ମ୍ୟାଚ୍‌ ସମୟ ପରିବର୍ତନକୁ ନେଇ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଭାଗଭାଗ

ମ୍ୟାଚ୍‌ ସମୟ ପରିବର୍ତନକୁ ନେଇ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଭାଗଭାଗ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ଚଳିତ ବର୍ଷ ସଂସ୍କରଣର ସମୟ ପରିବର୍ତନକୁ କେନ୍ଦ୍ରକରି ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। କେତେକ ଫ୍ରାଞ୍ଚାଇଜ୍‌ ଏହାକୁ ବିରୋଧ କରୁଥିଲା ବେଳେ ଆଉ କେତେକ ସମର୍ଥନ କରୁଛନ୍ତି। ଫଳରେ ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଭାଗଭାଗ ହୋଇଯାଇଛି। ପୂର୍ବ ସଂସ୍କରଣରେ ନିର୍ଦିଷ୍ଟ ଦିନର ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୪ଟା ଏବଂ ଦ୍ୱିତୀୟ ମ୍ୟାଚ୍‌ ରାତି ୮ଟାରେ ଆରମ୍ଭ ହେଉଥିଲା। କିନ୍ତୁ ଆଇପିଏଲ୍‌ ମୁଖ୍ୟ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆର ଅନୁରୋଧ ଅନୁଯାୟୀ ପରିଚାଳନା ପରିଷଦ ଏହି ସମୟରେ ପରିବର୍ତନ କରିଥିଲେ। ୪ଟା ବେଳର ମ୍ୟାଚ୍‌କୁ ୯୦ ମିନିଟ୍‌ ବିଳମ୍ବ ଯଥା ୫.୩୦ରେ ଏବଂ ରାତି ୮ଟା ବେଳର ମ୍ୟାଚ୍‌କୁ ଏକ ଘଣ୍ଟା ପୂର୍ବରୁ ତଥା ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ନେଇ ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ଆକାଶ ଆମ୍ବାନି ଏହାକୁ ବିରୋଧ କରିଛନ୍ତି। ମୁମ୍ବାଇର ଲୋକମାନେ ୬.୩୦ରୁ ୭ ପର୍ଯ୍ୟନ୍ତ କାମ କରନ୍ତି। ମ୍ୟାଚ୍‌ ୭ଟାରେ ଆରମ୍ଭ କରିବା କଷ୍ଟକର ହେବ ବୋଲି ଆକାଶ କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍‌ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସମୟରେ ପରିବର୍ତନ ହେଲେ ସେମାନଙ୍କର କିଛି ଅସୁବିଧା ନାହିଁ ବୋଲି ଉଭୟେ ମତ ରଖିଛନ୍ତି। କେତେକ ଫ୍ରାଞ୍ଚାଇଜ୍‌ଙ୍କ ଅଭିଯୋଗ ଯେ ପ୍ରଥମ ମ୍ୟାଚ୍‌ଠୁ ଦ୍ୱିତୀୟ ମ୍ୟାଚ୍‌ ଆରମ୍ଭ ବ୍ୟବଧାନ କମ୍‌ ରହୁଥିବାରୁ ଦର୍ଶକମାନେ ପ୍ରତ୍ୟେକ ମ୍ୟାଚ୍‌ ପୁରା ଦେଖିପାରିବେ ନାହିଁ। ପାଖାପାଖି ଘଣ୍ଟାଏରୁ ଦେଢ଼ଘଣ୍ଟା ଦର୍ଶକମାନେ ଏହାକୁ ଉପଭୋଗ କରିବାରେ ବିଫଳ ହେବେ। କିନ୍ତୁ ଆୟୋଜକଙ୍କ ପକ୍ଷରୁ ସଫେଇ ଦିଆଯାଇଛି ଯେ ପ୍ରସାରଣ ସଂସ୍ଥା ନିକଟରେ ଅଧିକ ଚ୍ୟାନେଲ୍‌ ରହିଛି ସେମାନେ ସମାନ୍ତରାଳ ଭାବେ ଦର୍ଶକଙ୍କ ପାଖରେ ସବୁ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅପ୍ରେଲ୍‌ ୬ ତାରିଖରେ ମୁମ୍ବାଇରେ ଆଇପିଏଲ୍‌ର ଏକାଦଶତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ପ୍ରତିଯୋଗିତା ଅପ୍ରେଲ୍‌ ୭ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe