ଅନ୍ତର୍ଜାତୀୟ ପଦକ ବିଜେତା ସୃଷ୍ଟି ଲକ୍ଷ୍ୟରେ ଆର୍‌ଏଫ୍‌ଓ ଏଚ୍‌ପିସି, ସବିତା ଓ ରା‌ଜେନ୍ଦ୍ର ଭବିଷ୍ୟତ

Advertisment
ଅନ୍ତର୍ଜାତୀୟ ପଦକ ବିଜେତା ସୃଷ୍ଟି ଲକ୍ଷ୍ୟରେ ଆର୍‌ଏଫ୍‌ଓ ଏଚ୍‌ପିସି, ସବିତା ଓ ରା‌ଜେନ୍ଦ୍ର ଭବିଷ୍ୟତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟ କରୁଥିବା ରିଲାଏନ୍ସ ଫାଇଣ୍ଡେସନ୍ ଓଡ଼ିଶା (ଆର୍‌ଏଫ୍‌ଓ)‌ ଆଥ‌ଲେଟିକ୍ସ ହାଇପର୍ଫର୍ମାନ୍ସ ସେଣ୍ଟର (ଏଚପିସି) ପ୍ରଥମ ବର୍ଷରେ ହିଁ ଉତ୍ସାହ ଜନକ ସଫଳତା ଲାଭ କରିଛି। ଓଡ଼ିଶା ସରକାର ଓ ରିଲାଏନ୍ସ ଫାଉଣ୍ଡେସନର ଯୌଥ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ଏଚ୍‌ପିସିର ଅନ୍ତେବାସୀମାନେ ଏକାଧିକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପଦକ ବିଜେତା ହୋଇପାରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ବିଜୟୱାଡ଼ାଠାରେ ଆୟୋଜିତ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଏଚ୍‌ପିସିର ପିଲାମାନେ ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ସେହିଭଳି ମାସକ ପରେ କଟକଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ପ୍ରତିଯୋଗିତାରେ ୧୦ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ କାଂସ୍ୟ ସହ ମୋଟ ୨୫ ପଦକ ଅର୍ଜନ କରିଥିଲେ। ସେହିଭଳି ମୁମ୍ବାଇରେ ଚଳିତବର୍ଷ ଜାନୁଆରି ମାସରେ ଆୟୋଜିତ ରିଲାଏନ୍ସ ଫାଉଣ୍ଡେସନ୍ ଯୁବ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସେମାନେ ୧୩ ପଦକ (୪ ସ୍ବର୍ଣ୍ଣ, ୩ ‌ରୌପ୍ୟ ଓ ୬ କାଂସ୍ୟ) ହାସଲ କରିଥିଲେ। ଆଗାମୀ ସମୟରେ ଏହାକୁ ଏସିଆର ଅନ୍ୟତମ ଅଭିନବ ଏଚ୍‌ପିସି ଭାବେ ଗଢ଼ାଯିବ। ଯାହା ଦୀର୍ଘମିଆଦି ବିକାଶ ସହ ପ୍ରତିଭା ଚିହ୍ନଟ ଓ ପ୍ରଶିକ୍ଷଣ ଲାଗି ସମର୍ଥନ ପ୍ରଣାଳୀ ସୃଷ୍ଟି କରିବ। ଆମେ ଏଠାରୁ ୨୦୨୬ ଯୁବ ଅଲିମ୍ପିକ୍ସ ଓ ୨୦୩୨ ଅଲିମ୍ପିକ୍ସର ପଦକ ବିଜେତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲର କହିଛନ୍ତି।

ସବିତା ଓ ରା‌ଜେନ୍ଦ୍ର ଭବିଷ୍ୟତ
ଏଚ୍‌ପିସି ପାଇଁ ପିଲାମାନଙ୍କୁ ଦୁଇଟି ବିଭାଗ ଯଥା ମାର୍ଗଦର୍ଶନ ବର୍ଗ (ମନିଟରିଂ କୋହର୍ଟ) ଓ ଏକାଡେମି ପାଇଁ ବଛାଯାଉଛି। ମାର୍ଗଦର୍ଶନ ବର୍ଗରେ ୧୩ରୁ ୧୭ ବର୍ଷର ପିଲାଙ୍କୁ ରଖାଯାଉଛି। ଓଡ଼ିଶାର ୨୦ ଜଣ ପିଲା ଏବେ ଏହି ବର୍ଗ ଅନ୍ତର୍ଗତରେ ପ୍ରଶିକ୍ଷଣ ନେଉଛନ୍ତି। ୧୬ ବର୍ଷରୁ ଅଧିକ ବୟସ୍କ ଖେଳାଳିଙ୍କୁ ଏକାଡେମିରେ ରଖାଯାଉଛି। କଳିଙ୍ଗ ଷ୍ଟାଡିୟମରେ ଏଭଳି ୭ ଜଣ ଖେଳାଳି (ଓଡ଼ିଶାରୁ ୪) ଏବେ ରହୁଛନ୍ତି। ରାଜ୍ୟର ଆହୁରି ୯ ଜଣ ପ୍ରତିଭାବାନ ( ଏକାଡେମି ପାଇଁ ୨, ମାର୍ଗଦର୍ଶନ ବର୍ଗ ବା କୋହର୍ଟ ପାଇଁ ୭)ଙ୍କୁ ବଛା ଯାଇସାରିଛି। ଏଚପିସିରେ ସଂପ୍ରତି ସ୍ପ୍ରିଣ୍ଟ୍, ବାଧାଦୌଡ଼ ଓ ମଧ୍ୟମଦୂର ଦୌଡ଼ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଆଗକୁ ଯାହା ସଂପ୍ରସାରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର ବର୍ଷକ ଭିତରେ ଏଚ୍‌ପିସି ପକ୍ଷରୁ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରୁ ଚିହ୍ନଟ ହୋଇଥିବା ସବିତା ଟପ୍ପୋ ୧୬ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତାର ପେଣ୍ଟାଥଲନ ଖେଳରେ ସ୍ବର୍ଣ୍ଣ ପଦକ ଜିତିବା ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଜାତୀୟ ପ୍ରତିଯୋଗିତାରେ ଏଚ୍‌ପିସି କୋହର୍ଟର ରାଜେନ୍ଦ୍ର ସାହୁ ୧୪ ବର୍ଷରୁ କମ୍ ବର୍ଗର ପେଣ୍ଟାଥଲନରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe