ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ସୁପର ଲିଗ୍‌ : ଭୁବନେଶ୍ବର, ବାଲେଶ୍ବର, କଟକ, ସମ୍ବଲପୁର ବିଜୟୀ

Advertisment

Inter-District Under-19 Cricket Super League

Inter-District Under-19 Cricket Super League

ରଣଜୀ ସିଜିନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ

odishanewstimes.com

ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଦ୍ବାରା ଆୟୋଜିତ ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ ସୁପର ଲିଗ୍‌ ପର୍ଯ୍ୟାୟରେ ରବିବାର ଭୁବନେଶ୍ବର-ଏ, ବାଲେଶ୍ବର, କଟକ-ଏ ଓ ସମ୍ବଲପୁର ବିଜୟ ହାସଲ କରିଛନ୍ତି।

ଭୁବନେଶ୍ବରର ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଭୁବନେଶ୍ବର-ଏ ଦଳ ୧୦ ୱିକେଟ୍‌ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ଝାରସୁଗୁଡ଼ା ୧୬.୫ ଓଭରରେ ମାତ୍ର ୩୦ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। କେହି ଜଣେ ବି ଏକ ଅଙ୍କ ଟପି ପାରିନଥିଲେ। ଶୁଭମ୍‌ ଶ୍ରୀ (୮-୪-୮-୬) ଓ ଆଶୁତୋଷ ନାୟକ (୮.୫-୧-୨୧-୪) ଘାତକ ବୋଲିଂ କରିଥିଲେ। ଜବାବରେ ତନୟ ବିଶ୍ବାଳ (୯*) ଓ ସମ୍ବିତ ବରାଳ (୧୫*)ଙ୍କ ବଳରେ ଭୁବନେଶ୍ବର ଦଳ କୌଣସି ୱିକେଟ୍‌ ନହରାଇ ୫.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଶୁଭମ୍‌ ଶ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଭୁବନେଶ୍ବରର ମୂଳା ପଡ଼ିଆ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବାଲେଶ୍ବର ୫୪ ରନ୍‌ରେ ରାଉରକେଲାକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ବାଲେଶ୍ବର ଅରୁଣ ରାଉତ (୮୦)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଚିନ୍ମୟ ପ୍ରଧାନ (୩୪), ଆଶୁତୋଷ ମାର୍ଣ୍ଡି (୩୩) ଓ ଶୁଭ ବାରିକ (୩୩)ଙ୍କ ସହାୟତାରେ ୯ ୱିକେଟ୍‌ ହରାଇ କରିଥିଲା ୨୮୫ ରନ୍‌। ରାଉରକେଲା ପକ୍ଷରୁ ସରଣଦୀପ ବରିହା ଓ ଗୌତମ ସୁନା ୩-୩ ୱିକେଟ୍‌ ପାଇଥିଲେ। ଜବାବରେ ବାଲେଶ୍ବର ୮ ୱିକେଟ୍‌ ବିନିମୟରେ ୨୩୧ ରନ୍‌ରେ ଅଟକି ଯାଇଥିଲା। ହେମନ୍ତ ନାୟକ (୧୦୩, ୮୧ ବଲ୍‌)ଙ୍କ ଦ୍ରୁତ ଶତକ ଏବଂ ଆଶିଷ ମଲ୍ଲିକ (୫୦)ଙ୍କ ଅର୍ଦ୍ଧଶତକ ବେକାର ଯାଇଥିଲା। ବିଜୟୀ ଦଳ ପକ୍ଷରୁ ପ୍ରଶାନ୍ତ ଗଙ୍ଗାଇ, ଶୁଭ ବାରିକ, ଅରୁଣ ରାଉତ ଓ ଏସ୍‌କେ ଆଲାମ ୨ ୱିକେଟ୍‌ ଲେଖାଏଁ ବାଣ୍ଟି ନେଇଥି‌ଲେ। ଅଲ୍‌ରାଉର୍ଡ୍‌ ପ୍ରଦର୍ଶନ ପାଇଁ ଅରୁଣ ରାଉତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

କଟକର ବୋସ୍‌ ଗ୍ରାଉଣ୍ଡ୍‌ରେ ସମ୍ବଲପୁର ୯୫ ରନ୍‌ରେ ଭଦ୍ରକକୁ ପରାସ୍ତ କରିଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ସମ୍ବଲପୁର ଦଳ ୨୬୫ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ପ୍ରକାଶ ମୌର୍ଯ୍ୟ (୮୭) ଓ ଶ୍ରେଷ୍ଠ ସିଂହ (୭୨) ଅର୍ଦ୍ଧଶତକ ଜମାଇଥିଲା ବେଳେ ଦ୍ରୁତ ସାହୁ ୪୩ ରନ୍‌ କରିଥିଲେ। ଭଦ୍ରକ ପକ୍ଷରୁ ସଫଳ ବୋଲର ଭାବେ ମୀର କାଫିରୁଦ୍ଦିନ୍ ୩, କୁମାର ସ୍ବାଇଁ ଓ କୁମାର ସାହୁ ୨-୨ ୱିକେଟ୍‌ ପାଇଥିଲେ। ଜବାବରେ ଅଧିନାୟକ ସୂର୍ଯ୍ୟ ମହାପାତ୍ର (୬୦)ଙ୍କ ଅର୍ଦ୍ଧଶତକ ଓ କୁମାର ସ୍ବାଇଁଙ୍କ ୩୩ ରନ୍‌ ସତ୍ତ୍ବେ ଭଦ୍ରକ ଦଳ ୨୯.୫ ଓଭରରେ ୧୭୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପକ୍ଷରୁ ଶ୍ରେଷ୍ଠ ସିଂହ ୪, ଦ୍ରୁତ ସାହୁ ୩, ପ୍ରତୀକ ପାଣ୍ଡେ ୨ ଓ ବିମଳ କର୍ମକାର ୧ ୱିକେଟ୍‌ ଦଖଲ କରିଥିଲେ। ଶ୍ରେଷ୍ଠ ସିଂହ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

କଟକର ବିଡ଼ାନାସୀ ପଡ଼ିଆରେ କଟକ-ଏ ଦଳ ୫ ୱିକେଟ୍‌ରେ କିଟ୍‌କୁ ହରାଇ ଦେଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା କିଟ୍‌ ଅଧିନାୟକ ମଣିତେଜ୍‌ ମହାନ୍ତି (୬୧)ଙ୍କ ଅର୍ଦ୍ଧଶତକ ଓ ଗୌରିଶ ପାତ୍ରଙ୍କ ୩୧ ରନ୍‌ ସତ୍ତ୍ବେ ୪୯.୪ ଓଭରରେ ୧୭୭ ରନ୍‌ କରି ସବୁ ୱିକେଟ୍‌ ହରାଇଥିଲା। ସାଇଦୀପ ମହାପାତ୍ର ଓ ସୂର୍ଯ୍ୟ ସାହୁ ୨ ଲେଖାଏଁ ୱିକେଟ୍ ନେଇଥିଲା ବେଳେ ୩ ଜଣ ରନ୍‌ ଆଉଟ୍‌ ହୋଇଥିଲେ। ଜବାବରେ ପ୍ରିନ୍ସ ବେହେରା (୬୮) ଓ ଜଜ୍ଞଜିତ ସାହୁ (୫୧)ଙ୍କ ଅର୍ଦ୍ଧଶତକ ବଳରେ କଟକ ଦଳ ୩୬.୨ ଓଭରରେ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ସାଗର ମଲ୍ଲିକ ୨ ୱିକେଟ୍‌ ପାଇଥିଲେ। ପ୍ରିନ୍ସ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe