍ରହ ଯୋଗୁଁ ଅଷ୍ଟ୍ରେଲିଆ ୪୫.୨ ଓଭରରେ ୫ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୨୭୨ ରନ୍ରେ ପହଞ୍ଚିଯାଇଥିଲା। ଅପରାଜିତ ଶତକୀୟ ପାଳି ପାଇଁ ଲାନିଙ୍ଗ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଲାନିଙ୍ଗ୍ଙ୍କର ଏହା ପଞ୍ଚଦଶ ଦିନିକିଆ ଆନ୍ତର୍ଜାତିକ ଶତକ ଥିଲା। ମହିଳା ଦିନିକିଆ ଆନ୍ତର୍ଜାତିକରେ ଏହା ମଧ୍ୟ ସର୍ବାଧିକ ସଂଖ୍ୟକ ଶତକ।
Follow Us