ସୂଚୀ ସୁନିଶ୍ଚିତ, ନଭେମ୍ବର ୧୨ରେ ସିଡ୍‌ନି ପହଞ୍ଚିବ କୋହଲି ବାହିନୀ

Advertisment

ମେଲବର୍ନରେ ବକ୍ସିଂ ଡେ’ ଟେଷ୍ଟ୍, ସିଡ୍‌ନିରେ ସଙ୍ଗରୋଧ ସହ ପ୍ରଶିକ୍ଷଣ ଶିବିର

ମେଲବର୍ନରେ ବକ୍ସିଂ ଡେ’ ଟେଷ୍ଟ୍, ସିଡ୍‌ନିରେ ସଙ୍ଗରୋଧ ସହ ପ୍ରଶିକ୍ଷଣ ଶିବିର

ସୂଚୀ ସୁନିଶ୍ଚିତ, ନଭେମ୍ବର ୧୨ରେ ସିଡ୍‌ନି ପହଞ୍ଚିବ କୋହଲି ବାହିନୀ

India Today

ମେଲବର୍ନ: କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବୁଧବାର ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ସୂଚୀକୁ ଚୂଡାନ୍ତ ରୂପ ଦେଇଛି। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳ ଆଇପିଏଲ୍-୧୩ ସରିବାର ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ସିଡ୍‌ନି ପହଞ୍ଚି ସେଠାରେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବ। ସଙ୍ଗରୋଧ ବେଳେ କିନ୍ତୁ ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ କରିବାର ସଂପୂର୍ଣ୍ଣ ସୁଯୋଗ ମିଳିବ। ବିସିସିଆ‌ଇର ଦାବି ମୁତାବକ ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଗୋଲାପୀ ବଲ୍ ଟେଷ୍ଟ୍ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ସିଡ୍‌ନିରେ ଏକ ଅତିରିକ୍ତ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ବିସିସିଆଇର ମଞ୍ଜୁରି ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏକଥା ଆନୁଷ୍ଠାନିକ ଭା‌ବେ ପ୍ରକାଶ କରିଛି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ଶୃଙ୍ଖଳା ଆଡିଲେଡ୍‌ର ଦିବା/ରାତ୍ର ଟେଷ୍ଟ୍‌ରୁ ହିଁ ଆରମ୍ଭ ହେବ। ଏହା ପରେ ମେଲବର୍ନ କ୍ରିକେଟ୍ ପଡ଼ିଆରେ ବକ୍ସିଂ ଡେ’ ଟେଷ୍ଟ୍ (ଡିସେମ୍ବର ୨୬ରୁ) ଏବଂ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ତୃତୀୟ ମ୍ୟାଚ୍ ଜାନୁଆରି ୭ରୁ ଖେଳାଯିବ। ଚତୁର୍ଥ ତଥା ଶେଷ ଟେଷ୍ଟ୍ ଜାନୁଆରି ୧୫ରୁ ବ୍ରିସବନ୍‌ର ଗାବା ଷ୍ଟାଡିୟମରେ ଆୟୋଜିତ ହେବ। ବିସିସିଆଇର ଅନ୍ୟ ଏକ ଦାବିକୁ ଗ୍ରହଣ କରି ମେଲବର୍ନର ବକ୍ସିଂ ଡେ ଏବଂ ସିଡ୍‌ନିର ନୂଆ ବର୍ଷ ଟେଷ୍ଟ୍ ମଧ୍ୟରେ ‘ସିଏ’ ଗୋଟିଏ ସପ୍ତାହର ବ୍ୟବଧାନ ରଖିଛି। ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଏପର୍ଯ୍ୟନ୍ତ କୌଣସି ଦିବା-ରାତ୍ର ଟେଷ୍ଟ୍ ହାରିନାହାନ୍ତି। ଆଡିଲେଡ୍‌ରେ ଖେଳିଥିବା ଚାରିଟି ଯାକ ଗୋଲାପୀ ବଲ୍ ଟେଷ୍ଟ୍ (ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପାକିସ୍ତାନ ବିପକ୍ଷରେ)ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଗତବର୍ଷ ଖେଳିଥିବା ଏକମାତ୍ର ଗୋଲାପୀ ବଲ୍ ଟେଷ୍ଟ୍‌ରେ ଭାରତ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରିଥିଲା। ଏଣୁ ଆଡିଲେଡ୍ ମୁକାବିଲା ‌ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଗୋଲାପୀ ଟେଷ୍ଟ୍ ପୂର୍ବରୁ ଅତିରିକ୍ତ ଅଭ୍ୟାସ ମ୍ୟାଚ୍
ନଭେମ୍ବର ୨୭ରୁ ଦିନିକିଆ, ଡିସେମ୍ବର ୪ରୁ ‌ଟ୍ବେଣ୍ଟି-୨୦

