ଆଇପିଏଲ୍ ନିଲାମ: ପ୍ରଥମ ଦିନରେ ଈଶାନ କିଶନ ସବୁଠୁ ଦାମୀ

ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷ-୧୦ରେ ଈଶାନ; କାର୍ତ୍ତିକ ୧୦୮ ସ୍ଥାନ ଉଠିଲେ

Mumbai Indians

ଅଭେସ ସବୁଠୁ ଦାମୀ ଅଣଅନ୍ତର୍ଜାତୀୟ କ୍ରିକେଟର୍‌
ଦୀପକ ଚହର ସବୁଠୁ ଦାମୀ ଭାରତୀୟ ବୋଲର
୧୦ କୋଟି ତାଲିକାରେ ୧୦ ଖେଳାଳି

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ପୁଣି ବସିଛି ଖେଳାଳି ହାଟ। ବିଶ୍ବର ସବୁଠାରୁ ଧନୀ ତଥା ଚର୍ଚ୍ଚିତ ଟ୍ବେଣ୍ଟି-୨୦ ଲିଗ୍‌ ଆଇପିଏଲ୍‌ ପାଇଁ ଶନିବାର ହୋଇଛନ୍ତି କ୍ରିକେଟର୍ କିଣାବିକା। ବହୁ ପ୍ରତୀକ୍ଷିତ ଦୁଇ ଦିନିଆ ନିଲାମର ପ୍ରଥମ ଦିନରେ ଝାଡ଼ଖଣ୍ଡର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଈଶାନ କିଶନ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କୁ ତାଙ୍କ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାର ଆଖି ଖୋସି ହୋଇଗଲା ଭଳି ଦରରେ କିଣି ନେଇଛି। ଯୁବରାଜ ସିଂହ (୧୬ କୋଟି)ଙ୍କ ପରେ ୨୩ ବର୍ଷୀୟ ଈଶାନ ଆଇପିଏଲ୍ ଇତିହାସର ଦ୍ବିତୀୟ ଦାମୀ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ମୋଟ ଉପରେ କ୍ରିସ୍ ମୋରିସ୍ (୧୬.୫ କୋଟି), ଯୁବରାଜ ଏବଂ ପ୍ୟାଟ୍ କମିନ୍ସ (୧୫.୫ କୋଟି)ଙ୍କ ପରେ ଆଇପିଏଲ୍ ନିଲାମର ଚତୁର୍ଥ ଦାମୀ ଖେଳାଳି ହୋଇଛନ୍ତି ସେ।

ସେପଟେ ରାଜସ୍ଥାନ ପକ୍ଷରୁ ରଣଜୀ ଖେଳୁଥିବା ଦ୍ରୁତ ବୋଲର ଅଲରାଉଣ୍ଡର ଦୀପକ ଚହର ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଭାରତୀୟ ବୋଲର ହେବାର କୀର୍ତ୍ତିମାନ କରିଛନ୍ତି। ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକଠାରୁ କଡ଼ା ଟକ୍କର ପାଇବା ସତ୍ତ୍ବେ ୧୪ କୋଟି ଟଙ୍କା ଦେଇ ଚେନ୍ନାଇ ସୁପରକିଙ୍ଗ୍ସ ଚହରଙ୍କୁ ପୁଣି ଥରେ ନିଜ ଦଳରେ ସାମିଲ କରିଛି। ଭାରତୀୟ ଅନ୍ତର୍ଜାତୀୟ ବ୍ୟାଟର୍‌ ଶ୍ରେୟସ୍ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫‌ କୋଟି ଟଙ୍କାରେ କିଣିବା ଶନିବାର ନିଲାମର ଅନ୍ୟତମ ଆକର୍ଷଣ ଥିଲା। ଈଶାନ, ଚହର ଓ ଶ୍ରେୟସଙ୍କ ସହ ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ଶାର୍ଦୁଳ ଠାକୁର, ନିକୋଲାସ ପୂରନ, ଲୋକି ଫର୍ଗୁସନ୍, ଅଭେସ ଖାନ୍ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ୧୦ ଜଣ ଖେଳାଳି ୧୦ କୋଟି କିମ୍ବା ତାଠାରୁ ଅଧିକ ଟଙ୍କା‌ରେ ବିକ୍ରି ହୋଇଥି‌ଲେ। ମଧ୍ୟପ୍ରଦେଶର ୨୬ ବର୍ଷୀୟ ଦ୍ରୁତ ବୋଲର ଅଭେସ ଖାନ୍ (ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ, ୧୦ କୋଟି) ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଅନକ୍ୟାପ୍‌ଡ୍ ବା ଅଣଅନ୍ତର୍ଜାତୀୟ ଖେଳାଳି ହେବାର ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ହସରଙ୍ଗା ଓ ପୂରନ ପ୍ରତ୍ୟେକ ୧୦ କୋଟି ୭୫ ହଜାର ଟଙ୍କା ଲେଖାଏଁ ପାଇବା ପରେ ଯୁଗ୍ମଭାବେ ଦାମୀ ବିଦେଶୀ ଖେଳାଳି ହେବାର ଗୌରବ ହାସଲ କରିଥିଲେ।

publive-image

ଘରୋଇ କ୍ରିକେଟରଙ୍କ ମଧ୍ୟରେ ଶାହରୁଖ ଖାନ୍ ଏବଂ ରାହୁଲ ତ୍ରିପାଠୀ ନିଜ ନିଜ ମୂଳଦରର ୨୦ଗୁଣରୁ ଅଧିକ ଦରରେ ବିକ୍ରି ହୋଇଥିଲେ। ଦିଲ୍ଲୀ ଓପନର ଶିଖର ଧାୱନ ପ୍ରଥମ ଖେଳାଳି ଭାବେ ୮.୨୫ କୋଟି ଟଙ୍କାରେ ନିଲାମ ହୋଇଥିଲେ। ତାଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଥିଲା। ନିଲାମ ପାଇଁ ଆସିଥିବା ଶେଷ ଖେଳାଳି ଥିଲେ ‌ନେପାଳର ସନ୍ଦୀପ ଲାମିଚାନେ। ନିଲାମର ପ୍ରଥମ ଦିନରେ ମୋଟ ୭୪ ଖେଳାଳି ନିଲାମ ‌ହୋଇଥିଲେ।
୮ ପୁରୁଣା ଦଳ ସହ ଦୁଇ ନୂଆ ଦଳ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ଖେଳାଳି ହାଟରେ କିଣାକିଣି କରିବା ଦୀର୍ଘ ୪ ବର୍ଷ ପରେ ହୋଇଥିବା ଏହି ମେଗା ନିଲାମ‌କୁ ଅଧିକ ରୋଚକ କରିଥିଲା। ସୁରେଶ ରାଇନା, ସକିବ-ଅଲ-ହାସନ, ଷ୍ଟିଭେନ୍ ସ୍ମିଥ୍, ମହମ୍ମଦ ନିବି, ମାଥ୍ୟୁ ୱାଦେ, ଋଦ୍ଧିମାନ ସାହ, ଉମେଶ ଯାଦବ, ଇମ୍ରାନ ତାହିର ଓ ଅମିତ ମିଶ୍ରାଙ୍କ ଭଳି ଖେଳାଳି ବିକ୍ରି ନହେବା ସେମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏକାଧିକ ସ୍ବଳ୍ପ ପରିଚିତ ଖେଳାଳି ଶନିବାର ନିଲାମ ପରେ ରାତାରାତି କୋଟି ପତି ପାଲଟି ଯାଇଥିଲେ। ଏମାନଙ୍କ ମଧ୍ୟରେ ଭାରତୀୟ ଯୁବ ବୋଲର ହର୍ଷଲ ପଟେଲ ଏବଂ ବ୍ୟାଟର୍‌ ନୀତୀଶ ରାଣା ପ୍ରମୁଖ ଥିଲେ। ନିଲାମକାରୀ ହ୍ୟୁଗ୍ ଏଡମେଡ୍ସ ହଠାତ୍ ମଞ୍ଚ ଉପରେ ଅଚେତ ହେବା ବିସିସିଆଇ ସହ କ୍ରିକେଟ୍‌ପ୍ରେମୀ ଏବଂ ଫ୍ରାଞ୍ଚାଇଜଙ୍କୁ କିନ୍ତୁ ଚିନ୍ତାରେ ପକାଇଥିଲା।

ଶନିବାର ନିଲାମ ଆରମ୍ଭରୁ ପଞ୍ଜୀକୃତ ଖେଳାଳି ସଂଖ୍ୟା ୫୯୦ରୁ ୬୦୦କୁ ବଢ଼ିବାର ସୂଚନା ଦେଇଥିଲେ ଆଇପିଏଲ୍ ମୁଖ୍ୟ ବ୍ରିଜେଶ ପଟେଲ। ଏହା ପରେ ୧୦ଟି ଯାକ ଦଳର ପ୍ରତିନିଧିଙ୍କ କରତାଳି ଭିତରେ ଆରମ୍ଭ ହୋଇଥିଲା ନିଲାମ। ପ୍ରଥମ ଦିନର ଘଟଣା ବହୁଳ ନିଲାମ ପ୍ରକ୍ରିୟା ଭଳି ରବିବାର ଦ୍ବିତୀୟ ଦିନ ମଧ୍ୟ ବେଶ୍ ରୋମାଞ୍ଚକର ରହିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ସମର୍ଥକ। ବିକ୍ରି ହୋଇ ନଥିବା ଖେଳାଳିଙ୍କ ପାଇଁ ରବିବାର ଆଉ ଏକ ସୁଯୋଗ ବି ରହିବ। ନିଲାମ ଟେବୁଲରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଅର୍ଯ୍ୟନ, ଝିଅ ସୁହାନା, ଅଭିନେତ୍ରୀ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ ରହିବା ଆଜିର ପ୍ରମୁଖ ଆକର୍ଷଣ ଥିଲା। ରବିବାର ସାକଳୁ ଦ୍ବିତୀୟ ତଥା ଶେଷ ଦିନରେ ପୁନର୍ବାର ନିଲା ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe