ଈରାନୀ କପ୍‌: ସାକାରିୟାଙ୍କୁ ୫ ୱିକେଟ୍‌ ସତ୍ତ୍ବେ ସୌରାଷ୍ଟ୍ର ୨୭୬ ରନ୍‌ରେ ପଛୁଆ

Advertisment

ଅବଶିଷ୍ଟ ଭାରତ ୩୭୪; ସୌରାଷ୍ଟ୍ର ୯୮ ଓ ୪୯/୨

ଅବଶିଷ୍ଟ ଭାରତ ୩୭୪; ସୌରାଷ୍ଟ୍ର ୯୮ ଓ ୪୯/୨

ଈରାନୀ କପ୍‌: ସାକାରିୟାଙ୍କୁ ୫ ୱିକେଟ୍‌ ସତ୍ତ୍ବେ ସୌରାଷ୍ଟ୍ର ୨୭୬ ରନ୍‌ରେ ପଛୁଆ

Hindustan Times

ରାଜକୋଟ: ଚଳିତ ଈରାନୀ କପ୍‌ ମୁକାବିଲାର ଦ୍ବିତୀୟ ଦିବସ ଶେଷ ସୁଦ୍ଧା ୨୦୧୯-୨୦ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ମଜବୁତ୍‌ ସ୍ଥିତିରେ ପହଞ୍ଚିଯାଇଛି। ସୌରାଷ୍ଟ୍ରର ପ୍ରଥମ ପାଳିକୁ ମାତ୍ର ୯୮ ରନ୍‌‌ରେ ଶେଷ କରିଦେଇଥିବା ଅବଶିଷ୍ଟ ଭାରତ ରବିବାର ଦ୍ବିତୀୟ ଦିବସରେ ୩୭୪ ରନ୍‌ କରି ପ୍ରଥମ ପାଳିର ସମସ୍ତ ୱିକେଟ୍‌ ହରାଇଥିଲା। ସୌରାଷ୍ଟ୍ର ପକ୍ଷରୁ ଚେତନ ସାକାରିୟା ୫ ୱିକେଟ୍‌ ସଫଳତା ହାତେଇବା ସତ୍ତ୍ବେ ଅବଶିଷ୍ଟ ଭାରତ ୨୭୬ ରନ୍‌ରେ ପାଳି ଅଗ୍ରଣୀ ପାଇଯାଇଥିଲା। ସାକାରିୟାଙ୍କ ବ୍ୟତୀତ ଅଧିନାୟକ ଜୟଦେବ ଉନାଦ୍‌କଟ୍‌ ଓ ଚିରାଗ ଜାନୀ ୨ ୱିକେଟ୍‌ ଲେଖାଏଁ ପାଇଥିଲେ। ହେଲେ ସର୍ଫରାଜ ଖାନ୍‌ (୧୩୮)ଙ୍କ ଶତକ ସାଙ୍ଗକୁ ଅଧିନାୟକ ହନୁମା ବିହାରୀ (୮୨) ଓ ସୌରଭ କୁମାର (୫୫)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଅବଶିଷ୍ଟ ଭାରତ ୧୧୦ ଓଭରରେ ୩୭୪ ରନ୍‌ କରିନେଇଥିଲା। ବିହାରୀ ଓ ସର୍ଫରାଜ ତୃତୀୟ ୱିକେଟ୍‌ରେ ୨୨୦ ରନ୍ ଯୋଡ଼ିବା ପରେ ଗୋଟିଏ ରନ୍‌ ବ୍ୟବଧାନରେ ପାଭିଲିୟନ୍‌ ଫେରିଯାଇଥିଲେ। ଉଭୟଙ୍କୁ ଚିରାଗ ଜାନୀ ଲଗାତାର ଓଭରରେ ଆଉଟ୍‌ କରିଥିଲେ। ଏହାପରେ ଜୟନ୍ତ ଯାଦବ (୩୭) ଓ ସୌରଭ କୁମାର ସପ୍ତମ ୱିକେଟ୍‌ରେ ମୂଲ୍ୟବାନ ୭୧ ରନ୍ ଯୋଡ଼ିଥିଲେ।

ଜବାବରେ ସୌରାଷ୍ଟ୍ର ମଧ୍ୟ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ଝଟ୍‌କା ପାଇଥିଲା। ଦୁଇ ଓପ୍‌ନର ହର୍ଭିକ୍‌ ଦେଶାଇ (୨୦) ଏବଂ ସ୍ନେଲ ପଟେଲ (୧୬)ଙ୍କୁ ଦଳ ୩୮ ରନ୍‌ ମଧ୍ୟରେ ହରାଇ ସଂକଟରେ ପଡ଼ିଯାଇଥିଲା। ଉଭୟଙ୍କୁ ସୌରଭ କୁମାର ଆଉଟ୍‌ କରିଥିଲେ। ତେବେ ଚିରାଗ ଜାନୀ (୩*) ଓ ଧର୍ମେନ୍ଦ୍ରସିଂହ ଜାଦେଜା (୮*) ଆଉ କୌଣସି କ୍ଷତି ଘଟିବାକୁ ନଦେଇ ଦ୍ବିତୀୟ ଦିବସ ଶେଷ କରିଥିଲେ। ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୧୭ ଓଭରରେ ୪୯/୨ କରି ପାଳି ପରାଜୟ ଏଡାଇବାକୁ ସୌରାଷ୍ଟ୍ର ସଂଘର୍ଷ କରୁଛି। ହାତରେ ୮ ୱିକେଟ୍‌ ଥାଇ ସୌରାଷ୍ଟ୍ର ଏବେ ବି ୨୨୭ ରନ୍‌ ପଛରେ ରହିଛି। ଏହି ମ୍ୟାଚ୍‌ର ପ୍ରଥମ ଦୁଇ ଦିନରେ ମୋଟ ୨୨ ୱିକେଟ୍‌ର ପତନ ଘଟିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe