ନୂଆ କଥା ଉପରୁ ପରଦା ଉଠାଇଲେ ୱାକର ‘ଆଝାରଙ୍କ ପାଇଁ ପ୍ରଶଂସକଙ୍କ ସହ ଲଢ଼ି ଦଣ୍ଡିତ ହୋଇଥିଲେ ଇଞ୍ଜି’

Advertisment

ଦର୍ଶକଙ୍କୁ ଇଞ୍ଜାମାମ ବ୍ୟାଟ୍ ଉଠାଇବା ପ୍ରସଙ୍ଗ

ଦର୍ଶକଙ୍କୁ ଇଞ୍ଜାମାମ ବ୍ୟାଟ୍ ଉଠାଇବା ପ୍ରସଙ୍ଗ

ନୂଆ କଥା ଉପରୁ ପରଦା ଉଠାଇଲେ ୱାକର ‘ଆଝାରଙ୍କ ପାଇଁ ପ୍ରଶଂସକଙ୍କ ସହ ଲଢ଼ି ଦଣ୍ଡିତ ହୋଇଥିଲେ ଇଞ୍ଜି’

Times of India

ଲାହୋର: ୧୯୯୭ ମସିହା ସାହାରା କପ୍ ଅବସରରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ ଜଣେ ଦର୍ଶକଙ୍କୁ ବ୍ୟାଟ୍‌ରେ ପିଟିବାକୁ ଯାଇ ଦୁଇଟି ଦିନିକିଆରୁ ବାସନ୍ଦ ହୋଇଥିଲେ। ତାଙ୍କ ବିରୋଧରେ ସଂପୃକ୍ତ ଭାରତୀୟ ବଂଶୋଦ୍ଭବ ଦର୍ଶକ ଜଣକ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲେ। ଇଞ୍ଜି ହଠାତ୍ ଗ୍ୟାଲେରିକୁ ଯାଇ ଦର୍ଶକ ଜଣଙ୍କ ଉପରକୁ ବ୍ୟାଟ୍ ଉଠାଇବା ଘଟଣା କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଇଞ୍ଜି ମଧ୍ୟ ଏଥିଲାଗି ନିନ୍ଦିତ ଓ ସମାଲୋଚିତ ହୋଇଥିଲେ। ତେବେ ସେହି ଦର୍ଶକ ଜଣକ ତାଙ୍କ ଶରୀରର ଆକାରକୁ ଆକ୍ଷେପ କରି ବାରମ୍ବାର ଆଳୁ, ଆଳୁ ବୋଲି ଡାକିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଞ୍ଜାମାମ ତାଙ୍କୁ ବାଡ଼େଇବାକୁ ଉଦ୍ୟମ କରିଥିଲେ ବୋଲି ଆଇସିସି ଓ ପିସିବି ପକ୍ଷରୁ କୁହାଯାଇଥିଲା। ତେବେ ଇଞ୍ଜାମାମଙ୍କ ପୁରୁଣା ସାଥୀ ତଥା ସେହି ମ୍ୟାଚ୍‌ ଖେଳିଥିବା ଅନ୍ୟତମ ପାକିସ୍ତାନୀ କ୍ରିକେଟର ୱାକର ୟୁନିସ ଏହି ଘଟଣାର ଆଉ ଏକ ଦିଗ ଉପରୁ ପରଦା ଉଠାଇଛନ୍ତି। କେବଳ ଆଳୁ ଡାକ ନୁହେଁ ଦର୍ଶକ ଜଣକ ଭାରତୀୟ ଖେଳାଳି ମହମ୍ମଦ ଆଝାରୁଦ୍ଦିନଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ଆଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହାକୁ ଇଞ୍ଜାମାମ ସହି ପାରିନଥିଲେ ବୋଲି ୱାକର ଏକ ସାକ୍ଷାତକାରରେ କହିଛନ୍ତି। କାନାଡାରେ ଆୟୋଜିତ ହୋଇଥିବା ସାହାରା କପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ଘଟିଥିବା ଏହି ଘଟଣାକୁ ମନେ ପକାଇ ୱାକର କହିଛନ୍ତି ଯେ ଇଞ୍ଜମାମ ଏହି ଘଟଣା ପୂର୍ବରୁ ସ୍ଲିପ୍‌ରେ କ୍ଷେତ୍ରରକ୍ଷଣ କରୁଥିଲେ। କିଛି ସମୟ ପରେ ଅଧିନାୟକ ରମିଜ୍ ରାଜାଙ୍କୁ ତାଙ୍କୁ ସୀମା ରେଖା ପାଖରେ କ୍ଷେତ୍ରରକ୍ଷଣ ପାଇଁ ପଠାଇବାକୁ ଅନୁରୋଧ କରିଥିଲେ।

ଅଧିନାୟକ ମଧ୍ୟ ତାଙ୍କୁ ଅନୁମତି ଦେଇଥିଲେ। ହେଲେ ସେଠାକୁ ଯାଇ ସେ ଯେତେବେଳେ ଦ୍ବାଦଶ ଖେଳାଳିଙ୍କୁ ବ୍ୟାଟ୍ ଆଣିବା ପାଇଁ କହିଥିଲେ, ସେତେବେଳେ କିଛି ଗୋଟେ ଅଘଟଣ ଘଟିବ ବୋଲି ଆମ ମନରେ ଆଶଙ୍କା ଜାଗ୍ରତ ହୋଇଥିଲା। ଦ୍ବାଦଶ ଖେଳାଳି ବ୍ୟାଟ୍ ଦେଲା ପରେ ହିଁ ସେ ହଠାତ୍ ଦର୍ଶକ ଗ୍ୟାଲେରିକୁ ଯାଇ ଜଣକୁ ଆକ୍ରମଣ କରିଥିଲେ। ଆଳୁ ଡାକରେ ବିରକ୍ତ ହୋଇ ସେ ଏଭଳି କରିଥିଲେ ବୋଲି ଚର୍ଚା ହୁଏ। ଏହାର ଆଉ ଏକ କାରଣ ମଧ୍ୟ ରହିଛି। ଦର୍ଶକଜଣକ ଆଝାରୁଦ୍ଦିନଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ବାରମ୍ବାର ଆଶାଳୀନ ମନ୍ତବ୍ୟ ଦେଉଥିଲେ। ଏ ଦୁଇଟି ଯାକ କଥା ପାଇଁ ହିଁ ଇଞ୍ଜି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ପଡ଼ିଆ ଭିତରେ ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପର ପାରୁପର୍ଯ୍ୟନ୍ତ ଲଢ଼ୁଥିଲେ ମଧ୍ୟ ପଡ଼ିଆ ବାହାରେ ପରସ୍ପରର ଭଲ ବନ୍ଧୁ ଥିଲେ ବୋଲି ୱାକର ମଧ୍ୟ କହିଥିଲେ। ସେମାନେ କିଭଳି ପରସ୍ପର ପାଇଁ ଛିଡ଼ା ହେବାକୁ ପଛାଉ ନଥିଲେ ତା’ର ଉଦାହରଣ ମଧ୍ୟ ଦେଇଥିଲେ। ଏହି ଘଟଣା ଘଟିବା ପରେ ଆଝାରୁଦ୍ଦିନ ଇଞ୍ଜିଙ୍କ ସମର୍ଥନରେ ବାହାରିଥିଲେ। ଆଝାର ସେହି ଦର୍ଶକଙ୍କ ସହ କଥା ହୋଇ ଅଦାଲତ ବାହାରେ ଉଭୟଙ୍କ ମଧ୍ୟରେ ବୁଝାମଣା କରିଦେଇଥିଲେ। ଅବଶ୍ୟ ଇଞ୍ଜିଙ୍କୁ ଏଥିଲାଗି କ୍ଷମା ମାଗିବାକୁ ପଡ଼ିଥିଲା। ‘‘ଏହା ଏକ ଦୁଃଖଦ ଘଟଣା ଥିଲା। ହେଲେ ମୁଁ ଏଠାରେ କହିବାକୁ ଚାହେଁ ଯେ ଭାରତ ଓ ପାକିସ୍ତାନ ଦଳରେ ମଧ୍ୟ ଏମିତି ଖେଳାଳି ଥିଲେ, ଯିଏ ପରସ୍ପରକୁ ସମ୍ମାନ କରିବା ସହ ଭଲ ପାଉଥିଲେ’’ ବୋଲି ୱାକର ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ ଯେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବରେ ଖେଳିଥିବା ସେହି ମ୍ୟାଚ୍‌କୁ ଭାରତ ୨୦ ରନ୍‌ରେ ଜିତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ କରିଥିଲା। ଜବାବରେ ପାକିସ୍ତାନ ୧୮୮ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe