ଗାଭାସ୍କରଙ୍କଠାରୁ ସର୍ଟ ବଲ୍‌ ମୁକାବିଲା କୌଶଳ ଶିଖିଥିଲେ ଇଞ୍ଜାମାମ୍‌

ଗାଭାସ୍କରଙ୍କଠାରୁ ସର୍ଟ ବଲ୍‌ ମୁକାବିଲା କୌଶଳ ଶିଖିଥିଲେ ଇଞ୍ଜାମାମ୍‌

Hindustan Times

କରାଚୀ: ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ଗୋଟିଏ ସରଳ ଓ ସହଜ ପରାମର୍ଶ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌ଙ୍କ ପାଇଁ ଖେଳ ଜୀବନସାରା ଉପାଦେୟ ସାବ୍ୟସ୍ତ ହୋଇଥିଲା। ସର୍ଟ ପିଚ୍‌ ବଲ୍‌କୁ ମୁକାବିଲା କରିବାର କୌଶଳ ଗାଭାସ୍କରଙ୍କଠାରୁ ଶିଖିଥିବା କଥାକୁ ଇଞ୍ଜାମାମ୍‌ ସୋମବାର ପ୍ରକାଶ କରିଛନ୍ତି। ଏକ ୟୁଟ୍ୟୁବ୍ ଚାନେଲ୍‌ ଆଲୋଚନା ବେଳେ ଇଞ୍ଜାମାମ୍ କହିଥିଲେ ‘୧୯୯୨ ବିଶ୍ବକପ୍‌ ବିଜୟ ପରେ ପରେ ମୁଁ ଦଳ ସହ ପ୍ରଥମ ଥର ଇଂଲଣ୍ଡ ଗସ୍ତ କରିଥିଲି। ସେଠାକାର ପିଚ୍‌ ସମ୍ପର୍କରେ ମୋର କୌଣସି ଧାରଣା ନଥିଲା। ମୁଁ ମଧ୍ୟ ଖରାପ ଫର୍ମ ଦେଇ ଗତି କରୁଥାଏ, ସର୍ଟ ପିଚ୍‌ ବଲ୍‌କୁ ଖେଳିବାରେ ବଡ଼ ଅସୁବିଧାରେ ପଡ଼ୁଥିଲି।

ଏହି ସମୟରେ ସେହି ଗସ୍ତରେ ଏକ ଚ୍ୟାରିଟି ମ୍ୟାଚ୍‌ ଖେଳିବା ଅବସରରେ ମୁଁ ସୁନିଲ ଭାଇଙ୍କୁ କହିଥିଲେ ‘ସର୍ଟ‌ ପିଚ୍‌ ବଲ୍‌ ଖେଳିପାରୁନି, କ’ଣ କରିବି’। ସେ ମୋତେ ଏକ ସରଳ ଓ ସହଜ ଉତ୍ତର ଦେଇଥିଲେ। ‘ବ୍ୟାଟିଂ କରିବାବେଳେ ସର୍ଟ ପିଚ୍ ବଲ୍ କିମ୍ବା ବାଉଁସର ସମ୍ପର୍କରେ କିଛି ବି ଚିନ୍ତା କରନାହିଁ, ତ‌ୁମେ ଯେଉଁ ମୁହୂର୍ତରେ ବୋଲର୍‌ଙ୍କ ବିଷୟରେ ଚିନ୍ତା କରିବ ସେମାନେ ତୁମକୁ ଫସାଇ ଦେବେ। ବୋଲର‌ ଯେତେବେଳେ ବଲ୍‌ ପକାଇବେ ତୁମେ ସବୁକିଛି ସ୍ବତଃ ବୁଝିପାରିବ। ତେଣୁ ଅଧିକ କିଛି ଚିନ୍ତା କରନାହିଁ’ ବୋଲି ଗାଭାସ୍କର କହିଥିଲେ। ଏହା ପରଠାରୁ ମୁଁ ‌ମ୍ୟାଚ୍‌ ଖେଳିବା ହେଉ କି ଅଭ୍ୟାସ ମାନସିକ ଦୃଢ଼ତା ଉପରେ ଗୁରୁତ୍ବ ଦେଇଥିଲି। ସର୍ଟ ପିଚ୍‌ ବଲ୍‌ ଦୁର୍ବଳତା ବି ମୋ ନିକଟରୁ ହଟିଯାଇଥିଲା। ୧୯୯୨ ମସିହାରୁ ଅବସର ନେବା ପର୍ଯ୍ୟନ୍ତ ମୁଁ ଆଉ କେବେ ସର୍ଟ ପିଚ୍‌ ବଲ୍‌କୁ ମୁକାବିଲା କରିବାକୁ ଅସୁବିଧାରେ ପଡ଼ିନଥିଲି ବୋଲି ୫୦ ବର୍ଷୀୟ ଇଞ୍ଜାମାମ୍ ପ୍ରକାଶ କରିଛନ୍ତି। ପାକିସ୍ତାନ ପାଇଁ ଇଞ୍ଜାମାମ୍‌ ୧୨୦‌‌ ଟେଷ୍ଟ୍‌ରୁ ୮,୮୩୦ ରନ୍ ଏବଂ ୩୭୮ ଦିନିକିଆରୁ ୧୧,୭୩୯ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe