India Today
ମୁମ୍ବାଇ: ଆଇପିଏଲ୍ରେ ଦୁଇଟି ନିରୁତ୍ସାହଜନକ ଋତୁ ପରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ଛୁଟି ଦେଇଥିଲା। ଖରାପ ଫର୍ମ ଏବଂ ଆଣ୍ଠୁଜନିତ ଆଘାତ ପାଇଁ ସେ ଗତ ୨୦୨୧ ପୂରା ଋତୁରେ ମଧ୍ୟ ବଞ୍ଚିତ ରହିଥିଲେ। ହେଲେ ଏହି ବାମହାତୀ ଟ୍ବିକର ନୂଆ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚଳିତ ଋତୁରେ ଦମ୍ଦାର ପ୍ରଦର୍ଶନ ଦେଇ ଚାଲିଛନ୍ତି। ଏପରିକି କୁଲଦୀପ ଏବେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ରହିଛନ୍ତି। ଚଳିତ ଋତୁରେ ସେ ନୂଆ ରଙ୍ଗର ଜର୍ସିରେ କମାଲ ଦେଖାଇ ଚାଲିଛନ୍ତି। ଚଳିତ ଆଇପିଏଲ୍ରେ ଦିଲ୍ଲୀ ଏପର୍ଯ୍ୟନ୍ତ (ଗୁରୁବାର ସୁଦ୍ଧା) ଖେଳିଥିବା ମୋଟ ୮ ମ୍ୟାଚ୍ରୁ କୁଲଦୀପ ୧୭ ୱିକେଟ୍ ଝଟ୍କାଇ ସାରିଲେଣି। ଏଥିରେ ଦୁଇ ଥର ୪ ୱିକେଟ୍ ସଫଳତା ସାମିଲ ରହିଛି। ସଂଯୋଗବଶତଃ ସେ ମଧ୍ୟ ତାଙ୍କ ପୂର୍ବ ଫ୍ରାଞ୍ଚାଇଜ ବିପକ୍ଷରେ ଏହି ସଫଳତା ହାତେଇଛନ୍ତି। ପୁଣି ଏପର୍ଯ୍ୟନ୍ତ ହାତେଇଥିବା ୧୭ ୱିକେଟ୍ ତାଙ୍କୁ ୨୦୧୮ ସଂସ୍କରଣର ସମକକ୍ଷ କରିଛି। ୨୦୧୮ରେ ସେ ମୋଟ ୧୬ ମ୍ୟାଚ୍ରୁ ୧୭ ୱିକେଟ୍ ଦଖଲ କରିଥିଲେ।
ତେବେ ଚଳିତ ସଂସ୍କରଣରେ ୮ ମ୍ୟାଚ୍ରୁ କୁଲ୍ଦୀପ ୪ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇସାରିଲେଣି। ଗୁରୁବାର କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ୪/୧୪ ବୋଲିଂ ସଫଳତା ପାଇ ଏହି ପୁରସ୍କାର ହାତେଇଥିଲେ। ଯାହାକି ତାଙ୍କ ନାମକୁ ଆଇପିଏଲ୍ର ଗୋଟିଏ ସଂସ୍କରଣରେ ସର୍ବାଧିକ ମ୍ୟାଚ୍ ଶ୍ରେଷ୍ଠ ପୁରସ୍କାର ପାଇବାର ସ୍ବତନ୍ତ୍ର ଭାରତୀୟଙ୍କ ତାଲିକାରେ ଯୋଡ଼ିଦେଇଛି। ସେ ଏହି ତାଲିକାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ସଚିନ୍ ତେନ୍ଦୁଲକରଙ୍କ ଭଳି ମହାନ୍ ଖେଳାଳିଙ୍କ ସହ ନିଜ ନାମକୁ ଯୋଡ଼ି ପାରିଛନ୍ତି। ଚଳିତ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ଆହୁରି ୬ ମ୍ୟାଚ୍ ଖେଳିବାକୁ ବାକିଥିବାରୁ କୁଲ୍ଦୀପଙ୍କ ପୁରସ୍କାର ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଏପରିକି ସେ ଆଉ ଗୋଟିଏ ପୁରସ୍କାର ପାଇଲେ ସର୍ବାଧିକ ଭାରତୀୟଙ୍କ ତାଲିକାରେ କୋହଲିଙ୍କ ସମକକ୍ଷ ହୋପାରିବେ ଏବଂ ୨ଟି ପୁରସ୍କାର ପାଇଲେ ତାଲିକାର ଶୀର୍ଷକୁ ଲମ୍ଫ ମାରିବେ।
Follow Us