Times of India
ମୁମ୍ବାଇ: ଶୁକ୍ରବାର ରାତିରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସ ମୁକାବିଲା ବେଳେ ଦୁଇଟି ଅବିଶ୍ବସନୀୟ ପାଳି ଖେଳିଥିବା ସୂର୍ଯ୍ୟକୁମାର ଯାଦବ (୪୯ ବଲ୍ରୁ ୧୦୩*) ଏବଂ ରସିଦ୍ ଖାନ୍ (୩୨ ବଲ୍ରୁ ୭୯*) ରେକର୍ଡ ବୁକ୍ରେ ନିଜ ନାମକୁ ସାମିଲ କରିନେଇଛନ୍ତି।
-ସୂର୍ଯ୍ୟକୁମାର ଯାଦବ ନିଜ ପ୍ରଥମ ଆଇପିଏଲ୍ ଶତକ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ଦୀର୍ଘ ୯ ବର୍ଷ ପରେ ଏକ ଶତକୀୟ ପାଳି ମିଳିଥିଲା। ଶେଷ ଥର ପାଇଁ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଭାବେ ଲେଣ୍ଡଲ୍ ସିମନ୍ସ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଶତକ ହାସଲ କରିଥିଲେ। ସେହିଭଳି ଦୀର୍ଘ ୧୨ ବର୍ଷ ପରେ ଘରୋଇ ୱାଙ୍ଖ୍ଡେ ପଡ଼ିଆରେ ଜଣେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଶତକ ହାସଲ କଲେ। ୨୦୧୧ରେ ସଚିନ ତେନ୍ଦୁଲକର କୋଚି ତସ୍କର୍ସ କେରଳ ବିପକ୍ଷରେ ୬୬ ବଲ୍ରୁ ଶତକ ପୂର୍ଣ୍ଣ କରିଥିଲେ।
-ରସିଦ୍ ଖାନ୍ ତାଙ୍କ ପାଳିରେ ୧୦ ଛକା ମାରି ରନ୍ ପଶ୍ଚାତଧାବନ ବେଳେ ଯୁଗ୍ମ ଦ୍ବିତୀୟ ସ୍ଥାନ ପାଇଛନ୍ତି। ୨୦୦୮ରେ ସନଥ ଜୟସୁରିଆ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଶତକ ହାସଲ ବେଳେ ୧୧ ଛକା ମାରିଥିବାରୁ ଶୀର୍ଷରେ ଅଛନ୍ତି। ଆଡାମ ଗିଲକ୍ରିଷ୍ଟ (ଡେକାନ୍ ଚାର୍ଜର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ୨୦୦୮) ଏବଂ କିରଣ ପୋଲାର୍ଡ (ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ, ୨୦୧୯) ରନ୍ ପିଛା ବେଳେ ମଧ୍ୟ ୧୦ ଲେଖାଏଁ ଛକା ମାରିଥିଲେ। ରସିଦ୍ଙ୍କ ୧୦ ଛକା ଗୁଜରାଟ ଟାଇଟନ୍ସ ପାଇଁ ଗୋଟିଏ ପାଳିରେ ସର୍ବାଧିକ। ଶୁବମନ ଗିଲ୍ ଚଳିତ ବର୍ଷ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିପକ୍ଷରେ ୯୪* ରନ୍ ପାଳି ଖେଳିବା ଅବସରରେ ସର୍ବାଧିକ ୭ ଛକା ମାରି ଶୀର୍ଷରେ ଥିବାରୁ ଏବେ ଦ୍ବିତୀୟକୁ ଖସିଯାଇଛନ୍ତି। ସମଗ୍ର ଟ୍ବେଣ୍ଟି-୨୦ କ୍ରିକେଟ୍ରେ କିନ୍ତୁ ରସିଦ୍ଙ୍କ ୧୦ ଛକା ମିଳିତ ନବମରେ ରହିଛି। କ୍ରିସ୍ ଗେଲ୍ ଗୋଟିଏ ପାଳିରେ ସର୍ବାଧିକ ୧୮ ଛକା (ରଙ୍ଗପୁର ରାଇଡର୍ସ ବନାମ ଢାକା ଡିନାମାଇଟ୍ସ, ବାଂଲାଦେଶ ପ୍ରିମିୟର୍ ଲିଗ୍) ମାରି ଶୀର୍ଷରେ ରହିଛନ୍ତି।
Follow Us