Image Courtesy of NDTV
ମୁମ୍ବାଇ: ଏଥର ଆଇପିଏଲ୍ରେ ନୂଆ ନିୟମ ଲାଗୁ କରାଯିବ। ଟସ୍ ପଡ଼ିବା ପରେ ଦଳମାନେ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ଚୟନ କରିପାରିବେ। ଟସ୍ ପକାଇବାକୁ ଯିବା ପୂର୍ବରୁ ଅଧିନାୟକ ଦୁଇ ପ୍ରକାରର ଖେଳାଳି ତାଲିକା ସାଙ୍ଗରେ ନେବେ। ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ହେଲେ ସେହି ଅନୁସାରେ ଇମ୍ପାକ୍ଟ ପ୍ଲେୟାର ସହିତ ଏକାଦଶ ବଛାଯାଇଥିବ। ଟସ୍ ପଡ଼ିବା ପରେ ଅଧିନାୟକ ସେହି ତାଲିକାକୁ ଅଦଳବଦଳ କରିବେ। ଏଭଳି ଏକ ନିୟମାବଳୀକୁ ଆଇପିଏଲ୍ ପରିଚାଳନା ପରିଷଦ ପକ୍ଷରୁ ବିଭିନ୍ନ ଫ୍ରାଞ୍ଚାଇଜଙ୍କ ନିକଟକୁ ପଠାଯିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନର ନିୟମ ଅନୁସାରେ ଟସ୍ ପଡ଼ିବା ପୂର୍ବରୁ ଅଧିନାୟକମାନେ ପରସ୍ପର ସହିତ ଦଳୀୟ ତାଲିକା ଅଦଳବଦଳ କରୁଥିଲେ। ଆଗକୁ ତାହା ଟସ୍ ପରେ ଅଦଳବଦଳ କରାଯିବ। ଏହାଫଳରେ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଲିଗ୍ ପରେ ଆଇପିଏଲ୍ ଦ୍ବିତୀୟ ପ୍ରତିଯୋଗିତା ଭାବେ ଟସ୍ ପରେ ଖେଳାଳି ତାଲିକା ପ୍ରଦାନ କରିବେ। ଦକ୍ଷିଣ ଆଫ୍ରିକାରେ ନିକଟରେ ଶେଷ ହୋଇଥିବା ଉଦ୍ଘାଟନୀ ସଂସ୍କରଣରେ ଦଳମାନେ ୧୩ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରୁଥିଲେ। ସେଥିରୁ ଟସ୍ ପରେ ଚୂଡ଼ାନ୍ତ ଏକାଦଶକୁ ତୁରନ୍ତ ବଛାଯାଉଥିଲା। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ ଏହି ଲିଗ୍ର ନିର୍ଦ୍ଦେଶକ ଥିବାବେଳେ ଟସ୍ର ପ୍ରଭାବ ହ୍ରାସ କରିବା ଓ ଖେଳର ପରିସ୍ଥିତି ଅନୁସାରେ ଖେଳାଳି ବାଛିବା ପାଇଁ ଏଭଳି ନିୟମ କରାଯାଇଥିବା କହିଥିଲେ। ବର୍ତ୍ତମାନ ଏଭଳି ଚିନ୍ତାଧାରାକୁ ଆଇପିଏଲ୍ ମଧ୍ୟ ଅନୁସରଣ କରିବାକୁ ଯାଉଛି। ଭାରତରେ କାକରର ପ୍ରଭାବ ଅଧିକ ରହୁଥିବାରୁ ଏହାକୁ ମଧ୍ୟ ହ୍ରାସ କରିବା ପାଇଁ ଆଇପିଏଲ୍ ଚିନ୍ତା କରିଛି।
ଯଦିଓ ଏହି ନିୟମ ପରେ ଯେଉଁ ଦଳ ଟସ୍ ଜିତିବ ସେ ହିଁ ମ୍ୟାଚ୍ ଜିତିବ ବୋଲି ଅନୁମାନ କରାଯାଇପାରେ, ହେଲେ ଏପରି ପରିସ୍ଥିତି ସବୁବେଳେ ପ୍ରଜୁଯ୍ୟ ହେବ ନାହିଁ। କାରଣ ଯଦି ଗୋଟିଏ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହେଁ, କିନ୍ତୁ ଧୀମା ପିଚ୍ରେ ବୋଲିଂ କରିବାକୁ ପଡ଼େ; ଏଭଳି କ୍ଷେତ୍ରରେ ସେହି ଦଳ ଜଣେ ଅତିରିକ୍ତ ସ୍ପିନରଙ୍କୁ ନେବାକୁ ପଡ଼ିବ। ପରେ ଜଣେ ବୋଲିଂ ବିଶେଷଜ୍ଞକୁ ବସାଇ ତାଙ୍କ ସ୍ଥାନରେ ଜଣେ ବ୍ୟାଟରଙ୍କୁ ଦ୍ବିତୀୟ ପାଳିରେ ଖେଳାଇବାକୁ ପଡ଼ିବ।
ସେହିପରି ଚଳିତ ସଂସ୍କରଣଠୁ ଓଭର ରେଟ୍ ପେନାଲ୍ଟି ନିୟମ ମଧ୍ୟ ଲାଗୁ କରାଯିବ। ଧାର୍ଯ୍ୟ ସମୟ ମଧ୍ୟରେ ବୋଲିଂ ଶେଷ ହୋଇନପାରିଲେ ବଳକା ଓଭର ଗୁଡ଼ିକରେ ୩୦ ୟାର୍ଡ ବାହାରେ ମାତ୍ର ୪ ଜଣ ଖେଳାଳି କ୍ଷେତ୍ରରକ୍ଷଣ କରିପାରିବେ। ଏହାବାଦ୍ କ୍ଷେତ୍ରରକ୍ଷଣ ବେଳେ ଯଦି ୱିକେଟରକ୍ଷକ କିମ୍ବା ଅନ୍ୟ କୌଣସି ଖେଳାଳି ନିୟମ ବର୍ହିଭୂତ କିମ୍ବା ଅଶୋଭନୀୟ ଆଚରଣ କରନ୍ତି, ତାହେଲେ ଉକ୍ତ ବଲ୍କୁ ଡେଡ୍ ବଲ୍ ଘୋଷଣା କରାଯିବ ଏବଂ ୫ ରନ୍ ପେନାଲ୍ଟି ଲାଗୁ ଭଳି ନୂଆ ନିୟମ ଲାଗୁ ହେବାକୁ ଯାଉଛି।
Follow Us