କାନପୁର: ଝଡ଼ ବର୍ଷା ଭରା ପ୍ରତିକୂଳ ଓ ଅତି କୋହଲା ପାଗ, ସରିସରି ଆସୁଥିବା ସମୟ ଏବଂ ପାକିସ୍ତାନକୁ ମୂଳପୋଛ କରି ଭାରତ ଆସିଥିବା ଆତ୍ମବିଶ୍ବାସଭରା ବାଂଲାଦେଶକୁ ମାତ୍ର ଦୁଇ ଦିନ ଭିତରେ ଦୁଇ ଥର ଅଲ୍ଆଉଟ୍ କରି ଭାରତ କାନପୁର ଟେଷ୍ଟ୍ରେ ଅତୁଳନୀୟ ତଥା ଅବିସ୍ମରଣୀୟ ବିଜୟ ହାସଲ କରିଛି। ଅପୂର୍ବ ଏକାଗ୍ରତା ତଥା ଆକ୍ରମଣାତ୍ମକ ଅାଭିମୁଖ୍ୟରେ ଅସାଧ୍ୟକୁ ସାଧ୍ୟ କରି ୭ ୱିକେଟ୍ରେ ଏହି ମ୍ୟାଚ୍ ଜିତିବା ସହ ଦୁଇଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛିନେଇଛି। ଘରୋଇ ପରିବେଶରେ ଲଗାତାର ୧୮ ଶୃଙ୍ଖଳା ଜିତିବାର ଅନନ୍ୟ ଇତିହାସ ବି ଲେଖିଛି ଭାରତୀୟ କ୍ରିକେଟ୍ ଦଳ। ସେହିଭଳି ବାଂଲାଦେଶ ବିପକ୍ଷରେ ୧୫ ଟେଷ୍ଟ୍ ଖେଳି ଅପରାଜେୟ ରହିଛି। ଅଢ଼େଇ ଦିନର ଖେଳ ବାତିଲ ହେବା ପରେ ମଧ୍ୟ ଭାରତ କାନପୁରରେ କରିଥିବା କମାଲ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି।
ଭାରତର ଦଳଗତ ରେକର୍ଡ ସହ ସ୍ପିନର ଆର ଅଶ୍ବିନ ବ୍ୟକ୍ତିଗତ ଭାବେ ୧୧ଟି ‘ଶୃଙ୍ଖଳାର ଶ୍ରେଷ୍ଠ’ ପୁରସ୍କାର ଲାଭ କରି ଶ୍ରୀଲଙ୍କାର ମହାନ ସ୍ପିନର ମୁଥୟା ମୁରଲୀଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଭାରତର ବିସ୍ଫୋରକ ବ୍ୟାଟିଂରେ ଘାଇଲା ହୋଇଥବା ବାଂଲାଦେଶ ପ୍ରଥମ ପାଳିରେ ୨୩୩ ଓ ଦ୍ବିତୀୟରେ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତ ପ୍ରଥମ ପାଳିରେ ୩୪.୪ ଓଭର ଖେଳି ୨୮୫/୯ରେ ପାଳି ଘୋଷଣା କରିଥିବାରୁ ଦଳ ସମ୍ମୁଖରେ ମାତ୍ର ୯୫ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ରୋହିତ ବାହିନୀ ମଙ୍ଗଳବାର ପଞ୍ଚମ ତଥା ଶେଷ ଦିନର ମଧ୍ୟାହ୍ନ ଭୋଜନ ପରେ ମାତ୍ର ଘଣ୍ଟାକ ଭିତରେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଉଭୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଯୁବ ତାରକା ଯଶସ୍ବୀ ଜୟସ୍ବାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Follow Us