ଆଇପିଏଲ୍‌ ମୂଲ୍ୟ ୧,୩୫,୦୦୦ କୋଟି

Advertisment
ଆଇପିଏଲ୍‌: ଏଥର ରେକର୍ଡ ୨୦୦+ ସ୍କୋର୍‌

Zee Business

ନୂଆଦିଲ୍ଲୀ: ଗୋଟିଏ ବର୍ଷ ଭିତରେ ଏକ ସଂସ୍ଥା ଭାବେ ବିଶ୍ବର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲ୍‌ର ମୂଲ୍ୟ ବହୁଗୁଣ ବଢ଼ିଛି। ଅନ୍ତର୍ଜାତୀୟସ୍ତରୀୟ ପୁଞ୍ଜିନିବେଶକାରୀ ବ୍ୟାଙ୍କ୍ ‘ହୁଲିହାନ୍ ଲୋକି’ ବୁଧବାର ପ୍ରକାଶ କରିଥିବା ଏକ ରିପୋର୍ଟରେ ଏଭଳି ତଥ୍ୟ ପ୍ରଦାନ କରିଛି। ଏହି ରିପୋର୍ଟ ଅନୁସାରେ ଗତ ଏକବର୍ଷ ଭିତରେ ଆଇପିଏଲ୍‌ର ବ୍ୟାବସାୟିକ ମୂଲ୍ୟରେ ୬.୫ ଏବଂ ବ୍ରାଣ୍ଡ ମୂଲ୍ୟରେ ୬.୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ବ୍ୟାଙ୍କ୍ ମଧ୍ୟ ଆଇପିଏଲ୍‌ର ୧୦ଟି ଯାକ ଦଳର ବ୍ରାଣ୍ଡ ମୂଲ୍ୟ ପ୍ରକାଶ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଲା ଲିଗ୍‌ର ସବୁଠାରୁ ମୂଲ୍ୟବାନ ଦଳ ତାଲିକାରେ ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍‌ସ କିମ୍ବା ବିରାଟ କୋହଲିଙ୍କ ଭଳି ବ୍ୟାଟର୍ ଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ନାହାନ୍ତି। ବରଂ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଭାବେ ପରିଚିତ ଚେନ୍ନାଇ ସୁପରକିଙ୍ଗ୍‌ସ ଏମାନଙ୍କଠାରୁ ଢେର ଆଗରେ ରହିଛି।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ଆଇପିଏଲ୍‌ର ବ୍ରାଣ୍ଡ୍‌ ଶକ୍ତି ଲଗାତାର ଭାବେ ବଢ଼ିଚାଲିଛି। ସାରା ବିଶ୍ବରେ ମଧ୍ୟ ଏହାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇଚାଲିଛି। ଏକ ବ୍ରାଣ୍ଡ୍‌ ଭାବେ ଏହା ନୂଆନୂଆ ପ୍ରଶଂସକଙ୍କୁ ଆକର୍ଷିତ କରିଚାଲିଛି। ସେଥିପାଇଁ ଆଇପିଏଲ୍‌ର ବ୍ୟାବସାୟିକ ମୂଲ୍ୟ ଆଉ କିଛି ମାସ ଭିତରେ ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ଯାଉଛି। ସେହିଭଳି ବ୍ରାଣ୍ଡ୍‌ ମୂଲ୍ୟ ୨୮,୦୦୦ କୋଟି ଟଙ୍କାରେ ପହଞ୍ଚି ସାରିଛି। ସଂପ୍ରତି ଟାଟା ଗ୍ରୁପ୍ ମୁଖ୍ୟ ପ୍ରାୟୋଜକ ଭାବେ ୪ବର୍ଷ ପାଇଁ ୨୫୦୦ କୋଟି ଟଙ୍କା ଦେଇଛି। ଯାହା ଗତ ୪ବର୍ଷିଆ ଚକ୍ରଠାରୁ ପାଖାପାଖି ଦୁଇଗୁଣ ଅଧିକ। ଏହି ରାଶି ୨୦୨୮ରେ ଏବେକାର ୪ବର୍ଷୀୟ ଚକ୍ର ସରିଲା ପରେ ଆହୁରି ବଢ଼ିବା ସମ୍ଭାବନା ରହିଛି।

publive-image

ଫ୍ରାଞ୍ଚାଇଜଗୁଡ଼ିକ ମଧ୍ୟରେ ୨୦୨୪ ଋତୁରେ ପ୍ଲେଅଫ୍‌କୁ ଯାଇ ପାରି ନଥିଲେ ବି ଚେନ୍ନାଇ ସୁପରକିଙ୍ଗ୍‌ସ ଆଇପିଏଲ୍‌ର ସବୁଠାରୁ ଦାମୀ ଦଳର ମାନ୍ୟତା ଅକ୍ଷୁଣ୍ଣ ରଖିଛି। ଏହି ଦଳର ମୂଲ୍ୟ ଗତବର୍ଷଠାରୁ ୯ ପ୍ରତିଶତ ବଢ଼ି ୨୩୧ ନିୟୁତ ଡଲାର ବା ୧୯୩୦ କୋଟି ଟଙ୍କାରେ ପହଞ୍ଚିଛି। ବିଜେତା କୋଲକାତା ନାଇଟ୍ ରାଇଡର୍ସର ବ୍ରାଣ୍ଡ୍‌ ମୂଲ୍ୟରେ ସର୍ବାଧିକ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ଦଳର ମୂଲ୍ୟ ୧୯.୩୦ ପ୍ରତିଶତ ବଢ଼ି ପାଖାପାଖି ୧୮୦୦ କୋଟି ଟଙ୍କା ହୋଇଛି। ଏହିକ୍ରମରେ କୋଲକାତା ନାଇଟ୍ ରାଇଡର୍ସ ଗତବର୍ଷ ତୃତୀୟରେ ରହିଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ଚତୁର୍ଥ ସ୍ଥାନକୁ ଠେଲି ଦେଇଛି। ଦ୍ବିତୀୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ରାଣ୍ଡ୍‌ ମୂଲ୍ୟ ୧୮୯୪ କୋଟି ଟଙ୍କା ରହିଛି। ରୋହିତ ଶର୍ମାଙ୍କୁ ହଟାଇ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିବା ମୁମ୍ବାଇ ଇଣ୍ଡିଆନ୍‌ସର ବ୍ରାଣ୍ଡ୍‌ ମୂଲ୍ୟ ମାତ୍ର କିଛି ପ୍ରତିଶତ ବଢ଼ି ୧୭୦୦ କୋଟି ଟଙ୍କା ଛୁଇଁଛି। ପରବର୍ତ୍ତୀ ତିନିଟି ସ୍ଥାନ ଲାଗି ରାଜସ୍ଥାନ ରୟାଲ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ରାଜସ୍ଥାନ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଥିଲା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ଷଷ୍ଠ ଓ ଦିଲ୍ଲୀ କ୍ୟାପିଟାଲ୍ସ ସପ୍ତମ ସ୍ଥାନରେ ରହିଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିବା ଓ ମହମ୍ମଦ ସାମିଙ୍କ ଭଳି ଖେଳାଳି ଅନୁପସ୍ଥିତ ରହିବା କାରଣରୁ ଗୁଜରାଟ ଟାଇଟନ୍ସ ଅଷ୍ଟମ ସ୍ଥାନ ଆଗକୁ ବଢ଼ିପାରିନି। ସେହିଭଳି ପଞ୍ଜାବ କିଙ୍ଗ୍ସ ନବମ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଶେଷ ଦୁଇ ସ୍ଥାନ ଅର୍ଥାତ୍ ନବମ ଓ ଦଶମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe