ଦେବାଶିଷଙ୍କୁ ଅନ୍ତର୍ଜାତୀୟ, ଆହାନଙ୍କୁ ଏସୀୟ ମୁକୁଟ

Advertisment
ଦେବାଶିଷଙ୍କୁ ଅନ୍ତର୍ଜାତୀୟ, ଆହାନଙ୍କୁ ଏସୀୟ ମୁକୁଟ

ଭୁବନେଶ୍ବର: ରାଜ୍ୟର ଦୁଇ ଉଦୀୟମାନ ଟେନିସ୍ ପ୍ରତିଭା ଦେବାଶିଷ ସାହୁ ଓ ଆହାନ ଶନିବାର ଗୋଟିଏ ଦିନରେ ଅପୂର୍ବ ସଫଳତା ପାଇଛନ୍ତି। ଦେବାଶିଷ ପ୍ରଥମ ଅନ୍ତର୍ଜାତୀୟ ଯୁଗଳ ଟ୍ରଫି ଜିତି ଆଉ ପାଦେ ଆଗେଇଛନ୍ତି। ଆହାନ ଏସୀୟ ମୁକୁଟ ଜିତି ନିଜ ଖେଳ ଜୀବନରେ ଆଉ ଏକ ସଫଳତା ଫର୍ଦ ଯୋଡ଼ିଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରଠାରେ ଅନୁଷ୍ଠିତ ଗ୍ରେଡ୍‌ ଜେ୪ ଓ ଜେ-୬୦ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେବାଶିଷ କର୍ଣ୍ଣାଟକର ସହଜ ସିଂହ ପାୱାରଙ୍କୁ ସାଥୀ କରି କର୍ଣ୍ଣାଟକର ଶ୍ରୀନିକେଶ କାନନ ଓ ହରିୟାଣାର ବଂଶ ନନ୍ଦଲଙ୍କୁ ୬-୩, ୬-୧ରେ ପରାସ୍ତ କରିଥିଲେ। ପୂର୍ବରୁ ଏହି ଯୋଡ଼ି ସଂଘର୍ଷପୂର୍ଣ୍ଣ ସେମିଫାଇନାଲରେ ଶଙ୍କର ହୈସନାମ (ମଣିପୁର)-ବିଶାଶ ପ୍ରକାଶ (ମହାରାଷ୍ଟ୍ର)ଙ୍କୁ ୬-୪, ୫-୭, ୧୦-୪ରେ ପରାସ୍ତ କରିଥିଲେ। ଦେବାଶିଷ କିନ୍ତୁ ଏକକ ବର୍ଗର କ୍ବାର୍ଟରଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ପଞ୍ଜାବର ହିତେଶ ଚୌହାନଙ୍କଠାରୁ ୨-୬, ୪-୬ରେ ହାରି ବିଦାୟ ନେଇଥିଲେ। ଗତବର୍ଷ ମାର୍ଚ୍ଚଠାରୁ ଅନ୍ତର୍ଜାତୀୟ ଅଭିଯାନ ଆରମ୍ଭ କରିଥିବା ଦେବାଶିଷ ନିଜ ବୟସ ବର୍ଗରେ ୧୯୭୮ ମାନ୍ୟତାରୁ ଲମ୍ଫ ମାରି ଏବେ ୫୦୦ ଭିତରେ ପ୍ରବେଶ କରିଛନ୍ତି। ୨୫୦ ମାନ୍ୟତା ଭିତରକୁ ଆସିବା ତାଙ୍କ ପରବର୍ତୀ ଲକ୍ଷ୍ୟ ରହିଛି। ଗତବର୍ଷ ରୋଡ୍‌ ଟୁ ୱିମ୍ବଲଡନ୍‌ ଓ ଜୁନିଅର୍ ଡେଭିସ୍ କପ୍ ଯୋଗ୍ୟତା ପର୍ଯ୍ୟାୟ ଖେଳିଥିବା ଦେବାଶିଷ ଭବିଷ୍ୟତରେ ଜୁନିୟର୍ ଗ୍ରାଣ୍ଡ୍ ସ୍ଲାମ୍‌ ଇଭେଣ୍ଟ ଉପରେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗଠାରୁ ମଧ୍ୟ ସହଯୋଗ ପାଉଥିବାରୁ ଦେବାଶିଷଙ୍କ ଖେଳ ଜୀବନ ଉତ୍‌ଥାନ ପଥରେ ରହିଛି।

ଅନ୍ୟପକ୍ଷରେ ଦିଲ୍ଲୀରେ ଶନିବାର ଶେଷ ହୋଇଥିବା ଏସୀୟ ଟେନିସ୍ ପ୍ରତିଯୋଗିତାର ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ପ୍ରାଚୀ ମଲ୍ଲିକଙ୍କୁ ୬-୧, ୬-୧ରେ ପରାସ୍ତ କରି ଆହାନ ପ୍ରଥମ ଥର ବିଜେତା ହୋଇଛନ୍ତି। ଯୁଗଳ ବର୍ଗରେ‌ ମେହା ପାଟିଲଙ୍କୁ ସାଥୀ କରି ଆହାନ ଉପବିଜ‌ୟିନୀ ହୋଇଛନ୍ତି। ଫାଇନାଲ୍‌ରେ ପ୍ରାଚୀ ମଲ୍ଲିକ-ସୁପ୍ରିୟାଂଶୀ ସେଖାୱତ ୬-୪, ୬-୪ରେ ଆହାନ-ମେହାଙ୍କୁ ହରାଇ ଦେଇଥିଲେ। ଆହାନଙ୍କ ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ ଅଜୟ ନିଶଙ୍କ ନିଜକୁ ଗର୍ବିତ ମନେ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe