ଦୁବାଇ: କ୍ରିକେଟ୍ ତାରକା ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟ ପାଇଁ ବିବାଦରେ ଫସିଛନ୍ତି ପୂର୍ବତନ କ୍ରିକେଟର୍ ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର। ସୁନିଲଙ୍କ କମେଣ୍ଟ୍କୁ ନେଇ ଅନୁଷ୍କା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରି ଏହା ‘ଅରୁଚିକର’ ଥିଲା ବୋଲି ଲେଖିଛନ୍ତି।
ଗୁରୁବାର ରାତିରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ଅାଇପିଏଲ୍ ମ୍ୟାଚ୍ରେ ବିରାଟ ଦୁଇଟି କ୍ୟାଚ୍ ହାତଛଡ଼ା କରିବା ନେଇ କମେଣ୍ଟାରି ବକ୍ସରୁ ଗାଭାସ୍କର ଟିପ୍ପଣୀ କରି କହିଥିଲେ, ‘ଏହି ଲକ୍ଡାଉନ୍ରେ ବିରାଟ କେବଳ ଅନୁଷ୍କାଙ୍କ ବୋଲିଂର ସାମ୍ନା କରିଛନ୍ତି। ସେ କେବଳ ଅନୁଷ୍କାଙ୍କ ସହ ବୋଲିଂ ଅଭ୍ୟାସ କରିଛନ୍ତି।’ ଲକ୍ଡାଉନ୍ ସମୟରେ ବିରାଟ ଓ ଅନୁଷ୍କା କ୍ରିକେଟ୍ ଖେଳୁଥିବାର ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା। ସେହି ଦୃଶ୍ୟ ଆଧାରରେ ଗାଭାସ୍କର ଦେଇଥିବା କମେଣ୍ଟକୁ ନେଇ କେବଳ ଅନୁଷ୍ପା ନୁହଁନ୍ତି ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମଧ୍ୟ ଗାଭାସ୍କରଙ୍କୁ ସମାଲୋଚନା କରିଛନ୍ତି।
କେହି କେହି ଗାଭାସ୍କରଙ୍କ ସପକ୍ଷରେ ସେମାନଙ୍କ ମତ ରଖିଛନ୍ତି ତ ଆହୁରି କେହି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟଙ୍କ ସମର୍ଥନରେ ବାହାରି ଗାଭାସ୍କରଙ୍କୁ ହଟାଇବାକୁ ଅନୁରୋଧ କରିଛନ୍ତି।
ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନ ଉପରେ ସୁନୀଲ ଗାଭାସ୍କର ଯାହା ମନ୍ତବ୍ୟ ଦେଇଛନ୍ତି ତାହା ଲଜ୍ଜାଜନକ ଅଟେ ବୋଲି ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମତ ରଖିଥିବା ବେଳେ ନିଜେ ଅନୁଷ୍କା ଏକ ଲମ୍ବା ଇନ୍ଷ୍ଟା ପୋଷ୍ଟ୍ କରି ଗାଭାସ୍କରଙ୍କୁ ତାଙ୍କ କମେଣ୍ଟ୍ ପାଇଁ ପ୍ରଶ୍ନ କରିଛନ୍ତି।
ଏହାକୁ ନେଇ ଅନୁଷ୍କା ଲେଖିଛନ୍ତି କି ‘ଶ୍ରୀ ଗାଭାସ୍କର ଆପଣ କିଭଳି ଜଣେ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କର ଖରାପ ପ୍ରଦର୍ଶନ ପାଇଁ ଦାୟୀ କରିବେ । ବର୍ଷ ବର୍ଷ ଧରି ଆପଣ ଖେଳ ଉପରେ ଟିପ୍ପଣୀ କରିବା ସମୟରେ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିଛନ୍ତି । ଆପଣ କ’ଣ ଭାବୁ ନାହାନ୍ତି ଯେ ଆମେ ବି ସେ ସମ୍ମାନ ପାଇବାର ହକଦାର? ’ ସେ ଆହୁରି ଲେଖିଛନ୍ତି କି ‘ ମୁଁ ନିଶ୍ଚିତ ଯେ ଗତ ରାତିରେ ମୋ ସ୍ୱାମୀଙ୍କ ପ୍ରଦର୍ଶନ ଉପରେ ଟିପ୍ପଣୀ କରିବା ପାଇଁ ଆପଣଙ୍କ ପାଖରେ ଅନେକ ଶବ୍ଦ ଥିଲା, ହେଲେ ଏହିସବୁରେ ମୋ ନାମ ବ୍ୟବହାର କରିବା କେତେ ଯୁକ୍ତି ଯୁକ୍ତ ? ଆପଣ ଥରେ ଭାବି ଦେଖନ୍ତୁ ତ ଆପଣ ଯେତେବେଳେ ମୋ ବାବଦରେ ଏଭଳି ଟିପ୍ପଣୀ କଲେ ସେତେବେଳେ ମୋ ଉପରେ କ’ଣ ବିତିଥିବ । ’
Follow Us