ଆଇପିଏଲ୍‌: ଗୁଜରାଟକୁ ୫ରନ୍‌ରେ ପରାସ୍ତ କଲା ଦିଲ୍ଲୀ

Advertisment
ଆଇପିଏଲ୍‌: ଗୁଜରାଟକୁ ୫ରନ୍‌ରେ ପରାସ୍ତ କଲା ଦିଲ୍ଲୀ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ୪୪ତମ ମ୍ୟାଚ୍‌ରେ ଗୁଜରାଟକୁ ୫ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ । ଦ୍ବିତୀୟ ପାଳିରେ ଗୁଜରାଟ ୧୩୦ ରନ୍‌ର ଲକ୍ଷ୍ୟକୁ ପିଛାକରି ୬ ୱିକେଟ ହରାଇ ୧୨୫ ରନ୍‌ କରି ପରାସ୍ତ ହୋଇଛି । ଗୁଜରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ୍‌, ଅଭିନଭ ମନୋହର ୨୬ ରନ୍‌ କରିଥିବା ବେଳେ ରାହୁଲ ତେୱତିଆ ୭ ବଲ୍‌ରେ ୨୦ ରନ୍‌ କରିଥିଲେ ସୁଧା ଗୁଜରାଟକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଦିଲ୍ଲୀ ପକ୍ଷରୁ ଖାଲିଲ ଅହମ୍ମଦ, ଇଶାନ୍ତ ଶର୍ମା ୨-୨ଟି ୱିକେଟ ନେଇଥିବା ବେଳେ ଅନ୍ରିଚ୍ ନର୍ଟେଜେ ଓ କୁଲଦୀପ ଯାଦବ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଦିଲ୍ଲୀ ୬ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୧୦ମ ସ୍ଥାନରେ ରହିଛି ।

ପ୍ରଥମ ପାଳିରେ ଟସ୍‌ ଜଣି ଦିଲ୍ଲୀ କ୍ୟାପିଟାଲ୍‌ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଗୁଜରାଟ୍‌ର ବୋଲରଙ୍କ ଆଗରେ ଧୂରନ୍ଧର ବ୍ୟାଟର ଡେଭିଡ ୱାର୍ନରଙ୍କ ସମେତ ଆଗଧାଡ଼ିର ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୩୦ ରନ୍‌ କରିଛି। ଫଳରେ ଗୁଜରାଟ୍‌ ଟାଇଟନ୍ସକୁ ୧୩୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଗୁଜରାଟର‌ ‌ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ। ସେ ତାଙ୍କର ଦ୍ରୁତ ବୋଲିଂ ବଳରେ ଦିଲ୍ଲୀର ବ୍ୟାଟିଂ ଦୁର୍ଗ ଭାଙ୍ଗିଥିଲେ।

ଦିଲ୍ଲୀ ପାଇଁ ଅମନ୍‌ ହାକିମ୍‌ ଖାନ୍‌ ସର୍ବାଧିକ ସ୍କୋର କରିଥିଲେ। ସେ ୪୪ଟି ବଲ୍‌ ଖେଳି ୩ଟି ଚୌକା ଓ ସମାନ ପରିମାଣରେ ଛକା ମାରି ୫୧ ରନ୍‌ ସଂଗ୍ରହ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ରିପାଲ ପଟେଲ। ଉଭୟ ହାକିମ୍‌ ଖାନ୍‌ ଓ ରିପାଲ ପଟେଲ ୭ମ ୱିକେଟ୍‌ ପାଇଁ ୫୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ରିପାଲ ପଟେଲ ୧୩ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୩ ରନ୍‌ ସଂଗ୍ରହ କରିଥିଲେ। ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ୩୦ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରି ୨୭ ରନ୍‌ ଯୋଡ଼ିଥିଲେ।

ଦିଲ୍ଲୀର ପାଳି ଆରମ୍ଭ କରିଥିଲେ ଫିଲିପ୍‌ ସଲ୍ଟ ଓ ଅଧିନାୟକ ଡେଭିଡ ୱାର୍ନର। ଉଭୟ ବ୍ୟାଟର ଶସ୍ତାରେ ଆଉଟ୍‌ ହୋଇଥିଲେ। ଫିଲିପ୍‌ ଖାତା ଖୋଲିପାରି ନଥିଲା ବେଳେ ୱାର୍ନର ମାତ୍ର ୨ ରନ୍‌ ସଂଗ୍ରହ କରି ପାଭଲିଅନ୍‌କୁ ଫେରି ଯାଇଥିଲେ। ଯୁବ ବ୍ୟାଟ୍‌ର ପ୍ରିୟମ୍‌ ଗର୍ଗ ୧୦ ରନ୍‌, ରିଲି ରୋସୁ ୮ ରନ୍‌ ଓ ମନୀଷ ପାଣ୍ଡେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଦିଲ୍ଲୀ ଟିମ୍‌କୁ ପାଳି ଆରମ୍ଭରୁ ଝଟକା ଲାଗିଥିବା ବେଳେ ସ୍କୋର ୨୩ ରନ୍‌ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳି ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ।

ଗୁଜରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ଭଲ ପ୍ରଦର୍ଶନ କରିଥିଲେ। ସେ ମୋଟ୍‌ ୪ ଓଭର ବୋଲିଂ କରିଥିଲେ। ମାତ୍ର ୧୧ ରନ୍‌ ଖର୍ଚ୍ଚ କରି ଦିଲ୍ଲୀର ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ମୋହିତ ଶର୍ମାଙ୍କୁ ୨ଟି ୱିକେଟ୍‌ ମିଳିଥିବା ‌ବେଳେ ରସିଦ ଖାନ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe