ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତାହାର ପୁରୁଣା ଫର୍ମାଟ୍କୁ ଫେରିବ। କୋଭିଡ ପୂର୍ବରୁ ଯେପରି ଘରେ ଓ ବାହାରେ ମ୍ୟାଚ୍ ଖେଳାଯାଉଥିଲା ସେହିଭଳି ୨୦୨୩ ଆଇପିଏଲ୍ ଖେଳାଯିବାର ଯୋଜନା ହେଉଛି ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। କୋଭିଡ ଯୋଗୁଁ ୨୦୨୦ରେ ଆଇପିଏଲ୍ ୟୁଏଇର ୩ ସହର ଦୁବାଇ, ସାରଜା ଓ ଆବୁଧାବିରେ ବିନା ଦର୍ଶକରେ ଖେଳାଯାଇଥିଲା। ସେହିପରି ୨୦୨୧ରେ ଭାରତର ୪ଟି ସହର ଦିଲ୍ଲୀ, ଅହମଦାବାଦ, ମୁମ୍ବାଇ ଓ ଚେନ୍ନାଇରେ ଏହାକୁ ସୀମିତ ରଖାଯାଇଥିଲା। ଏବେ ମହାମାରୀ କୋଭିଡ ନିୟନ୍ତ୍ରଣରେ ଥିବାରୁ ବିଶ୍ବର ଏହି ଧନୀ କ୍ରିକେଟ୍ ଲିଗ୍ ପୁରୁଣା ଫର୍ମାଟରେ ଖେଳାଯିବା ନେଇ ବୋର୍ଡ ତାହାର ଅନୁବଂଧିତ ରାଜ୍ୟ ସଂଘଗୁଡ଼ିକ ସହ ଆଲୋଚନା କରୁଛି। ଏହି ନିୟମ ଅନୁଯାଇ ପ୍ରତ୍ୟେକ ଦଳ ନିଜ ଘରେ ଗୋଟିଏ ଏବଂ ବାହାରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ।
ଅନ୍ୟପକ୍ଷରେ ଚଳିତ ବର୍ଷ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହେବାକୁଥିବା ରଣଜୀ ଟ୍ରଫି ମଧ୍ୟ ଘରେ ଓ ବାହାର ଖେଳାଯିବ। ଆସନ୍ତା ବର୍ଷ ଆରମ୍ଭରୁ ମହିଳା ଆଇପିଏଲ୍ ଖେଳାଯିବ। ବିସିସିଆଇ ମଧ୍ୟ ମହିଳା କ୍ରିକେଟ୍ର ବିକାଶ ଲାଗି ୧୫ ବର୍ଷରୁ କମ୍ ବାଳିକାଙ୍କ ପାଇଁ ଏକ ଧଳାବଲ୍ ପ୍ରତିଯୋଗିତା ଆୟୋଜନ ଯୋଜନା କରୁଛି ବୋଲି ଗାଙ୍ଗୁଲି କହିଛନ୍ତି।
Follow Us