‘ସିଏ’ ଆଜି ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଦଳର ସିଡ୍‌ନି ପହଞ୍ଚିବା ସମୟ ଅଷ୍ଟ୍ରେଲୀୟ ସୀମା ସୁରକ୍ଷା ବଳର ମଞ୍ଜୁରି ଉପରେ ନିର୍ଭର କରିବ ବୋଲି କହିଛି। ‘ସିଏ’ ମଧ୍ୟ ଭାରତର ଅଭ୍ୟାସ ସୂଚୀ ଘୋଷଣା କରିଛି। ଏହି ଅନୁସାରେ ଭାରତୀୟ ଏ’ ଦଳ ନ୍ୟୁ ସାଉଥୱେଲ୍ସର ଡ୍ରୁମୋନେ ଓଭାଲଠାରେ ଡିସେମ୍ବର ୬ରୁ ୮ ତାରିଖ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳିବ। ସେହିଭଳି ଭାରତୀୟ କ୍ରିକେଟ୍ ଦଳ ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଡିସେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ଦିବାରାତ୍ର ଅଭ୍ୟାସ ମ୍ୟାଚ୍ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଖେଳିବ।
ସିଡ୍‌ନି, କାନ୍‌ବେରାରେ ସୀମିତ ଓଭର ପର୍ଯ୍ୟାୟ ଏଥରର ଗସ୍ତରେ ଭାରତୀୟ ଦଳ ମଧ୍ୟ ତିନିଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ଦିବା-ରାତ୍ର ଭିତ୍ତିରେ ଖେଳାଯିବାକୁ ଥିବା ଏହି ସୀମିତ ଓଭର ପର୍ଯ୍ୟାୟ ଦୁଇଟି ସହର ସିଡ୍‌ନି ଓ କାନବେରାରେ ଖେଳାଯିବ। ଦିନିକିଆ ଶୃଙ୍ଖଳା ନଭେମ୍ବର ୨୭ରୁ ଆରମ୍ଭ ହେବ। ୨୯ ଓ ଡିସେମ୍ବର ୨ରେ ଶେଷ ଦୁଇଟି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୮ରେ ଶେଷ ହେବ। ଏହା ଭିତରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଡିସେମ୍ବର ୬ ତାରିଖରେ ଖେଳାଯିବ। ସୂଚୀ ନିର୍ଦ୍ଧାରଣରେ କରିଥିବା ସମର୍ଥନ ଓ ସହଯୋଗ ପାଇଁ ‘ସିଏ’ର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକଲେ ବିସିସିଆଇକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ବକ୍ସିଂ ଡେ’ ଟେଷ୍ଟ୍‌ରେ ପ୍ରଶଂସକଙ୍କୁ ଅନୁମତି ମିଳିବାର ଶୁଭ ଖବର ମଧ୍ୟ ସେ ଦେଇଛନ୍ତି। ଦର୍ଶକ ଓ ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ସଂପ୍ରତି ଭିକ୍ଟୋରିଆ ପ୍ରଦେଶ ସରକାର ଓ ମେଲବର୍ନ କ୍ରିକେଟ୍ କ୍ଲବ୍‌ ସହ ଆଲୋଚନା ଚାଲିଛି। ଅଷ୍ଟ୍ରେଲିଆ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଦଳର ଗସ୍ତ ସୂଚୀ ଓ ମ୍ୟାଚ୍ ସମୟରେ କିଛିଟା ଅଦଳ ବଦଳ ହୋଇପାରେ ବୋଲି ହକଲେ ସୂଚନା ଦେଇଛନ୍ତି।

ବକ୍ସିଂ ଡେ’ ଟେଷ୍ଟ୍‌ରେ ୨୫,୦୦୦ ଦର୍ଶକ
ଡିସେମ୍ବର ୨୬ରୁ ମେଲବର୍ନ କ୍ରିକେଟ୍ ପଡ଼ିଆରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍‌ ଦେଖିବାକୁ ୨୫୦୦୦ ଦର୍ଶକଙ୍କୁ ଅନୁମତି ମିଳିବ। ଭିକ୍ଟୋରିଆ ପ୍ରଦେଶ ସରକାରର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆର ଦ୍ବିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ମେଲବର୍ନରେ ବୁଧବାର କରୋନା ଲକଡାଉନ୍‌କୁ ସଂପୂର୍ଣ୍ଣ ଉଠାଇ ଦିଆଯାଇଥିଲା ବେଳେ ଦୋକାନ ବଜାର ଓ ହୋଟେଲ ମଧ୍ୟ ଖୋଲିଛି। ବକ୍ସିଂ ‌ଡେ’ ଟେଷ୍ଟ୍ ବେଳେ ମେଲବର୍ନ କ୍ରିକେଟ୍ ପଡ଼ିଆର ଏକ ଲକ୍ଷ ଦର୍ଶକ କ୍ଷମତାର ଏକ ଚତୁର୍ଥାଂଶ ବା ମାତ୍ର ୨୫,୦୦୦ ଦର୍ଶକଙ୍କୁ ଅନୁମତି ମିଳିବ। ଏଥିନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ଯୋଜନା ପ୍ରସ୍ତୁତି କରାଯାଉଛି ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପକୁଲା କହିଛନ୍ତି। ସବୁକିଛି ଠିକ୍ ରହିଲେ ଏହି ସଂଖ୍ୟା ବଢ଼ିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe