ଭାରତରେ ଆଇପିଏଲ୍ ୨୦୨୨: ବିନା ଦର୍ଶକରେ ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇପାରେ

Advertisment
ଗୁଗୁଲ୍‌ରେ ଅଧିକ ସର୍ଚ୍ଚ ହୋଇଥିଲା ‘ଆଇପିଏଲ୍‌’

ମୁମ୍ବାଇ: ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ଭାରତରେ ହେବ। କରୋନା ସଙ୍କଟ ସଂପୂର୍ଣ୍ଣ ଦୂର ହୋଇନଥିଲେ ମଧ୍ୟ ଆଇପିଏଲ୍ ୨୦୨୨କୁ ଘରୋଇ ପରିବେଶରେ କରିବାକୁ ବିସିସିଆଇ ଏକପ୍ରକାର ନୀତିଗତ ନିଷ୍ପତ୍ତି ନେଇସାରିଛି। ତେବେ ଏଥର ମଧ୍ୟ ବିଶ୍ବ କ୍ରିକେଟ୍‌ର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍ ବିନା ଦର୍ଶକରେ ଖେଳାଯିବ। ଶନିବାର ବିଭିନ୍ନ ଫ୍ରା‌ଞ୍ଚାଇଜ୍‌ଙ୍କ ସହ ଆଲୋଚନା ପରେ ବିସିସିଆଇ ଏକଥା ସ୍ପଷ୍ଟ କରିଛି। ସେହିଭଳି ମାର୍ଚ୍ଚ ଶେଷ ସପ୍ତାହ (ସମ୍ଭବତଃ ମାର୍ଚ୍ଚ ୨୭ରୁ)ରୁ ହିଁ ଆଇପିଏଲ୍ ଆରମ୍ଭ ହୋଇ ମେ’ ଶେଷ ଭାଗରେ ଶେଷ‌ ହେବ ବୋଲି ବିସିସିଆଇ ସଂପାଦକ ଜୟ ଶାହ ଘୋଷଣା କରିଛନ୍ତି। ଏଥିନେଇ ଦଳ ମାଲିକ ଏବଂ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିସାରିଛି। କିଛି ମାଲିକ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ୨୦୨୨ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ବିସିସିଆଇ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା। ସେହିଭଳି ନିଲାମ ତାରିଖରେ ମଧ୍ୟ କୌଣସି ପରିବର୍ତ୍ତନ କରାଯିବ ବୋଲି ବିସିସିଆଇ ଜଣାଇ ଦେଇଥିଲା।

ଆଇପିଏଲ୍ ୨୦୨୨ର ସବୁ ମ୍ୟାଚ୍ ମହାରାଷ୍ଟ୍ରରେ ହେବାର ଶତପ୍ରତିଶତ ସମ୍ଭାବନା ଥିଲା ବେଳେ ମୁମ୍ବାଇରେ ହିଁ ପ୍ରଥମ ମ୍ୟାଚ୍ ଖେଳାଯିବ। ମୁମ୍ବାଇର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍ ସହ ଦିନଦୟାଲ ପାଟିଲ ଷ୍ଟାଡିୟମ୍‌ ଏବଂ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ (ସିସିଆଇ) ପଡ଼ିଆରେ ଆଇପିଏଲ୍ ୨୦୨୨ ସୀମିତ ରହିବ। ‌ଅତି ଆବଶ୍ୟକ ହେଲେ ପୁଣେକୁ ଏକ ବିକଳ୍ପ ଭାବେ ନିଆଯାଇପାରେ। ଏଥିପାଇଁ ପୁଣେର ଗହୁଁଞ୍ଜେ ଷ୍ଟାଡିୟମ୍‌କୁ ବିଳକ୍ପ ଭେନ୍ୟୁ ରଖାଯାଇଛି।

ଖେଳାଳିମାନେ ଗତ ଦୁଇ ବର୍ଷ ଭଳି ଏବର୍ଷ ମଧ୍ୟ କଠୋର ଜୈବ ବଳୟ ଭିତରେ ରହିବେ। ଏବର୍ଷର ସଂସ୍କରଣରେ ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମଦାବାଦ ସାମିଲ ହେବେ। ସେଥିପାଇଁ ଦଳ ସଂଖ୍ୟା ୮ରୁ ୧୦କୁ ବଢ଼ିବ। ଅନୁରୂପ ଭାବେ ମ୍ୟାଚ୍ ସଂଖ୍ୟା ମଧ୍ୟ କିଛିଟା ବୃଦ୍ଧି ପାଇବ। ଖେଳାଳି ନିଲାମ ଫେବ୍ରୁଆରି ୧୨ ଓ ୧୩ ଦୁଇ ଦିନ ଧରି ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ନାମ ପଞ୍ଜୀକରଣର ଶେଷ ତାରିଖ ଚଳିତ ମାସ ୨୦ ତାରିଖ ରହିଥିଲା। ଏହି ତାରିଖ ସୁଦ୍ଧା‌ ମୋଟ ୧୨୧୪ ଖେଳାଳି (୮୯୬ ଭାରତୀୟ ଏବଂ ୩୧୮ ବିଦେଶୀ) ପଞ୍ଜୀକୃତ ହୋଇ ସାରିଥିବା ଜଣାପଡ଼ିଛି। ସେଥିମଧ୍ୟରେ ୨୭୦ ଜଣ ଅନ୍ତର୍ଜାତୀୟ, ୯୦୩ ଜଣ ଅନ୍ତର୍ଜାତୀୟ ପଦାର୍ପଣ ବିହୀନ ଏବଂ ୪୧ ଜଣ ଖେଳାଳି ଆଇସିସି ସହଯୋଗୀ ସଦସ୍ୟ ରାଷ୍ଟ୍ରର। ଅନ୍ତର୍ଜାତୀୟ ପଦାର୍ପଣ କରିସାରିଥିବା ୨୭୦ ଜଣ ଖେଳାଳିଙ୍କ ମଧ୍ୟରୁ ୬୧ ଜଣ ହେଉଛନ୍ତି ଭାରତୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe