ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ଅଣଦେଖା ଅଭିଯୋଗ

Advertisment
ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ଅଣଦେଖା ଅଭିଯୋଗ

ସୋନପୁର : ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଅନ୍ତର୍ଜାତୀୟ ତାଇକୋଣ୍ଡୋ କ୍ରୀଡ଼ାବିତ ଏହେସାସ ହୋତା। ସେ ପୂର୍ବରୁ ଭାରତରୁ ପ୍ରତିନିଧିତ୍ୱ କରିବା ସହ ୭ ଥର ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଚାନଚିଓନ ସହରରେ ଓପନ ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀ ହୋତା। ଏହାସହ ଦକ୍ଷିଣ କୋରିଆର ନାଜରାନି ବିଶ୍ବବିଦ୍ୟାଳୟରେ ୩ ମାସ ଅନ୍ତର୍ଜାତୀୟ ତାଇକୋଣ୍ଡୋ ତାଲିମ ନେବା ପାଇଁ ମଧ୍ୟ ସେ ମନୋନୀତ ହୋଇଛନ୍ତି। ଏଥିପାଇଁ ୧୦ ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି।

ପୂର୍ବରୁ ଏନେଇ ଏହେସାସଙ୍କୁ ଆର୍ଥିକ ସହଯୋଗ କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ କ୍ରୀଡ଼ା ବିଭାଗକୁ ପତ୍ର ଲେଖାଯାଇଥିଲା। ଗତ ଏପ୍ରିଲ ମାସରେ ଏହେସାସଙ୍କୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶାଳୟକୁ ଡକାଯାଇ କାଗଜପତ୍ର ଯାଞ୍ଚ ପରେ ଆର୍ଥିକ ସହଯୋଗ କରାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ହେଲେ ଏଯାଏ କୌଣସି ଆର୍ଥିକ ସହଯୋଗ ମିଳିନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଜଣେ ମଧ୍ୟବିତ୍ତ ପରିବାରର ପିଲା ହୋଇଥିବାରୁ ଏବେ ଏତେ ଅର୍ଥ ଯୋଗାଡ଼ କରି ଖେଳିବା ଏବଂ ତାଲିମ ନେବା କଷ୍ଟକର ହୋଇଥିବା ବେଳେ ଦେଶ ପାଇଁ ପଦକ ଆଣିବାର ନିଶା କିନ୍ତୁ ତାଙ୍କୁ ଅଟକାଇ ପାରିନାହିଁ। ଏଣୁ ଏବେ ନିଜେ ଅର୍ଥ ଯୋଗାଡ଼ କରି ଆସନ୍ତା ୨୭ ତାରିଖରେ କୋରିଆ ଅଭିମୁଖେ ଯାତ୍ରା କରିବେ ଏହେସାସ। ଆସନ୍ତା ୨୮ ତାରିଖରେ ଏହେସାସ ନିଜର ଜନ୍ମ ଦିବସରେ କୋରିଆ ମାଟିରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିବା ସହ ସେଠାରେ ନାଜରିନ ବିଶ୍ବବିଦ୍ୟାଳୟରେ ରହି ୩ ମାସ ତାଲିମ ନେବେ। ଏଣୁ ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅସହେଯାଗ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହେସାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe