ଜାକର୍ତା: ଦୁଇ ଭାରତୀୟ ଲଳନା ସାଇନା ନେହଓ୍ଵାଲ୍ ଓ ପିଭି ସିନ୍ଧୁ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଉଭୟେ ଗୁରୁବାର ନିଜ ନିଜର ମ୍ୟାଚ୍ ଜିତି କ୍ୱାର୍ଟରରେ ପହଞ୍ଚିଥିଲେ। ସାଇନା ୩୭ ମିନିଟ୍ ସମୟ ନେଇ ବିଶ୍ୱ ମାନ୍ୟତାର ୨୦ତମ ଚୀନ୍ ଖେଳାଳି ଚେନ୍ ଜିଆଓଜିନ୍ଙ୍କୁ ୨୧-୧୨ ଓ ୨୧-୧୮ରେ ପରାସ୍ତ କରିଥିଲା ବେଳେ ସିନ୍ଧୁ ଏକପାଖିଆ ଭାବେ ମାଲେସିଆର ଗୋହ ଜିନ୍ ଓ୍ଵି’ଙ୍କୁ ପରାସ୍ତ କରିଥିଲେ। ସାଇନା ଓ ସିନ୍ଧୁ ଏହା ପୂର୍ବରୁ ଦୁଇଥର ଆନ୍ତର୍ଜାତିକ ସ୍ତରରେ ମୁହାଁମୁହିଁ ହୋଇଥିଲା ବେଳେ ଥରେ ଲେଖାଏଁ ଜିତିଛନ୍ତି। ୨୦୧୪ ସୟଦ୍ ମୋଦି ଗ୍ରାଁ ପ୍ରିରେ ସାଇନାଙ୍କଠୁ ସିନ୍ଧୁ ହାରି ଯାଇଥିଲା ବେଳେ ଗତବର୍ଷ ଇଣ୍ଡିଆନ୍ ଓପନ୍ ସୁପର ସିରିଜ୍ରେ ସିନ୍ଧୁଙ୍କଠୁ ସାଇନା ହାରିଥିଲେ। ଅନ୍ୟପକ୍ଷରେ ପୁରୁଷ ଯୁଗଳରେ ଯୁବ ଯୋଡ଼ି ସାତ୍ୱିକ୍ସାଇରାଜ୍ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ କ୍ୱାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଚାଇନିଜ୍ ତାଇପେ ଯୋଡ଼ି ମିନ୍ ଚୁନ୍ ଓ ସୁ ଚିଙ୍ଗ୍ ହେଙ୍ଗ୍ଙ୍କୁ ୨୧-୧୭ ଓ ୨୧-୧୬ରେ ପରାସ୍ତ କରିଛନ୍ତି। ତେବେ ବୁଧବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ପୁରୁପଲ୍ଲୀ କାଶ୍ୟପ ମାଲେସିଆର ଚୋଙ୍ଗ୍ ଓ୍ଵି ଫେଙ୍ଗ୍ଙ୍କ ନିକଟରୁ ୧୮-୨୧ ଓ ୧୮-୨୧ରେ ହାରି ପୁରୁଷ ଏକକରୁ ବିଦାୟ ନେଇଥିଲେ।
ଇଣ୍ଡୋନେସିଆ ମାଷ୍ଟର୍ସ: ସାଇନା-ସିନ୍ଧୁ କ୍ୱାର୍ଟର ଫାଇନାଲ୍ ମୁକାବିଲା
Advertisment
Follow Us