ଚେନ୍ନାଇକୁ ଆଇପିଏଲ୍‌ ଟ୍ରଫି, ଧୋନିଙ୍କୁ ବିଦାୟୀ ଉପହାର

ଚେନ୍ନାଇକୁ ଆଇପିଏଲ୍‌ ଟ୍ରଫି, ଧୋନିଙ୍କୁ ବିଦାୟୀ ଉପହାର

ଅହମଦାବାଦ : ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ସାକାର ହୋଇଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଅମ୍ବାତି ରାୟୁଡୁଙ୍କ ପାଇଁ ଏହା ଶେଷ ମ୍ୟାଚ୍‌ ହୋଇଥିବାରୁ ଆଇପିଏଲ୍‌ ବିଜେତା ହୋଇ ସ୍ମରଣୀୟ ବିଦାୟ ନେଇଛନ୍ତି। ଏଥିସହ ମୋଟ୍‌ ୬ ଥରର ଟ୍ରଫି ଜିତିବାରେ ରାୟୁଡୁ (ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ) ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ)ଙ୍କ ସମକକ୍ଷ ହୋଇଛନ୍ତି। ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି। ଏଥି ପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍‌ ବିଜେତା ହୋଇଥିଲା।

publive-image

ବର୍ଷା ବାଧାପ୍ରାପ୍ତ ଚେନ୍ନାଇ ପାଳିରେ ପରିବର୍ତ୍ତିତ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍‌ ରଖାଯାଇଥିଲା ବେଳେ ୧୧.୪ ହାରରେ ରନ୍‌ ଆବଶ୍ୟକତା ଥିଲା। ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରମଣାତ୍ମକ ଖେଳି ପାୱାରପ୍ଲେ ୪ ଓଭରରୁ ୫୨ ରନ୍‌ ବାହାର କରିବା ପରେ ଆଫଗାନୀ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍‌ କରି ବଡ଼ ସଫଳତା ଦେଇଥିଲେ। ସପ୍ତମ ଓଭରର ତୃତୀୟ ବଲ୍‌ରେ ଗାଏକ୍ବାଡ (୧୬ ବଲରୁ ୨୬ ରନ୍‌) ଓ ଶେଷ ବଲ୍‌ରେ କନୱେ (୨୫ ବଲରୁ ୪୭ ରନ୍‌) ଙ୍କୁ ନୂର ଆଉଟ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେ ଚୌକା, ଛକା ପାର୍ଟିରେ ସାମିଲ ହୋଇ ଦଳକୁ ୧୦୦ ପାର୍‌ କରାଇଥିଲେ। କିନ୍ତୁ‌ ମୋହିତ ଶର୍ମାଙ୍କ ଧିମା ବଲ୍‌କୁ ଟାଇମିଂ କରିନପାରି ରାହାଣେ (୨୭) ଡିପ୍‌ ପଏଣ୍ଟରେ ଧରାପଡ଼ିଯାଇଥିଲେ।

publive-image

ଶେଷ ମ୍ୟାଚ୍‌ ଖେଳୁଥିବା ଅମ୍ବାତି ରାୟୁଡୁ, ମୋହିତ ଶର୍ମାଙ୍କୁ ଦୁଇଟି ଛକା ମାରି ବଲ୍‌ ଓ ଆବଶ୍ୟକୀୟ ରନ୍‌ ବ୍ୟବଧାନ କମ୍‌ କରାଇଥିଲେ। ହେଲେ ରାୟୁଡୁ ବଲ୍‌କୁ ଟାଇମିଂ କରିନପାରି ମୋହିତ ନିଜ ବୋଲିଂରେ କ୍ୟାଚ୍‌ ନେବା ସହ ପରବର୍ତ୍ତୀ ବଲ୍‌ରେ ଧୋନି ଆଉଟ୍‌ ହୋଇଯିବାରୁ ସିଏସ୍‌କେ ଶିବିରରେ ନୀରବତା ଖେଳିଯାଇଥିଲା। ତଥାପି ଶିବମ ଦୁବେ (୨୧ ବଲରୁ ୩୨* ରନ୍‌) ଓ ରବୀନ୍ଦ୍ର ଜାଦେଜା (୬ ବଲରୁ ୧୫* ରନ୍‌) ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖି ଦଳକୁ ଜିତାଇଥିଲେ। ଶେଷ ଓଭରରେ ଜିତିବାକୁ ୧୩ ରନ୍‌ ଆବଶ୍ୟକତା ହେଉଥିଲା ବେଳେ ପ୍ରଥମ ୪ ବଲ୍‌ରେ ମୋହିତ ପରଫେକ୍ଟ ୟର୍କର ପକାଇ ମାତ୍ର ୩ ରନ୍‌ ଦେଇଥିଲେ। କିନ୍ତୁ ପଞ୍ଚମ ବଲ୍‌ରେ ଛକା ଓ ଶେଷ ବଲ୍‌ରେ ଚୌକା ମାରି ଜାଦେଜା ଚେନ୍ନାଇକୁ ପଞ୍ଚମ ଟ୍ରଫି ଜିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe