ଆଉ ୬ ଦିନ ପରେ, କଠୋର ପଥରେ କେକେଆର୍‌

Advertisment
ଆଉ ୬ ଦିନ ପରେ, କଠୋର ପଥରେ କେକେଆର୍‌

କୋଲକାତା: ଦୁଇ ଥର ଆଇପିଏଲ୍‌ ମୁକୁଟ ବିଜେତା କୋଲକାତା ନାଇଟ୍ ରାଇଡର୍ସ ପୁଣି ନିଜ ପୁରୁଣା ଦିନକୁ ଫେରିବାକୁ ବ୍ୟାକୁଳ ରହିଛି। କିନ୍ତୁ ଗୌତମ ଗମ୍ଭୀରଙ୍କ ବିଦାୟ ପରର ପରିବର୍ତନ ପର୍ଯ୍ୟାୟରେ ରହିଥିବା ଏହି ଦଳ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ସଂଘର୍ଷ କରୁଛି। ଦଳ ଗଠନ ପ୍ରକ୍ରିୟା ସମୟରେ ମଧ୍ୟ କଠୋର ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରାରମ୍ଭିକ ଯୋଡ଼ି ହେଉ କି ମଧ୍ୟକ୍ରମ ଅବା ଫିନିସର୍ ଭୂମିକା ସବୁଥିରେ ଦଳ ପୁରୁଣା ଯାଦୁ ଦେଖାଇବାରେ ସକ୍ଷମ ହେଉନାହିଁ। ଗତବର୍ଷ ୟୁଏଇରେ ସଂଘର୍ଷ କରିବାରୁ ପ୍ରତିଯୋଗିତା ଅଧାରୁ ଅଧିନାୟକ ପରିବର୍ତନ କରାଯାଇଥିଲା, କିନ୍ତୁ ବିଶେଷ କିଛି ଫରକ ପଡ଼ିନଥିଲା। ଦଳର ଦୁଇ ବଡ଼ ତାରକା ଅଧା ଫିଟ୍‌ ଆନ୍ଦ୍ରେ ରସେଲ ଏବଂ ରହସ୍ୟମୟ ସ୍ପିନର୍‌ ସୁନିଲ ନାରାୟଣ ତାଙ୍କ ଦମ୍‌ ଦେଖାଇପାରିନଥିଲେ। ନାରାୟଣ ବାରମ୍ବାର ବୋଲିଂ ଶୈଳୀ ଅଭିଯୋଗରେ ଫସିଯିବା ପରେ ତାଙ୍କ ଖେଳ ମଧ୍ୟ ପ୍ରଭାବିତ ହୋଇଥିବାର ଅନୁଭବ ଆସିଛି। ଗମ୍ଭୀରଙ୍କ ବିଦାୟ ପରଠାରୁ ଲଗାତାର ଦ୍ବିତୀୟ ଋତୁ ପାଇଁ କେକେଆର୍‌ ପ୍ଲେ ଅଫ୍‌କୁ ଉନ୍ନୀତ ହୋଇପାରି ନଥିଲା।

ଦୁର୍ବଳତା
ଏକଦା ଶକ୍ତି ଓ ସାମର୍ଥ୍ୟ ଥିବା ସ୍ପିନ୍ ବିଭାଗ ଏବେ କେକେଆର୍‌ ପାଇଁ ଦୁର୍ବଳତା ପାଲଟିଯାଇଛି। କୁଲଦୀପ ଯାଦବ ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ୨୦୧୨ ଓ ୨୦୧୪ରେ ଦଳକୁ ବିଜେତା କରିଥିବା ଗମ୍ଭୀରଙ୍କ ଦଳର ମୁଖ୍ୟ ବୋଲିଂ ଅସ୍ତ୍ର ସୁନିଲ ନାରାୟଣ ମଧ୍ୟ ବିଫଳ ହେଉଛନ୍ତି। ବୋଲିଂ ଶୈଳୀ ପାଇଁ ବିବାଦରେ ପଡ଼ିବାରୁ ସେ ମଧ୍ୟ ପ୍ରଭାବହୀନ ରହୁଛନ୍ତି। ନାରାୟଣଙ୍କ ବଦଳରେ ସ୍ଥପତିରୁ କ୍ରିକେଟର୍‌ ପାଲଟିଥିବା ତାମିଲନାଡୁର ରହସ୍ୟମୟ ସ୍ପିନର୍‌ ବରୁଣ ଚକ୍ରବର୍ତୀ ଦାୟିତ୍ବ ସମ୍ଭାଳି ଦଳ ପାଇଁ ସର୍ବାଧିକ ୧୭ ୱିକେଟ୍ ନେଇଥିଲେ। ତେବେ ବରୁଣ ଆହତ ପରେ ଭାରତୀୟ ଦଳ ବସ୍‌ ମିସ୍‌ କରିଥିଲେ। ଏବେ ଫିଟନେସ୍‌ ଦ୍ବନ୍ଦ୍ବରେ ରହିଥିବାରୁ ସେ ନିଜକୁ କେତେ ଶାଣିତ କରିଛନ୍ତି ଦେଖିବାର ଅଛି।

ସା ମର୍ଥ୍ୟ
କେକେଆର୍‌ର ପୂର୍ଣ୍ଣକାଳୀନ ଅଧିନାୟକ ଇଅନ୍ ମୋର୍ଗାନ୍‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଜଣେ ସଫଳ ଓ ଚମତ୍କାର ବୁଦ୍ଧିସମ୍ପନ୍ନ କ୍ରିକେଟର୍‌। ଗତ ଋତୁର ୭ଟି ମ୍ୟାଚ୍‌ ପରେ ଏହି ବିଶ୍ବକପ୍‌ ବିଜେତା ଇଂଲଣ୍ଡ ଅଧିନାୟକ ଦାୟିତ୍ବ ନେଇଥିଲେ। ବ୍ୟକ୍ତିଗତ ଭାବେ ୧୪ ପାଳିରୁ ୪୧.୮୦ ହାରରେ ୪୧୮ ରନ୍‌ ସଂଗ୍ରହ କରିଥିଲେ। ସର୍ବାଧିକ ୨୪ ଛକା ମାରିଥିଲେ ଏହି ବାମହାତୀ। ୧୭ ଜଣ ଆଭ୍ୟନ୍ତରୀଣ ଖେଳାଳିଙ୍କୁ ସୁରକ୍ଷିତ ରଖିବା ସତ୍ତ୍ବେ ଗତ ଖେଳାଳି ନିଲାମରେ କେକେଆର୍‌ କେତେକ ଚତୁର ଚାଲ୍ ଚଳାଇଛି। ବାଂଲାଦେଶ ଅଲରାଉଣ୍ଡର୍ ସକିବ୍ ଅଲ୍ ହାସନଙ୍କୁ ଏବଂ ୨୦୧୬ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବେନ୍‌ କଟିଂଙ୍କୁ ଚୁକ୍ତିବଦ୍ଧ କରିଛି। ୱେଷ୍ଟଇଣ୍ଡିଜ ଯୋଡ଼ି ନାରାୟଣ ଓ ରସେଲଙ୍କ ସଂରକ୍ଷିତ ତଥା ବିକଳ୍ପ ଏମାନେ ହୋଇପାରିବେ। ଇଂଲଣ୍ଡ ବିପକ୍ଷ ଦିନିକିଆ ପଦାର୍ପଣରେ ୪/୫୪ ବୋଲିଂ ପ୍ରଦର୍ଶନ କରିଥିବା ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ଚୁକ୍ତିବଦ୍ଧ କରିଛି। ଅଷ୍ଟ୍ରେଲିଆ ତାରକା ପ୍ୟାଟ୍ କମିନ୍ସଙ୍କ ସହ ଲୋକି ଫର୍ଗୁସନ୍‌ ଦଳର ଦ୍ରୁତ ବୋଲିଂକୁ ଦୃଢ଼ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe