ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ବିଜେତା

Advertisment

ପୁରୁଷ ତୃତୀୟରେ ସନ୍ତୁଷ୍ଟ

ପୁରୁଷ ତୃତୀୟରେ ସନ୍ତୁଷ୍ଟ

ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ବିଜେତା

The New Indian Express

ବାର୍ସିଲୋନା: ସ୍ପେନ୍‌ ହକି ମହାସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ବିଜେତା ହୋଇଥିଲା ବେଳେ ପୁରୁଷ ଦଳ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି। ରବିବାର ତ୍ରିରାଷ୍ଟ୍ରୀୟ ମହିଳା ହକିର ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ୩-୦ ଗୋଲ୍‌ରେ ଆୟୋଜକ ସ୍ପେନ୍‌କୁ ପରାସ୍ତ କରିଥିଲା। ଫଳରେ ଦଳ ୪ ମ୍ୟାଚ୍‌ରୁ ୨ ବିଜୟ ଓ ୨ ଅମୀମାଂସିତରୁ ୮ ପଏଣ୍ଟ ପାଇଁ ଟେବୁଲର ଶୀର୍ଷ ଟ୍ରଫି କରାୟତ୍ତ କରିଥିଲା।

ଶନିବାର ଲାଲରେମସିଆମିଙ୍କ ହ୍ୟାଟ୍ରିକ୍‌ ବଳରେ ଇଂଲଣ୍ଡକୁ ମାତ୍‌ ଦେଇ ପ୍ରଥମ ବିଜୟ ପାଇଥିବା ଭାରତ ରବିବାର ମ୍ୟାଚ୍‌ର ପ୍ରଥମ କ୍ବାଟର୍ରରେ ହିଁ ଆୟୋଜକ ଦଳକୁ ଚାପରେ ରଖିଥିଲା। ଏହି କ୍ବାର୍ଟରରେ ସ୍ପେନ୍‌ର ଏକାଧିକ ସୁଯୋଗକୁ ନିଷ୍ଫଳ କରିଦେଇଥିଲେ ଭାରତୀୟ ଡିଫେଣ୍ଡର। ଫଳରେ ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ବନ୍ଦନା କାଟାରିୟା (୨୨ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ‌୍ୟରେ ଶେଷ ହୋଇଥିଲା। ଚତୁର୍ଥ ତଥା ଶେ‌ଷ କ୍ବାର୍ଟରରେ ମୋନିକା (୪୮ ମିନିଟ୍‌) ଓ ଉଦିତା (୫୮ ମିନିଟ୍‌) ଦୁଇଟି ଗୋଲ୍‌ ଲଦି ଭାରତକୁ ୩-୦ରେ ବିଜୟ ଭେଟି ଦେଇଥିଲେ।

ଚତୁଃରାଷ୍ଟ୍ରୀୟ ପୁରୁଷ ହକି‌ର ରବିବାର ତୃତୀୟ ସ୍ଥାନ ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା। ୧୫ତମ ମିନିଟ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍‌ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାର ୧୦ ମିନିଟ୍‌ ପରେ ନେଦରଲାଣ୍ଡ୍ସ ଅଧିନାୟକ ଥିଏରି ବ୍ରିଙ୍କମାନ (୨୫ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ ପରେ ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ସରିଥିଲା। ଚତୁର୍ଥ କ୍ବାର୍ଟରରେ ବରୁଣ କୁମାର (୫୦ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ‌ଫାଇନାଲ୍‌ରେ ‌ଆୟୋଜକ ସ୍ପେନ୍‌ ୩-୨ (୧-୧) ସୁଟ୍‌ଆଉଟ୍‌ରେ ଇଂଲଣ୍ଡକୁ ହରାଇ ଟ୍ରଫି ହାତେଇଥିଲା।

ନୀଳକାନ୍ତଙ୍କ ୧୦୦ ମ୍ୟାଚ୍‌

ଭାରତୀୟ ମିଡ୍‌ଫିଲ୍ଡର ନୀଳକାନ୍ତ ଶର୍ମା ରବିବାର ନେଦରଲାଣ୍ଡ୍ସ ବିପକ୍ଷରେ ଖେଳି ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂରଣ କରିଛନ୍ତି। ଏହି ସଫଳତା ଲାଗି ମଣିପୁର ତାରକାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି। ୨୦୧୫ କନିଷ୍ଠ ଏସିଆ କପ୍‌ ଏବଂ ୨୦୧୬ କନିଷ୍ଠ ବିଶ୍ବକପ୍‌ ବିଜେତା ହେବା ପ‌ରେ ୨୦୧୭ରେ ଭାରତର ୟୁରୋପ ଗସ୍ତ ବେଳେ ବରିଷ୍ଠ ବର୍ଗରେ ପଦାର୍ପଣ କରିଥିଲେ। ୨୮ ବର୍ଷୀୟ ନୀଳକାନ୍ତ ୨୦୧୮ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଏବଂ ୨୦୧୯ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ବିଜେତା ଦଳର ସଦସ୍ୟ ରହିଥିଲେ। ଟୋକିଓ ଅଲିମ୍ପିକ୍ସ କାଂସ୍ୟ, ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ୨୦୨୧/୨୨ ରୌପ୍ୟ, ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି ସେ। ୨୦୨୧ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ। ‘‘ଭାରତ ପକ୍ଷରୁ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାରୁ ନୀଳକାନ୍ତଙ୍କୁ ଅଭିନନ୍ଦନ ଜଣାଉଛି। ୨୦୧୬ କନିଷ୍ଠ ବିଶ୍ବକପ୍‌ ବିଜେତା ଦଳରେ ସେ ଜଣେ ଉଦୀୟମାନ ଖେଳାଳିଥିଲେ। କିଛି ବର୍ଷ ମଧ୍ୟରେ ପ୍ରଦର୍ଶନ ବଳରେ ଜାତୀୟ ଦଳର ପ୍ରମୁଖ ସଦସ୍ୟ ହୋଇପାରିଛନ୍ତି। ଭବିଷ୍ୟତ ପାଇଁ ନୀଳକାନ୍ତଙ୍କୁ ଶୁଭକାମନା’’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe