କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ: ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ

Advertisment
କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ: ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ନୂଆ ଓ ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାକୁ ସମାଜର ସବୁ ସ୍ତରକୁ ନେବା ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସକାଳ ୭ଟାଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଯୋଗ ଅଭ୍ୟାସ କରାଯାଇଥିଲା। ଚଳିତ ବର୍ଷ ଯୋଗର ଥିମ୍ ଥିଲା ‘ନିଜ ପାଇଁ ଯୋଗ ଓ ସମାଜ ପାଇଁ ଯୋଗ’।

ପ୍ରାୟ ଏକ ହଜାରରୁ ଅଧିକ ଲୋକ, ଅଧିକାରୀ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଆର୍. ଭିନିଲ୍ କ୍ରିଷ୍ଣା ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି। ମନ୍ତ୍ରୀ, ସାଂସଦ, ବିଧାୟକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନ ଦିଗରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ
ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ରଖି ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ
ସମାଜର ସବୁ ସ୍ତରରେ ଯୋଗକୁ ପ୍ରସାରିତ କରିବାର ଉଦ୍ୟମ ଜାରି ରହିବ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଧୁନିକ ଯୁଗରେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି। ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା କରି ଏହି ଚାପକୁ ଦୂର କରି ହେବ ଓ ଏକ ସୁସ୍ଥ ସମାଜ ଗଠନ କରି ହେବ। ଦୈନନ୍ଦିନ ଜୀବନରେ ଯୋଗକୁ ଗ୍ରହଣ କରି ଆମେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ହାସଲ କରିପାରିବା। କେବଳ ଏହି ଗୋଟିଏ ଦିନ ନୁହେଁ, ଦୈନଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଗାଭ୍ୟାସ ଜାରି ରଖିବା ପାଇଁ ଆମେ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବାର ଆବଶ୍ୟକତା ରହିଛି। ସୁସ୍ଥ, ସୁଖୀ ଓ ସନ୍ତୁଳନଯୁକ୍ତ ସମାଜ ପାଇଁ ଆମେ ସମସ୍ତେ ଆସନ୍ତୁ ସଂକଳ୍ପ ନେବା।

ନିଜ ଅଭିଭାଷଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସେ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଫଳରେ ୨୦୧୫ରୁ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନ୍ତର୍ଜାତୀୟସ୍ତରରେ ମେ’ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଯୋଗର ମାହାତ୍ମ୍ୟ ଆଜି ସାରା ବିଶ୍ୱରେ ପ୍ରସାରିତ ହୋଇଛି ବୋଲି ସେ କହିଥିଲେ। ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଏଭଳି ଭବ୍ୟ ଓ ଦିବ୍ୟ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ ଏବଂ କ୍ରୀଡ଼ା ବିଭାଗ ସହିତ ସଂପୃକ୍ତ ବିଭିନ୍ନ ବିଭାଗକୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ ସମସ୍ତେ ନିଷ୍ଠାର ସହିତ କାମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe