ଆଇପିଏଲ୍‌-୨୦୨୧- ରୋହିତଙ୍କୁ ହରାଇଲେ ପନ୍ତ

ଆଇପିଏଲ୍‌-୨୦୨୧- ରୋହିତଙ୍କୁ ହରାଇଲେ ପନ୍ତ

ଚେନ୍ନାଇ: ଆଇପିଏଲ୍‌-୨୦୨୧ର ମଙ୍ଗଳବାର ମ୍ୟାଚ୍‌ରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ରଥକୁ ରୋକିଛି ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମୁକାବିଲାକୁ ମୁମ୍ବାଇ ଜିତି ନେଇଥିଲା ବେଳେ ଷଷ୍ଠ ମୁକାବିଲାକୁ ଜିତି ଏହି ଦଳ ବିପକ୍ଷରେ ଲଗାତାର ଅଧଡଜନ ପରାଜୟ ବରଣକୁ ବି ଏଡ଼ାଇଛି ଦିଲ୍ଲୀ। ଦିଲ୍ଲୀ ଏହି ପ୍ରତୀକ୍ଷିତ ସଫଳତା ତାର ନୂଆ ତଥା ଉତ୍ସାହୀ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବରେ ହାସଲ କରିଛି। ଆଇପିଏଲ୍ ଇତିହାସର ସଫଳତମ ଅଧିନାୟକ ରୋହିତ ଶର୍ମା କିନ୍ତୁ ନିଜ ଦଳ ମୁମ୍ବାଇକୁ ବିଜୟୀ କରାଇ ପାରିନାହାନ୍ତି। ଚଳିତ ଆଇପିଏଲ୍‌ରେ ଗତ ଦୁଇ ମ୍ୟାଚ୍‌କୁ ଜିତିଥିବା ରୋହିତ ବାହିନୀ ମଧ୍ୟ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ହୋଇଛି। ଅନ୍ୟପକ୍ଷରେ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି।

ଅଳ୍ପ ରନ୍ ବିଶିଷ୍ଟ ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଅଧିନାୟକ ରୋହିତଙ୍କ ନିଷ୍ପତ୍ତିର ସମ୍ମାନ କିନ୍ତୁ ସାଥୀ ବ୍ୟାଟ୍ସମ୍ୟାନ୍ ରଖି ପାରିନଥିଲେ। ସେଥିପାଇଁ ଅପେକ୍ଷାକୃତ ସୁରକ୍ଷିତ ଆରମ୍ଭ ସତ୍ତ୍ବେ ପୁଣି ଥରେ ମଧ୍ୟକ୍ରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୮ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଦେଇଥିଲା ମୁମ୍ବାଇ। ଯାହାକୁ ଶିଖର ଧାୱନ (୪୫), ଷ୍ଟିଭେନ୍ ସ୍ମିଥ (୩୩) ଓ ଲଲିତ ଯାଦବ (୨୨*)ଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ବଳରେ ୧୯.୧ ଓଭରରେ ହାସଲ କରିଥିଲା ଦିଲ୍ଲୀ। ଧାୱନ ଓ ସ୍ମିଥ୍ ଯିବା ପରେ ପନ୍ତଙ୍କୁ ୭ ରନ୍‌ରେ ଆଉଟ୍ କରି ଯଶପ୍ରୀତ ବୁମରା ମ୍ୟାଚ୍‌ରେ କିଛିଟା ରୋମାଞ୍ଚ ଭରିଥିଲେ। ହେଲେ ବଡ଼ ବିଜୟ ଲକ୍ଷ୍ୟ ନଥିବାରୁ ଦିଲ୍ଲୀ ଉପରେ ସେମିତି କିଛି ଆଖିଦୃଶିଆ ଚାପ ସୃଷ୍ଟି ହୋଇନଥିଲା। ଶେଷ ଓଭରରୁ ବିଜୟ ପାଇଁ ୫ ରନ୍‌ ଦରକାର ଥିଲା ବେଳେ କିରଣ ପୋଲାର୍ଡଙ୍କ ପ୍ରଥମ ବଲ୍‌କୁ ସିମରନ୍ ହେଟମେୟର ଚୌକା ମାରି ସ୍କୋର ବରାବର କରିଥିଲେ। ଦ୍ବିତୀୟଟି ନୋ’ ବଲ୍ ହେବାରୁ ଦିଲ୍ଲୀ ୫ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ ଚତୁର୍ଥ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଥିଲା। ଅମିତ ମିଶ୍ରା ତାଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ମୋଡ଼ ବଦଳାଇଲେ ମିଶ୍ରା
ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ର ମନ୍ଥର ପିଚ୍ ଓ ସ୍ପିନ୍‌କୁ ସୁହାଇଲା ଭଳି ପାଗକୁ ଦେଖି ଦିଲ୍ଲୀ କ୍ୟାପିଟାଲ୍ସ ଲକମନ ମେରିୱାଲ ଓ କ୍ରିସ୍ ଓକ୍ସଙ୍କ ସ୍ଥାନରେ ଲେଗ୍ ସ୍ପିନର ଅମିତ ମିଶ୍ରା ଓ ସିମରନ୍ ହେଟମେୟରଙ୍କୁ ଖେଳାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଦାମ ମିଲ୍‌ନେଙ୍କ ସ୍ଥାନରେ ଅଲରାଉଣ୍ଡର୍‌ ଜୟନ୍ତ ଯାଦବଙ୍କୁ ନେଇଥିଲା। ଅଭିଜ୍ଞ ସ୍ପିନର ମିଶ୍ରାଙ୍କୁ ନେବା ନିଶ୍ଚିତ ଭାବେ ଦିଲ୍ଲୀ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଥିଲା। ପାୱାର ପ୍ଲେ’ର ପ୍ରଥମ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୫୫ ରନ୍ କରି ନେଇଥିବା ମୁମ୍ବାଇ ଚତୁର ମିଶ୍ରାଙ୍କ ସ୍ପିନ୍ ଜାଲ୍‌ରେ ପୂରା ଫସି ଶେଷ ୧୪ ଓଭରରେ ମାତ୍ର ୮୨ ରନ୍ ଯୋଡ଼ି ପାରିଥିଲା। ମାର୍କସ ଷ୍ଟୋଇନିସ୍ ତୃତୀୟ ଓଭରରେ କ୍ବିଣ୍ଟନ୍ ଡି’ କକ୍‌କୁ ଆଉଟ୍ କରି ପ୍ରଥମ ଝଟ୍‌କା ଦେବା ପରେ ସପ୍ତମ ଓଭରରେ ବିସ୍ଫୋରକ ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା ପାଞ୍ଚ ଥର ବିଜେତା ମୁମ୍ବାଇ। ଟାଇମ୍ ଆଉଟ୍ ପରେ ପରେ ସୂର୍ଯ୍ୟଙ୍କୁ ଅଭେସ ଖାନ୍ ନିଜ ଅଧିନାୟକ ଋଷବ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ତେବେ ମୁମ୍ବାଇ ପାଳିର ମୋଡ଼ ମିଶ୍ରା ହିଁ ବଦଳାଇ ନେଇଥିଲେ। ତିନିଟି ବଲ୍ ଭିତରେ ଦୁଇ ବିପଜ୍ଜନକ ତାରକା ରୋହିତ ଶର୍ମା ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ପ୍ୟାଭଲିୟନ ଫେରାଇ ମୁମ୍ବାଇ ମିନି ବିପର୍ଯ୍ୟୟର ଶୁଭାରମ୍ଭ କରିଥିଲେ ସେ। ହଠାତ୍ ୧୭ ରନ୍ ଭିତରେ ୫ ୱିକେଟ୍ ହରାଇ ୧୦୦ ଛୁଇଁବାକୁ ସଂଘର୍ଷ କରୁଥିବା ମୁମ୍ବାଇ ଶେଷରେ ଈଶାନ କିଶନ ଓ ଜୟନ୍ତ ଯାଦବଙ୍କ ୩୯ ରନ୍‌ ଭାଗୀଦାରି ପାଇଁ କିଛିଟା ସମ୍ମାନ ଫେରି ପାଇଥିଲା। ଦିଲ୍ଲୀ ବୋଲରମାନେ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍‌ ନେବା ଜାରି ରଖି ଏହି ଦଳକୁ କୌଣସି ପରିସ୍ଥିତିରେ ଦେଢ଼ ଶହ ରନ୍ ଛୁଇଁବାକୁ ଦେଇ ନଥିଲେ। ମୁମ୍ବାଇର ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କରେ ସୀମିତ ରହିବା ସହ ଅଧିନାୟକ ରୋହିତ ଶର୍ମାଙ୍କ ୪୪ ରନ୍ ଦଳର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଚଳିତ ଋତୁର ଦ୍ବିତୀୟ ମ୍ୟାଚ୍ ଖେଳୁଥିବା ମିଶ୍ରା ଆଇପିଏଲ୍‌ରେ ସର୍ବାଧିକ ସପ୍ତମ ଥର ପାଇଁ ରୋହିତଙ୍କୁ ଆଉଟ୍ କରିଥିଲେ। ସେ ମଧ୍ୟ ଚଳିତ ଋତୁରେ ୱିକେଟ୍ ଖାତା ଖୋଲିଥିଲେ। ଏହା ମଧ୍ୟ ଏଥର ଆଇପିଏଲ୍‌ରେ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe