SPORTING HOURS
ନୂଆଦିଲ୍ଲୀ: ଗୁରୁବାର ଥିଲା ଅନ୍ତର୍ଜାତୀୟ ବାମହାତୀ ଦିବସ। ଏହି ଅବସରରେ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ବିଶ୍ବ କ୍ରିକେଟର ଚାରି ଜଣ ମହାନ ବାମହାତୀ ବ୍ୟାଟିଂ ତାରକା, ୱେଷ୍ଟଇଣ୍ଡିଜ୍ର ବ୍ରାଏନ ଲାରା, ଅଷ୍ଟ୍ରେଲିଆର ଆଦାମ ଗିଲକ୍ରିଷ୍ଟ, ମାଥ୍ୟୁ ହେଡେନ୍ ଓ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସଲାମ କରିଛନ୍ତି। ‘‘କ୍ରିକେଟ୍ ଖେଳର କିଛି ମହାନ ବାମହାତୀ ବ୍ୟାଟରଙ୍କୁ ମୁଁ ସଲାମ କରୁଛି’’ ବୋଲି ଯୁବି ଇନଷ୍ଟାଗ୍ରାମ ପୃଷ୍ଠାରେ ଲେଖିଛନ୍ତି। ସେହିଭଳି ନିଜ ପସନ୍ଦର ବାମହାତୀ ବ୍ୟାଟର ତାଲିକା ପ୍ରକାଶ କରିବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଯୁବି ଅନେକ କୀର୍ତ୍ତିମାନ କରିଛନ୍ତି।
୨୦୧୧ ଏକଦିବସୀୟ ବିଶ୍ବକପ୍ରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ୨୦୦୭ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ସେ ବେଶ୍ ଚର୍ଚିତ ହୋଇଥିଲେ। ଯୁବି ୪୦ ଟେଷ୍ଟ୍ ଓ ୩୦୪ ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ୫୮ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସୂଚନାଯୋଗ୍ୟ ଯେ ବାମହାତୀମାନଙ୍କ ବିଶେଷତ୍ବ ଓ ସ୍ବତନ୍ତ୍ରତାକୁ ସମ୍ମାନ ଜଣାଇ ୧୯୭୬ ମସିହାରୁ ଅନ୍ତର୍ଜାତୀୟ ବାମହାତୀ ଦିବସ ପାଳିତ ହୋଇ ଆସୁଛି।
Follow Us