ଇନ୍ଦୋରରୁ ଟେଷ୍ଟ୍‌ ଅଭିଯାନ : ହୋଲକର୍‌ରେ ହାରିନି ଭାରତ

Advertisment
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ୍‌ ପଦ୍ଧତି ବଦଳିଲା: ବିଜୟ ପାଇଁ ୧୨, ଅମୀମାଂସିତ ମ୍ୟାଚ୍ ଲାଗି ୬ ପଏଣ୍ଟ୍

Indore: Indian cricket team players during a practice session ahead of their first Test match against Bangladesh, in Indore, Tuesday, Nov 12, 2019. (PTI Photo/Kamal Kishore) (PTI11_12_2019_000167B)

ଇନ୍ଦୋର : ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଟେଷ୍ଟ୍‌ ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ହୋଲକର୍‌ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବ। ଏଥିରେ ଭାରତ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ତମିମ ଇକବାଲ ଏବଂ ସକିବ-ଅଲ-ହାସନଙ୍କ ବିନା ଭାରତ ଆସିଥିବା ବାଂଲାଦେଶ କିନ୍ତୁ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଜିତି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥି‌ଲେ ମଧ୍ୟ ଟେଷ୍ଟ୍‌ ପରୀକ୍ଷା ଏହି ଦଳ ପାଇଁ କାଠିକର ପାଠ ହେବ। ଘରୋଇ ପରିବେଶରେ ଖେଳିଥିବା ଗତ ଶୃଙ୍ଖଳାରେ ଭାରତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ସହଜରେ ଧରାଶାୟୀ କରିଥିଲା। ବାଂଲା ଶୃଙ୍ଖଳାରେ ମଧ୍ୟ ତା’ର ପୁନରାବୃତ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳା ଯାଉଥିବା ଏହି ଶୃଙ୍ଖଳାର ପ୍ରଥମ ଅପେକ୍ଷା ଦ୍ବିତୀୟ ଟେଷ୍ଟ୍‌ ଅଧିକ ଚର୍ଚାରେ ରହିଛି। ଐତିହାସିକ ଇଡେନ୍ ଗାର୍ଡେନ୍ସର ଖେଳାଯିବାକୁ ଥିବା ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ଉଭୟ ଭାରତ ଏବଂ ବାଂଲାଦେଶ ପାଇଁ ପ୍ରଥମ ଦିବା ରାତ୍ର ଟେଷ୍ଟ୍‌ ହେବ।

ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତ ଏବଂ ନବମ ସ୍ଥାନରେ ଥିବା ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଇନ୍ଦୋର ଟେଷ୍ଟ୍‌ରେ ଭାରତ ସହଜ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟକୁ ତର୍ଜମା କଲେ ଏହା ସ୍ପଷ୍ଟ ହୋଇଯାଏ। ବାଂଲାଦେଶର ଅଧିନାୟକ ମୋମିନୁଲ ହକ୍ ମାତ୍ର ୮ ଟେଷ୍ଟ୍‌ ଖେଳିଛନ୍ତି। ମୁସଫିକର ରହିମ ଏବଂ ମହମ୍ମଦୁଲ୍ଲା ସୀମିତ ଓଭର କ୍ରିକେଟ୍‌ର ଦକ୍ଷ ଖେଳାଳି ହୋଇଥିଲେ ମଧ୍ୟ ସେମାନଙ୍କ ଟେଷ୍ଟ୍‌ ପ୍ରଦର୍ଶନ ସେତେଟା ଭଲ ନୁହେଁ। ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂକ୍ରମ ଅଧିନାୟକ ବିରାଟ କୋହଲି (୨୬ ଶତକ), ଅଜିଙ୍କ୍ୟ ରାହାଣେ (୧୧ ଶତକ) ଓ ଚେତେଶ୍ବର ପୂଜାରା (୧୮ ଶତକ)ଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ନେଇ ସମୃଦ୍ଧ। ମୁସ୍ତାଫିଜୁର ‌ରେହମାନ, ତାଇଜୁଲ ଇସଲାମ ଓ ମେହେଦି ହାସନ ମିରାଜଙ୍କ ଭଳି ବାଂଲା ବୋଲର ଏମାନଙ୍କୁ ଚକ୍‌ମା ଦେବା ଆଦୌ ସହଜ ହେବନି। ବାଂଲା ବୋଲରଙ୍କୁ ମଧ୍ୟ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କୁ ନେଇ ଗଠିତ ଭାରତୀୟ ପ୍ରାରମ୍ଭିକ ଯୋଡ଼ିର ସମ୍ମୁଖୀନ ହେବାକୁ ହେବ। ବାଂଲାଦେଶ ତା’ର ପୂର୍ବ ଟେଷ୍ଟ୍‌ ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ପରାଜିତ ହୋଇଥିଲା। ଭାରତ ବିପକ୍ଷରେ ଖେଳିଥିବା ୯ ଟେଷ୍ଟ୍‌ରେ ମଧ୍ୟ ବାଂଲାଦେଶ ଗୋଟିଏ ବି ବିଜୟ ପାଇନାହିଁ। ହୋଲକର ଷ୍ଟାଡିୟମ୍ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି କ୍ୟୁରେଟର ସ୍ପଷ୍ଟ କରିଥିଲା ବେଳେ ବାଂଲା ବ୍ୟାଟ୍ସମ୍ୟାନଙ୍କ ଜୀବନକୁ ଦୁର୍ବିଷହ କରିବାକୁ ଭାରତୀୟ ବୋଲିଂ ବାହିନୀ ମଧ୍ୟ ପୂରା ସକ୍ଷମ। ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମାଙ୍କ ସହ ରବିଚନ୍ଦ୍ରନ୍ ଅଶ୍ବିନ ଏବଂ ରବୀନ୍ଦ୍ର ଜାଦେଜା ଚାରି ଦିନ ‌ଭିତରେ ଖେଳ ଶେଷ କରିଦେବାକୁ ପୂରା ସକ୍ଷମ। ଅନ୍ୟପକ୍ଷରେ ପାଞ୍ଚ ଦିନ ଧରି ଭାରତୀୟ ଦଳକୁ ବାନ୍ଧି ରଖିବା ଯୁବ ବାଂଲାଦେଶ ପାଇଁ ନିଜ ଟେଷ୍ଟ୍‌ ଇତିହାସର ସମ୍ଭବତଃ ସବୁଠାରୁ ବଡ଼ ଅଗ୍ନି ପରୀକ୍ଷା ହେବ। ହୋଲକର ଷ୍ଟାଡିୟମ୍ ପୂର୍ବରୁ ୨୦୧୬ରେ ମାତ୍ର ଗୋଟିଏ ଟେଷ୍ଟ୍‌ ଆୟୋଜନ କରିଛି। ଭାରତ ଏଠାରେ ନ୍ୟୁଜିଲାଣ୍ଡକୁ ୩୨୧ ରନ୍‌ରେ ହରାଇ ୩-୦ରେ ଶୃଙ୍ଖଳା ପୋଛିଥିଲା। ଭାରତୀୟ ଉପଅଧିନାୟକ ଅଜିଙ୍କ୍ୟ ରାହା‌ଣେ ଆଉ ୨୫ ରନ୍ କଲେ ଟେଷ୍ଟ୍‌ କ୍ରିକେଟ୍‌ରେ ୪,୦୦୦ ରନ୍ ପୂରଣ କରିବେ। ଭାରତ ସଂପ୍ରତି ‌ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ତାଲିକାରେ ୨୪୦ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନରେ ରହିଛି। ବାଂଲାଦେଶ ବିପକ୍ଷ ଦୁଇଟି ଯାକ ଟେଷ୍ଟ୍‌ ଜିତିଲେ କୋହଲି ବାହିନୀର ମୋଟ ପଏଣ୍ଟ ସଂଖ୍ୟା ୩୬୦କୁ ବଢ଼ିବ। ଭାରତ ହୋଲକର୍‌ ଷ୍ଟାଡିୟମରେ ୫ ଦିନିକିଆ ଏବଂ ଗୋଟିଏ ଲେଖାଏଁ ଟ୍ବେଣ୍ଟି-୨୦ ଖେଳି ପ୍ରତିଥର ବିଜୟୀ ହୋଇଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ଋଦ୍ଧିମାନ ଶାହ, ରବିଚନ୍ଦ୍ରନ୍‌ ଅଶ୍ବିନ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି।

ସମ୍ଭାବ୍ୟ ବାଂଲାଦେଶ: ମୋମିନୁଲ ହକ୍ (ଅଧିନାୟକ), ସଦମନ ଇସଲାମ, ସୈଫ ହସନ/ଇମ୍ରୁଲ କେସ୍, ମୁସଫିକର ରହିମ, ମହମ୍ମଦୁଲ୍ଲା, ମହମ୍ମଦ ମିଥୁନ, ଲିଟନ ଦାସ, ମେହିଦି ହାସନ ମିରାଜ, ତଇଜୁଲ ଇସଲାମ, ଆବୁ ଜାୟେଦ, ଇବାଦତ ହୁସେନ/ମୁସ୍ତାଫିଜୁର ରେହମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe