ଭୁବନେଶ୍ବର: ସମ୍ବାଦ, ସମ୍ବାଦ ଡିଜିଟାଲ, କନକ ନ୍ୟୁଜ୍ ଓ ରେଡିଓ ଚକ୍ଲେଟ୍ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମୈଦାନଠାରେ ଚାଲିଥିବା ରେଡିଓ ଚକ୍ଲେଟ୍ କ୍ରିକେଟ୍ ଲିଗ୍ (ଆର୍ସିସିଏଲ୍) ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ (ଆଇ ଆଣ୍ଡ ପିଆର୍) ୯ ୱିକେଟ୍ରେ ଟିସିଏସ୍କୁ ହରାଇ ବିଜେତା ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିସିଏସ୍ ୫.୨ ଓଭରରେ ୩୯ ରନ୍ରେ ୮ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ୯ ଓ ୧୦ ନମ୍ବର ବ୍ୟାଟର୍ ସତ୍ୟ ବାରିକ (୨୦) ଓ ଆର୍ଯ୍ୟନ ଦାଶ (୨୪, ୮ ବଲ୍, ୪ ଛକା) ଭଲ ଖେଳିବାରୁ ଦଳ ୧୦ ଓଭରରେ ୯୦ ରନ୍ କରିପାରିଥିଲା।
ଆଇ ଆଣ୍ଡ ପିଆର୍ ପକ୍ଷରୁ ଦିବେଶ ସିଂହ ୩ ଏବଂ ଅଧିନାୟକ ଦେବୀଦତ୍ତ ଦାଶ, ଅନୁରାଗ ପୃଷ୍ଟି ଓ ଆଲୋକ ମହାରଣା ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦେବୀଦତ୍ତ ଦାଶ (୪୫*, ୧୭ ବଲ୍, ୩ ଚୌକା, ୫ ଛକା) ଓ ଦିବେଶ ସିଂହ (୧୧*) ଅପରାଜିତ ରହି ଆଇ ଆଣ୍ଡ ପିଆର୍କୁ ୫.୫ ଓଭରରେ ବିଜୟ ଭେଟି ଦେଇଥିଲେ। କେବଳ ଆଲୋକ ମହାରଣା (୩୫, ୧୨ ବଲ୍, ୧ ଚୌକା, ୫ ଛକା)ଙ୍କ ୱିକେଟ୍ ଦଳ ହରାଇଥିଲା। ଦେବୀଦତ୍ତଙ୍କୁ ଉଭୟ ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍ରେ ଆଇ ଆଣ୍ଡ ପିଆର୍ ୪୫ ରନ୍ରେ କାନାରା ବ୍ୟାଙ୍କ୍କୁ ଏବଂ ଟିସିଏସ୍ ୪୧ ରନ୍ରେ ଇଣ୍ଡିଆନ୍ ବ୍ୟାଙ୍କକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲେ।
ଆହୁରି ପଢ଼ନ୍ତୁ: Electricity: ବହୁବର୍ଷ ପରେ ଲାଭ ପଥକୁ ଫେରିଲେ ବିଦ୍ୟୁତ୍ ବିତରଣ କମ୍ପାନି: ୨୦୨୪-୨୫ରେ ୨୭୦୧ କୋଟିର ଲାଭ
ବିଜେତା ଦଳକୁ ୪୦,୦୦୦ ଟଙ୍କା ପୁରସ୍କାର
ଉଦ୍ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍ ସଂଘ ସମ୍ପାଦକ ସଞ୍ଜୟ ବେହେରା, ସୁଶ୍ରୁତ ହସ୍ପିଟାଲ୍ ଓ ଟ୍ରମା କେୟାର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଚିଦାତ୍ମିକା ଖଟୁଆ, ଛପନ ଭୋଗ ନିର୍ଦେଶିକା ନୀତେଶା ମହାନ୍ତି, ରିଲାଏନ୍ସ ରିଟେଲ ଲିମିଟେଡ୍ କ୍ଲଷ୍ଟର ମ୍ୟାନେଜର (ମାର୍କେଟିଂ) ଶଶାଙ୍କ କୁମାର, ସମ୍ବାଦ ଗ୍ରୁପ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ୍ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଏବଂ ଏସ୍ଜିଓ ନୂଆପଲ୍ଲୀ ସମ୍ପାଦକ ଭାଗ୍ୟଧର ଜଗଦେବ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୪୦,୦୦୦ ଓ ୨୦, ୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ।
ଆହୁରି ପଢ଼ନ୍ତୁ: Cricket: ତୃତୀୟ ଦିନିକିଆକୁ ୪୧ ରନ୍ରେ ହାରିଲା ଭାରତ,ନ୍ୟୁଜିଲାଣ୍ଡର ଐତିହାସିକ ଶୃଙ୍ଖଳା ବିଜୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/18/18bbs_155_18012026_112-2026-01-18-22-41-44.jpg)